ବିଳମ୍ବିତ ରାତିରେ ଖଣ୍ଡା, କାତି ଧରି ପଶିଲେ
ଲକ୍ଷାଧିକ ଟଙ୍କାର ଜିନିଷ ଲୁଟିଲେ, ଗାଡ଼ି ଜାଳିଲେ
ବୋଳଂ : ପୂର୍ବଶତ୍ରୁତାକୁ କେନ୍ଦ୍ର କରି ବିଳମ୍ବିତ ରାତିରେ ହତିଆର ଧରି ଆକ୍ରମଣ ସହ ଲୁଟ୍ପାଟ କରିବାକୁ ଆସିଥିଲେ। ହେଲେ ଦୋକାନରେ କେହି ନଥିବାରୁ ଲକ୍ଷାଧିକ ଟଙ୍କାର ଜିନିଷପତ୍ର ବୋହିନେବା ସହ ସେଠାରେ ଥିବା ଦୁଇଟି ଗାଡ଼ିକୁୁ ନିଆଁ ଲଗାଇଦେଲେ। ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଛାନୁଆ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଦୁବୃର୍ତ୍ତମାନେ ଏଭଳି ଆତଙ୍କ ରଚିଥିବା ଦେଖିବାକୁ ମିଳିଛି।
ଗ୍ରାମର ସୁବାସ ଭୂୟାଁଙ୍କର ମା’ କାମଚଣ୍ତି ନାମକ ଏକ ଚିଙ୍ଗୁଡି ଫିଡ୍ କାଉଣ୍ଟର ରହିଥିବା ବେଳେ ବ୍ୟବସାୟ ବି ଭଲ ଚାଲିଛି। ତେଣୁ ଶ୍ରୀ ଭୂୟାଁ ଦୁବୃର୍ତ୍ତଙ୍କ ଟାର୍ଗେଟ୍ରେ ରହିଥିଲେ। ତେବେ ଗତକାଲି ବିଳମ୍ବିତ ରାତିରେ କିଛି ଦୁବୃର୍ତ୍ତ ହାତରେ ଖଣ୍ଡା, ଭୁଜାଲି ଓ କାତି ଆଦି ମାରଣାସ୍ତ୍ର ଧରି ତାଙ୍କ କାଉଣ୍ଟରରେ ପଶିଥିଲେ। ମାତ୍ର କାଉଣ୍ଟରରେ କୌଣସି କର୍ମଚାରୀ ନଥିବାରୁ ସେଠାରେ ରହିଥିବା ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଯିବାବେଳେ କାଉଣ୍ଟର ସମ୍ମୁଖରେ ରଖାଯାଇଥିବା ଏକ କାର(ଓଡି-୦୧ଏଏଫ-୯୨୧୮) ଏବଂ କଣ୍ଟେନର (ଓଡି-୦୧ଏକ୍ସ-୫୭୭୧୭)କୁ ଭଙ୍ଗାରୁଜା କରିଥିଲେ। ଏହାପରେ ପେଟ୍ରୋଲ ଢାଳି ଗାଡ଼ି ଦୁଇଟିକୁ ନିଆଁ ଲଗାଇଥିବା ଦେଖାଯାଇଛି। କାରଟି ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଥିବା ବେଳେ କଣ୍ଟେନରର କିଛି ଭାଗ ପୋଡ଼ି ଯାଇଛି। ଏହି ଘଟଣାର ସମସ୍ତ ଦୃଶ୍ୟ କାଉଣ୍ଟରରେ ଲାଗିଥିବା ସସିଟିଭିରେ କଏଦ ହୋଇଛି।
ତେବେ ନିଆଁ ଦେଖି ସ୍ଥାନୀୟ ଲୋକେ କାଉଣ୍ଟର ମାଲିକ ଶ୍ରୀ ଭୂୟାଁଙ୍କୁ ଖବର ଦେଇଥିଲେ। ସେ ପହଞ୍ଚିଲା ବେଳକୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାରଣାସ୍ତ୍ର ଏବଂ ସିସିଟିଭି ହାର୍ଡଡିସ୍କ ଜବତ କରି ତଦନ୍ତ ଆରମ୍ଭ କରିଥିବା ଆଇଆଇସି ଅଶୋକ ନାୟକ ସୂଚନା ଦେଇଛନ୍ତି।