ସମ୍ବଲପୁର: ଅଭିଯୋଗକାରୀ ନିଜେ ଅଭିଯୁକ୍ତ। ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ ସମ୍ବଲପୁର ଚାରମାଲ୍‌ ଥାନା ପୁଲିସ ଏଭଳି ଚଞ୍ଚକତା କରିଥିବା ଜଣେ ଅଭିଯୁକ୍ତ ସମେତ ତାକୁ ସହଯୋଗ କରିଥିବା ୨ ସାଙ୍ଗକୁ ଗିରଫ କରିଛି। ଏ ନେଇ ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ସାମ୍ବାଦିକ ସମ୍ମିଳନୀରେ ବୁଧବାର ସୂଚନା ଦେଇଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ବିଏମ୍‌ପୁର୍‌ ଥାନା କଦଳୀପାଲିର ଜ୍ୟୋତିଲାଲ ବିଶ୍ବାଳ(୨୨) ଭାରତ ଫାଇନାନ୍ସ କମ୍ପାନିର ବୌଦ୍ଧ ଶାଖାରେ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିଲେ। ଗତ ୧୨ ତାରିଖ ଦିନ ଚାର୍‌ମାଲ୍‌ ଅଞ୍ଚଳରେ ସେ ଟଙ୍କା କଲେକ୍‌ସନ୍‌ କରିବାକୁ ଆସିଥିଲେ। ୫୪,୭୯୭ ଟଙ୍କା ଧରି ବୌଦ୍ଧକୁ ଫେରୁଥିବା ବେଳେ ଅପରାହ୍ଣ ୨ଟା ୩୦ ସମୟରେ ହେମନ୍ତଖୋଲ ଗାଁ ନିକଟରେ ୨ ଜଣ ଆସି ତାଙ୍କଠାରୁ ଟଙ୍କା ବ୍ୟାଗ୍‌ ଲୁଟ୍‌ କରି ଚାଲି ଯାଇଥିଲେ। ତା ସହିତ ମୋବାଇଲ୍‌ ଫୋନ୍‌ ଓ କମ୍ପାନି ଦେଇଥିବା ଟ୍ୟାବ୍‌ ମଧ୍ୟ ନେଇଯାଇଥିଲେ। ଚାର୍‌ମାଲ୍‌ ଥାନାରେ ଜ୍ୟୋତିଲାଲ ଏଭଳି ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

Advertisment

ପୁଲିସ ସୂଚନା ଅନୁଯାୟୀ, ଭାରତ ଫାଇନାନ୍ସ କମ୍ପାନି ୯୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌କୁ ଋଣ ଦେଇଛି। ତାର ଏଜେଣ୍ଟମାନେ ପ୍ରତି ସପ୍ତାହରେ ସେମାନଙ୍କ ଠାରୁ ଟଙ୍କା କଲେକ୍‌ସନ୍‌ କରିବା ପାଇଁ ଆସିଥାନ୍ତି। ଗତ ୧୨ ତାରିଖ ଦିନ ଜ୍ୟୋତିଲାଲ ସେଭଳି କଲେକ୍‌ସନ୍‌ କରିଥିବା ଟଙ୍କା ଧରି ଚାର୍‌ମାଲ୍‌ରୁ ଫେରୁଥିଲା ଏବଂ ଟଙ୍କା ହଡ଼ପ କରିବା ପାଇଁ ଯୋଜନା ରଚିଥିଲା। ସେ ନିଜେ ତାର କାକା ବିଏମ୍‌ପୁର ଥାନା କଦଳୀପାଲିର ଶୁଭପ୍ରସାଦ ବିଶ୍ବାଳ(୨୫) ଓ ସାଙ୍ଗ କିରାପାଲିର ଗୌତମ ପ୍ରଧାନ(୨୫)ଙ୍କୁ ଟଙ୍କା ଲୁଟ୍‌୍‌କରିବା ପାଇଁ କହିଥିଲା। ଯୋଜନା ଅନୁଯାୟୀ ୨ ସାଙ୍ଗ ବାଇକ୍‌ରେ ଆସି କିଛି ଦୂରରେ ଲୋକ ଦେଖିବା ଭଳି ଜ୍ୟୋତିଲାଲ୍‌ଙ୍କ ଠାରୁ ଟଙ୍କା ବ୍ୟାଗ୍‌, ମୋବାଇଲ୍‌ ଫୋନ୍‌ ଓ କମ୍ପାନିର ଟ୍ୟାବ୍‌ ଲୁଟ୍‌ କରି ଫେରାର୍‌ ହୋଇଯାଇଥିଲେ। ପ୍ରାଥମିକ ତଦନ୍ତ ବେଳେ ଘଟଣା ଦେଖିଥିବା କିଛି ଲୋକ ମଧ୍ୟ ଲୁଟ୍‌ ହୋଇଥିବା ବୟାନ୍‌ ଦେଇଥିଲେ। ଯେଉଁ କାରଣରୁ ପୁଲିସ ପାଇଁ  ଅଭିଯୁକ୍ତକୁ ଧରିବା କାଠିକର ପାଠ ହୋଇଯାଇଥିଲା। ସମ୍ବଲପୁର ଏସ୍‌ପିଙ୍କ ତତ୍ତ୍ବାବଧାନରେ ଚାର୍‌ମାଲ ଥାନାର ସ୍ବତନ୍ତ୍ର ପୁଲିସ ଟିମ୍‌ ଯାଞ୍ଚ କରିବା ପରେ ଅଭିଯୋଗ କରିଥିବା ଜ୍ୟୋତିଲାଲ ବିଶ୍ବାଳ ସମେତ ଶୁଭପ୍ରସାଦ ଓ ଗୌତମକୁ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି। ସେମାନଙ୍କ ପାଖରୁ ନାଟକୀୟ ଲୁଟ୍‌ରେ ବ୍ୟବହାର ହୋଇଥିବା ୨ଟି ବାଇକ୍‌(ଓଡି ୩୧ ଇ ୧୧୪୦, ଓଡି ୩୧ ୦୪୦୭), ୩ଟି ମୋବାଇଲ୍‌ ଫୋନ୍‌, ଗୋଟିଏ ଟ୍ୟାବ୍‌, ଗୋଟିଏ ପାଵାର୍‌ ବ୍ୟାଙ୍କ୍‌, ଡକ୍ୟୁମେଣ୍ଟ ଥିବା ଏକ ବ୍ୟାଗ୍‌ ସହ ନଗଦ ୭ ହଜାର ଟଙ୍କା ପୁଲିସ ଜବତ କରିଛି।

ଏଭଳି ଅନେକ ମାମଲା ରହିଛି!

ଏହା ଗୋଟିଏ ମାମଲା ନୁହେଁ। ସମ୍ବଲପୁର ଜିଲ୍ଲାର ଅନେକ ଥାନାରେ ଏଭଳି ମାମଲା ରୁଜୁ ହୋଇଥିବା ବେଳେ କିଛି ମାମଲାର ଅଭିଯୁକ୍ତକୁ ଧରିବାରେ ପୁଲିସ ବିଫଳ ରହିଛି। ଏହି ଫାଇନାନ୍ସ କମ୍ପାନିର ଏଜେଣ୍ଟମାନେ ଯୋଜନାବଦ୍ଧ ଭାବେ ଲୁଟ୍‌ର ନାଟକ ରଚନା କରି କରି ନିଜେ ଅଭିଯୋଗ କରୁଥିବା ଭଳି ଅନେକ ମାମଲା ରହିଥିବା ପୁଲିସ ଏବେ ସନ୍ଦେହ କରୁଛି। ସେହି ମାମଲାଗୁଡ଼ିକୁ ମଧ୍ୟ ଚାର୍‌ମାଲ୍‌ ମାମଲା ଭଳି ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି।