ବ୍ରହ୍ମପୁର: ଏମ୍କେସିଜି ମେଡିକାଲ କଲେଜରେ ଜୁନିୟର୍ ଛାତ୍ରଙ୍କୁ ରୢାଗିଂ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏମ୍କେସିଜି ମେଡିକାଲ କଲେଜରେ ଆଣ୍ଟି ରୢାଗିଂ କମିଟିର ବୈଠକ ପରେ ପ୍ରମାଣ ମିଳିବାରୁ ୫ଜଣ ଚତୁର୍ଥ ବର୍ଷର ଛାତ୍ରଙ୍କୁ ୬ମାସ ପାଇଁ କ୍ୟାମ୍ପସ ମନା କରାଯାଇଛି। ଏହି ୫ଜଣ ଛାତ୍ର ହଷ୍ଟେଲ୍ରେ ରହି ପାରିବେ ନାହିଁ କି କ୍ୟାମ୍ପସ୍କୁ ପ୍ରବେଶ କରି ପାରିବେ ନାହିଁ। ଏପରିକି ସେମାନେ ଶ୍ରେଣୀକୁ ମଧ୍ୟ ଆସି ପାରିବେ ନାହିଁ। ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ଭବିଷ୍ୟତରେ ରୢାଗିଂ କରିବାକୁ ସିନିୟର୍ ଛାତ୍ରଙ୍କ ମନରେ ଭୟ ରହିବ ବୋଲି ଏମ୍କେସିଜି ମେଡିକାଲ କଲେଜ ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡା. ସୁଚିତ୍ରା ଦାଶ ସୂଚନା ଦେଇଛନ୍ତି। ସେପଟେ ସେହି ୫ଜଣ ଛାତ୍ରଙ୍କ ବିରୋଧରେ ବୈଦ୍ୟନାଥପୁର ଥାନାରେ ମାମଲା ରୁଜୁ ହେବ। ଡିନ୍ଙ୍କ ଲିଖିତ ଏତଲା ପରେ ମାମଲା ରୁଜୁ କରାଯିବ ବୋଲି ବ୍ରହ୍ମପୁର ଏସ୍ପି ଡା. ଶରବଣା ବିବେକ ଏମ୍. ସୂଚନା ଦେଇଛନ୍ତି। ସଂପୃକ୍ତ ୫ ଛାତ୍ରଙ୍କୁ ଆସନ୍ତାକାଲି ବୈଦ୍ୟନାଥପୁର ଥାନାରେ ହାଜର ହେବାକୁ କୁହାଯାଇଛି।
ଏମ୍କେସିଜି ମେଡିକାଲ କଲେଜର ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ରୢାଗିଂ କରାଯାଉଥିବା ନେଇ ଦିଲ୍ଲୀ ସ୍ଥିତ ଏନ୍ଏମ୍ସିର ଆଣ୍ଟି ରୢାଗିଂ ସେଲ୍ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ କ୍ରମେ ଗତ ୨୫ତାରିଖରେ ଏମ୍କେସିଜି ଆଣ୍ଟିଂ ରୢାଗିଂ କମିଟିର ବୈଠକ ବସିଥିଲା। ବୈଠକରେ ପ୍ରାୟ ୧୨୦ଜଣ ଦ୍ବିତୀୟ ବର୍ଷର ଛାତ୍ର ଉପସ୍ଥିତ ଥିଲେ ସୁଦ୍ଧା କେହି ମୁହଁ ଖୋଲି ନଥିଲେ। ଫଳରେ କାହାରି ବିରୋଧରେ ପ୍ରମାଣ ମିଳି ନଥିଲା। ଏହାପରେ ଗତ ୨୮ତାରିଖ ସଂଧ୍ୟାରେ ଜଣେ ଦ୍ବିତୀୟ ବର୍ଷର ଛାତ୍ରଙ୍କ ଅଭିଭାବକ ରୢାଗିଂ ନେଇ ଡିନ୍ଙ୍କ ନିକଟରେ ୫ଜଣ ସିନିୟର୍ ଛାତ୍ରଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହିତ ହଷ୍ଟେଲ୍ରୁ ତାଙ୍କର ପୁଅକୁ ନେଇ ଯାଇଥିଲେ।
ଆଉ ଚାରି ଛାତ୍ରଙ୍କୁ ତିନିମାସ କ୍ୟାମ୍ପସ୍ ମନା ନିଷ୍ପତ୍ତି ବିଚାରାଧୀନ
ଜୁନିଅର୍ ଛାତ୍ର ଅଲଗା ହଷ୍ଟେଲ୍ରେ ରହିବେ
ଗତକାଲି ପୁଣିଥରେ ଆଣ୍ଟି ରୢାଗିଂ ସେଲ୍ରୁ ଆଉ ଏକ ଅଭିଯୋଗ ଆସିଥିଲା। ଏମ୍କେସିଜିର ୪ଜଣ ଛାତ୍ର ରୢାଗିଂ କରୁଥିବା ନେଇ ଅଭିଯୋଗରେ ଦର୍ଶା ଯାଇଥିଲା। କିନ୍ତୁ ସେଥିରେ ଅଭିଯୋଗକାରୀଙ୍କ ନାମ ନଥିଲା। ଏହି ସବୁ ଘଟଣାକୁ ନେଇ ଆଜି ସଂଧ୍ୟାରେ ଏମ୍କେସିଜି ମେଡିକାଲ କଲେଜରେ ଆଣ୍ଟି ରୢାଗିଂ କମିଟିର ବୈଠକ ବସିଥିଲା। ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଦାଶଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ କିମିଟର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସେହିପରି ଡିନ୍ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିବା ଅଭିଭାବକ ଓ ତାଙ୍କ ପୁଅ ମଧ୍ୟ ଉପସ୍ଥିତ ଥିଲେ। କମିଟି ସଦସ୍ୟ ସେମାନଙ୍କ ଅଭିଯୋଗ ଗ୍ରହଣ କରି ହଷ୍ଟେଲ୍ ୱାର୍ଡେନ୍ଙ୍କ ଠାରୁ ମିଳିଥିବା ପ୍ରମାଣକୁ ଆଧାର କରି ୫ଜଣ ସିନିୟର୍ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତନ୍ମଧ୍ୟରୁ ଜଣେ ଛାତ୍ରଙ୍କ ନାମରେ ପୂର୍ବରୁ ମଧ୍ୟ ଅଭିଯୋଗ ଆସିଥିଲା।
ଡିନ୍ ତଥା ଅଧ୍ୟକ୍ଷ ପ୍ରଫେସର ଦାଶ କହନ୍ତି, ଆଣ୍ଟି ରୢାଗିଂ କମିଟିର ବୈଠକରେ ମିଳିଥିବା ପ୍ରମାଣକୁ ଆଧାର କରି ୫ଜଣ ଛାତ୍ରଙ୍କୁ ୬ମାସ ପାଇଁ କ୍ୟାମ୍ପସ୍ ମନା କରାଯାଇଛି। ୪ନମ୍ବର ହଷ୍ଟେଲ୍ରେ ଏଭଳି ରୢାଗିଂ ଚାଲିଥିଲା। ରାତିରେ ସନିୟର୍ ଛାତ୍ରମାନେ ଦ୍ବିତୀୟ ବର୍ଷର ଛାତ୍ରଙ୍କୁ ଛାତ ଉପରକୁ ଡାକି ବିଭିନ୍ନ ପ୍ରକାର ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ଅପଦସ୍ଥ କରୁଥିଲେ। ଏହାର ପ୍ରମାଣ ମିଳିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏନ୍ଏମ୍ସି ନିକଟରେ ହୋଇଥିବା ଆଉ ଏକ ଅଭିଯୋଗରେ ୪ ଛାତ୍ରଙ୍କ ନାମରେ ରହିଛି। କିନ୍ତୁ ଅଭିଯୋଗକାରୀ ନଥିବାରୁ ସେମାନଙ୍କ ଉପରେ ବର୍ତ୍ତମାନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେମାନଙ୍କୁ ମଧ୍ୟ ୩ ମାସ ପର୍ଯ୍ୟନ୍ତ କ୍ୟାମ୍ପସ୍ ମନା କରିବାକୁ ବିଚାର କରାଯାଉଛି। ଜୁନିୟର୍ ଛାତ୍ରଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ଅଲଗା ହଷ୍ଟେଲ୍ରେ ରଖିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହଛନ୍ତି।