କୋରାପୁଟ: କିରଣ୍ଡୁଲ-କୋଟାବାଲ୍ସା ରେଳ ଲାଇନର ମାଳିଗୁଡ଼ା-ଜରଟି ଷ୍ଟେସନ ମଧ୍ୟରେ ପାହାଡ଼ରୁ ପଥର ଧସି ରେଳ ଧାରଣା ଉପରେ ପଡ଼ିଥିଲା। ଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଅପରାହ୍ଣ ୩ଟା ୨୦ ମିନିଟ୍ରେ ଏହି ଅଘଟଣ ଘଟିଥିଲା। ରେଳ ଲାଇନ୍ର ୨୦୮ କିମି ନିକଟରେ ଏହି ଅଘଟଣ ଘଟିଥିବା ଜାଣିବା ପରେ କୋରାପୁଟରୁ ସ୍ବତନ୍ତ୍ର ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳକୁ ଯାଇଥିଲା। ଯୁଦ୍ଧକାଳୀନ ଭିତ୍ତିରେ ଟିମ୍ ରେଳ ଧାରଣାରେ ପଡ଼ିଥିବା ପଥର ଓ ମାଟି ସଫା କରିଥିଲେ। ପ୍ରାୟ ଏକ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିଥିଲା।
ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଉଦ୍ଧାର କାର୍ଯ୍ୟ ସରିବା ପରେ ସନ୍ଧ୍ୟା ୫ଟାରେ ରେଳ ଚଳାଚଳ ସ୍ବାଭାବିକ ହୋଇଥିଲା। ରେଳ ଧାରଣାରେ ପଥର ଖସିବା ପରେ କୋରାପୁଟରୁ କିରଣ୍ଡୁଲ ଅଭିମୁଖେ ଯାଉଥିବା ପାସେଞ୍ଜର ଟ୍ରେନ୍ ଜରଟି ଷ୍ଟେସନ ନିକଟରେ ଅଟକି ରହିଥିଲା। ସେହିପରି ଜଗଦଲପୁରରୁ ରାଉରକେଲା ଅଭିମୁଖେ ଯାଉଥିବା ଇଣ୍ଟରସିଟି ଏକ୍ସପ୍ରେସ ମାଳିଗୁଡ଼ା ଷ୍ଟେସନ ନିକଟରେ ଅଟକି ରହିଥିଲା। ଦେଢ଼ ଘଣ୍ଟା ବିଳମ୍ବରେ ଉଭୟ ଟ୍ରେନ୍ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲେ। ତେବେ ଜଗଦଲପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ହୀରାଖଣ୍ଡ ଟ୍ରେନ୍ ନିର୍ଧାରିତ ସମୟରେ ଯାତ୍ରା କରିଥିବା ରେଳ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ମାଳିଗୁଡ଼ା-ଜରଟି ଷ୍ଟେସନ ମଧ୍ୟରେ ପଥର ଧସୁଥିବାରୁ ରେଳ ଯାତ୍ରା ବାରମ୍ବାର ବ୍ୟାହତ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/24/ssfsf-2025-10-24-04-09-48.jpg)