ସ୍କୁଲ ପିଲା ପଢ଼ିବେ ‘ରୋବୋଟିକ୍ସ’ ପାଠ

ପ୍ରଥମ ପର୍ଯ୍ୟାୟରେ ୧୦ଟି ମଡେଲ୍‌ ସ୍କୁଲରେ ଲାଗୁ ହେବ, ଯୁକ୍ତ୨ରେ ରେଜଲ୍ଟ ଖରାପ ହେଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ବିଷୟ ପ୍ରତି ଆକୃଷ୍ଟ କରିବା ପାଇଁ ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ବିଦ୍ୟାଳୟରେ ଖୋଲିବ ‘ରୋବୋଟିକ୍ସ’ ପାଠ୍ୟକ୍ରମ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧୦ଟି ମଡେଲ୍‌ ସ୍କୁଲରେ ଏହି ପାଠ୍ୟକ୍ରମ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଯଦି ସେଠାରେ ସଫଳତା ମିଳିବ ତେବେ ସମସ୍ତ ବିଦ୍ୟାଳୟରେ ତାହାକୁ ଲାଗୁ ହେବ। ଏଥିପାଇଁ ବେଙ୍ଗାଲୁରୁର ଏକ ସଂସ୍ଥା ସହ ଆଲୋଚନା ଶେଷ ହୋଇଥିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସୂଚନା ଦେଇଛନ୍ତି।

ରୋବୋଟିକ୍ସ ପାଠ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ବିଜ୍ଞାନ ସମ୍ପର୍କିତ ଜ୍ଞାନ ବୃଦ୍ଧି ପାଇବ। ଏଥିପାଇଁ ବିଦ୍ୟାଳୟରେ ଏକ ରୋବୋଟିକ୍‌ ଲ୍ୟାବ୍‌ ପ୍ରତିଷ୍ଠା କରାଯିବ। ଯେଉଁଠାରେ ଡ୍ରୋନ୍‌, ରୋବର୍ଟ ପରି ବିଭିନ୍ନ ସାମଗ୍ରୀ ରଖାଯିବ। ପିଲାମାନେ ସେଠାକୁ ଯାଇ ପ୍ରାକ୍ଟିକାଲ କରିପାରିବେ। ପ୍ରତି ସପ୍ତାହରେ କ୍ଲାସ୍‌ କରାଯିବ। ଛାତ୍ରଛାତ୍ରୀ ଶ୍ରେଣୀଗୃହରେ ଥିଓରି ପଢ଼ି ସାରିବା ପରେ ସେଠାରେ ପ୍ରାକ୍ଟିକାଲ କରିବେ। ଆସନ୍ତା ଶିକ୍ଷାବର୍ଷରୁ ୧୦ଟି ମଡେଲ୍‌ ସ୍କୁଲରେ ଏହା ଆରମ୍ଭ ହେବ। ସଫଳତା ମିଳିଲେ ତେବେ ସବୁ ସ୍କୁଲରେ ସ୍ୱତନ୍ତ୍ର ଲ୍ୟାବ୍‌ ଖୋଲାଯାଇ ପିଲାଙ୍କୁ ରୋବୋଟିକ୍ସ ପାଠ୍ୟକ୍ରମରେ ଶିକ୍ଷା ଦିଆଯିବ। ବେଙ୍ଗାଲୁରୁର ସଂସ୍ଥା ‘ସିରେନା ଟେକ୍ନୋଲୋଜି’କୁ ଏହି ଦାୟିତ୍ୱ ଦିଆଯାଇଛି। ଏହି ସଂସ୍ଥା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ଏକ ଘରୋଇ ସ୍କୁଲରେ ପ୍ରକଳ୍ପ ଆରମ୍ଭ କରିଛି। ସହରର ଆଉ କିଛି ସ୍କୁଲ ମଧ୍ୟ ଏନେଇ ଆଗ୍ରହ ଦେଖାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏବେ ସମ୍ପୃକ୍ତ ସଂସ୍ଥା ସହ ମିଶି କାର୍ଯ୍ୟ କରିବାକୁ ସ୍ଥିର କରିଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ କହିବାନୁଯାୟୀ ଏହି ପ୍ରକଳ୍ପ ଦ୍ୱାରା ପିଲାଙ୍କ ଗଣିତ ଓ ବିଜ୍ଞାନ ବିଷୟର ଜ୍ଞାନ ବୃଦ୍ଧି ପାଇବ। ପିଲମାନେ ଅଧିକ ସଫଳ ହୋଇପାରିବେ। ସେମାନଙ୍କ ଭବିଷ୍ୟତ ଏବେଠାରୁ ଚୟନ କରିପାରିବେ। ସେରେନା ଟେକ୍ନୋଲୋଜି ପକ୍ଷରୁ କୁହାଯାଇଛି ଯେ ପିଲାଙ୍କୁ ହାର୍ଡ୍‌େଓ୍ଵୟାର, ସଫ୍ଟେଓ୍ଵୟାର, ଇଲେକ୍ଟ୍ରିକାଲ, ମେକାନିକାଲ ବିଷୟରେ ଶିକ୍ଷା ଦିଆଯିବ। ଫଳରେ ସେମାନେ ଗଣିତ ଓ ବିଜ୍ଞାନ ସମ୍ପର୍କରେ ଥିବା ଦ୍ୱନ୍ଦ୍ୱ ଦୂର କରିପାରିବେ। କ୍ୟାରିଅର୍‌ ଗଢ଼ିବାରେ ଏହା ବେଶ୍‌ ସହାୟକ ହେବ। ବିଭିନ୍ନ ଶ୍ରେଣୀ ଅନୁଯାୟୀ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ସିରେନା ଟେକ୍ନୋଲୋଜିର ଆଞ୍ଚଳିକ ପରିଚାଳକ ଦେବାଶିଷ ପଟ୍ଟନାୟକ କହିଛନ୍ତି ଯେ ହ୍ୟୁମାନ ରୋବଟ୍‌ ଫର ଏଜୁକେସନ୍‌ ଦେଶରେ ପ୍ରଥମ। ଏହାର ନାମ ‘ନିନୋ’ ରଖାଯାଇଛି। ଏହି ରୋବଟ୍‌ ନାଚିପାରିବ, ଗାଇପାରିବ, ଦେଶ ଓ ବିଦେଶର ବିଭିନ୍ନ ବିଷୟରେ ପଚାରିଲେ ସଙ୍ଗେ ସଙ୍ଗେ କହିପାରିବ। ଏହାଦ୍ୱାରା ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତନ ଆସିବ। ବ୍ରହ୍ମପୁରର ଏକ ସ୍କୁଲରେ ଏହା ଆରମ୍ଭ ହୋଇଛି। ଆଉ କିଛି ସ୍କୁଲରେ ଆରମ୍ଭ ହେବାକୁ ପ୍ରସ୍ତାବ ଆସିଛି। କିଟ୍‌ରେ ବି କର୍ମଶାଳା କରାଯାଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ସାମିଲ କରାଯିବା ପରେ ଆହୁରି ସଂସ୍କାର ଆଣିବାକୁ ନିଷ୍ପତ୍ତି ହୋଇଛି। ପରୀକ୍ଷା ପରିଚାଳନା ପାଇଁ ପ୍ରତି ଯୁକ୍ତ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯିବ। ଯେଉଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭଲ ରେଜଲ୍ଟ ନ କରିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଉଭୟ ଶିକ୍ଷକ ଓ ଛାତ୍ରଛାତ୍ରୀ ଏଥିପ୍ରତି ଧ୍ୟାନ ଦେଇ ପରୀକ୍ଷା ଲାଗି ଏବେଠାରୁ ନିଜକୁ ପ୍ରସ୍ତୁତ କରନ୍ତୁ। ୨୦୧୯ରେ ପରୀକ୍ଷା ପରିଚାଳନାକୁ କଡ଼ାକଡ଼ି କରାଯିବ ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର