ଏସ୍‌ସିବିରେ ଆରମ୍ଭ ହୋଇପାରୁନି ରୋବୋଟିକ୍‌ ସର୍ଜରି

ପଞ୍ଜୀକରଣରେ ସୀମିତ ପ୍ରତି‌ରୋପଣ ବ୍ୟବସ୍ଥା, ୧୨କୋଟି ଟଙ୍କା ପଡିଛି, ହେଲେ ଆସିପାରୁନି ରୋବୋଟ୍‌

କଟକ : କଟକ ବଡ଼ ଡାକ୍ତରଖାନା (ଏସ୍‌ସିବି)ରେ ଏପର୍ଯ୍ୟନ୍ତ ‌ରୋବୋଟିକ୍‌ ସର୍ଜରି ଆରମ୍ଭ ହୋଇପାରିନି। ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା ପାଇଁ ଦୁଇଦୁଇ ଥର ବ୍ୟବସ୍ଥା କରାଗଲାଣି, ଲିଭର୍‌ ଓପିଡି ମଧ୍ୟ ଖୋଲାଯାଇଛି। ହେଲେ, କେବଳ ରୋଗୀଙ୍କ ପଞ୍ଜୀକରଣରେ ସୀମିତ ରହିଛି ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା। ଉଭୟ ବ୍ୟବସ୍ଥା ୭/୮ବର୍ଷ ତଳର ହୋଇଥିବାବେଳେ ଯଦି ଠିକ୍‌ ସମୟରେ କାର୍ଯ୍ୟକାରୀ ହୋଇଥା’ନ୍ତା, ସରକାରୀ ବ୍ୟବସ୍ଥାରେ ପୂର୍ବଭାରତର ପ୍ରଥମ ଯୋଜନା ଭାବେ ନୂଆ ଅଧ୍ୟାୟ ସୃଷ୍ଟି କରିଥା’ନ୍ତା। ତେବେ, ଏହି ଦୁଇ ବ୍ୟବସ୍ଥା କେବେ କାର୍ଯ୍ୟକାରୀ ହେବ ତାହା ଜଣାପଡ଼ିନାହିଁ।

indianadmissionsguru.com

ୟୁରୋଲୋଜି ବିଭାଗରେ ରୋବୋଟ୍‌ ମାଧ୍ୟମରେ କରାଯିବ ଅସ୍ତ୍ରୋପଚାର। ଏଥିପାଇଁ ୬ବର୍ଷ ହେଲା ଯୋଜନା କରାଯିବା ସହ ୧୨କୋଟି ଟଙ୍କାର ବ୍ୟୟବରାଦ ମଧ୍ୟ କରାଯାଇଛି। କିନ୍ତୁ ଏଥିପାଇଁ ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌) ପକ୍ଷରୁ ଏହାର କ୍ରୟ ପାଇଁ ଯେଉଁ ଟେଣ୍ଡର ହେବା କଥା‌, ତାହା ଆଜି ପର୍ଯ୍ୟନ୍ତ ହୋଇପାରୁନି। ୨୦୧୬ରେ ରୋବୋର୍ଟ କ୍ରୟ ପାଇଁରାଜ୍ୟ ଔଷଧ ନିଗମକୁ ଟଙ୍କା ବ୍ୟୟବରାଦ କରାଯାଇଛି। ଆଜି ପର୍ଯ୍ୟନ୍ତ ରୋବୋଟ୍‌ କିଣା ହୋଇପାରୁନି କି ବିଭାଗକୁ ଆସିପାରୁନି। ସେହିଭଳି, ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ କରିବା ପାଇଁ କୋଟି କୋଟି ଟଙ୍କାର ଯନ୍ତ୍ରାଂଶ କିଣାଯାଇଥିଲା। ଏପରିକି ଡାକ୍ତର ଓ କର୍ମଚାରୀ ମଧ୍ୟ ତାଲିମ ନେଇ ଫେରିଥିଲେ। ହେଲେ, କୋଟି କୋଟି ଟଙ୍କାର ସେଇ ଯନ୍ତ୍ରାଂଶ ଏବେ ଖତ ଖାଉଛି। ଏ ଯନ୍ତ୍ରାଂଶ ବି ଉନ୍ନତମାନର ନୁହେଁ।

ଏହି ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା କାର୍ଯ୍ୟକାରୀ ନହେବା ଫଳରେ ଏହାକୁ ନେଇ ଉଚ୍ଚସ୍ତରରେ ବୈଠକ ବସିଥିଲା। ଗତ ୨୦୨୧, ଅକ୍ଟୋବର ୨୫ରେ ସ୍ବାସ୍ଥ୍ୟମନ୍ତ୍ରୀ ରାଜ୍ୟର ପ୍ରଥମ ଲିଭର୍‌ ପ୍ରତିରୋପଣ ଚିକିତ୍ସା ବ୍ୟବସ୍ଥା ପାଇଁ ପ୍ରଥମ ପର୍ଯ୍ୟାୟରେ ଲିଭର୍‌ ପ୍ରତିରୋପଣ ଓପିଡିକୁ ଉଦ୍‌ଘାଟନ କରିଛନ୍ତି। ଉଦ୍‌ଘାଟନର ୬ମାସ ପରେ କେବଳ ରୋଗୀ ପଞ୍ଜୀକରଣ ବ୍ୟବସ୍ଥାରେ ସୀମିତ ରହିଛି ଏହି ଲିଭର୍‌ ପ୍ରତିରୋପଣ ଓପିଡି। ଆଜି ସୁଦ୍ଧା ୨ଶହରୁ ଅଧିକ ରୋଗୀ ଲିଭର୍‌ ଆବଶ୍ୟକଥିବା ଦର୍ଶାଇ ପଞ୍ଜୀକରଣ କରିଛନ୍ତି। ହେ‌ଲେ, ଆଜି ପର୍ଯ୍ୟନ୍ତ ପ୍ରତିରୋପଣ ବ୍ୟବସ୍ଥା ଆରମ୍ଭ ହୋଇପାରିନି। ଯୋଜନା ଥିଲା ପ୍ରଥମ ପର୍ଯ୍ୟାୟରେ ୟୁରୋଲୋଜି ବିଭାଗ ଓଟିରେ ଅସ୍ତ୍ରୋପଚାର କରିଥାନ୍ତେ, ପରେ ଏଥିପାଇଁ ହୋଇଥିବା ସ୍ବତନ୍ତ୍ର ଓଟିରେ ଅସ୍ତ୍ରୋପଚାର କରାଯାଇଥା’ନ୍ତା। ହେଲେ, ୬ମାସ ପରେ ବି କେବଳ ପଞ୍ଜୀକରଣରେ ସୀମିତ ରହିଛି ଲିଭର୍‌ ପ୍ରତିରୋପଣ ବ୍ୟବସ୍ଥା। ଅନ୍ୟପଟେ, ଏହି ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯାଇ ରୋଗୀ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଫଳରେ, ଏସ୍‌ସିବରେ ମାଗଣାରେ ଏହି ଚିକିତ୍ସା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖିଥିଲେ ତାହା ପୂରଣ ହୋଇପାରିନାହିଁ।

ସମ୍ବନ୍ଧିତ ଖବର