ବ୍ରହ୍ମପୁର : ଗତକାଲି ଅଦାଲତରେ ପଶି ୪ଟି ଅପରାଧିକ ମାମଲାର ଜଣେ ଅଭିଯୁକ୍ତ ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ ବେକରେ ଛୁରି ଲଗାଇବା ଘଟଣା ସାରାରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଘଟଣା ଅଦାଲତର ସୁରକ୍ଷା ବ୍ୟବସ୍ଥାକୁ ନେଇ ଜନମାନସରେ ଚିନ୍ତା ଉଦ୍ରେକ କରିଛି। ଏଥିସହିତ, ଅଭିଯୁକ୍ତ ଜଣକ ଏସ୍‌ଡିଜେଏମ୍‌ଙ୍କୁ କାହିଁକି ଟାର୍ଗେଟ୍‌ କଲା, ତାକୁ ନେଇ ବି ପ୍ରଶ୍ନଉଠୁଛି। ତେବେ, ପୁଲିସ ତଦନ୍ତରୁ ଏନେଇ କୌଣସି ଠୋସ୍‌ ତଥ୍ୟ ସାମ୍‌ନାକୁ ଆସିପାରିନାହିଁ। ଅଭିଯୁକ୍ତ ଭଗବାନ ସାହୁଙ୍କ ବୟାନରେ ବି ତାଳମେଳ ନଥିବା ଜଣାପଡ଼ିଛି।

Advertisment

ହସ୍ତଗତ ତଥ୍ୟରୁ ଜଣାପଡ଼ିଛି ଯେ କୋର୍ଟରୁ ସମନ ଆସିଥିବାରୁ ଗତକାଲି ସେ ଏସ୍‌ଡିଜେଏମ୍‌ଙ୍କ କୋର୍ଟ ଯାଇଥିଲେ। ଏହି ସମନ ସମ୍ପର୍କରେ କେହିଜଣେ କୁଆଡ଼େ ତାଙ୍କୁ କହିଥିଲେ। ସେ କୋର୍ଟରେ ଜଣେ କର୍ମଚାରୀଙ୍କୁ ଏ ସମ୍ପର୍କରେ ପଚାରିଥିଲେ। ମାତ୍ର, ସମ୍ପୃକ୍ତ କର୍ମଚାରୀ ମନା କରିଦେବାରୁ ସେ କ୍ରୋଧର ବଶବର୍ତ୍ତୀ ହୋଇ ଏଭଳି କାଣ୍ଡ ଘଟାଇ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ତେବେ, ସେ କୋର୍ଟକୁ ଛୁରି ନେଇକି ଯାଇଥିଲେ କାହିଁକି? ଯଦି ମନରେ କ୍ରୋଧ ଜାତ ହେଲା ସେହି କର୍ମଚାରୀଙ୍କୁ ଆକ୍ରମଣ କରିପାରିଥା’ନ୍ତେ, ମାତ୍ର ଏସ୍‌ଡିଜେଏମ୍‌ଙ୍କୁ ଆକ୍ରମଣ କଲେ କାହିଁକି? ଏବେ ଏହିଭଳି ପ୍ରଶ୍ନ ଉଙ୍କି ମାରିଛି। ଆହୁରି ମଧ୍ୟ କୋର୍ଟ ପକ୍ଷରୁ ସମନ ନଥିବା ବେଳେ କିଏ ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ ସମନ କଥା କହିଥିଲେ ବୋଲି ପ୍ରଶ୍ନ ଉଠିଛି।

ଅଭିଯୁକ୍ତର ବୟାନରେ ତାଳମେଳ ରହୁନି
ଅଭିଯୁକ୍ତ ଗିରଫ, କୋର୍ଟ ଚାଲାଣ
ମୁତୟନ ହେଲେ ବନ୍ଧୁକଧାରୀ କର୍ମଚାରୀ

ଏ ସମ୍ପର୍କରେ ବ୍ରହ୍ମପୁର ଏସ୍.ପି ଡା. ଶରବଣା ବିବେକ୍‌.ଏମ୍‌ କହିଛନ୍ତି, ‘ ଅଭିଯୁକ୍ତ ବିରୋଧରେ ୪ଟି ଅପରାଧିକ ମାମଲା ରହିଛି। ତା’ ମାନସିକ ଅବସ୍ଥା ଭଲ ନଥିବା ଭଳି ଜଣାପଡୁଛି। ପଚରାଉଚରା ବେଳେ ସେ ସ୍ପଷ୍ଟ ଭାବେ କିଛି କହିନାହିଁ। ’ ‘ ଗତକାଲି କୋର୍ଟ ସମନ ରହିଥିବା ନେଇ କେହି ଜଣେ ତାକୁ କୁଆଡ଼େ କହିଥିଲେ। ଏକଥା ଶୁଣି ସେ କୋର୍ଟକୁ ଯାଇଥିବା କହୁଛି। କୋର୍ଟରେ ପହଞ୍ଚିବାପରେ ଭଗବାନ ନିଜ ସମନ ବିଷୟରେ ଜଣକୁ କୁଆଡ଼େ ପଚାରିଥିଲା ବୋଲି କହୁଛି। ତେବେ କିଏ ସମନ ଥିବା ବିଷୟ କହିଥିଲା ଏବଂ କୋର୍ଟରେ କାହାକୁ ପଚାରିଥିଲା ସେଥିନେଇ ପଚାରିବା ବେଳେ ମୁଁ ଜାଣିନାହିଁ ବୋଲି କହୁଥିବା,’ ଏସ୍‌ପି ଡା. ବିବେକ କହିଛନ୍ତି। ତେବେ, ଅଭିଯୁକ୍ତର ତାଳମେଳ ନଥିବା ବୟାନ ଆଧାରରେ ତଦନ୍ତ କରାଯିବ ବୋଲି ଏସ୍‌ପି କହିଛନ୍ତି।

ଅନ୍ୟପକ୍ଷରେ, ଏସ୍‌ଡିଜେଏମ୍‌ଙ୍କ କାର୍ଯ୍ୟାଳୟର ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଅଭିଯୋଗ ଆଧାରରେ ଆଜି ବୈଦ୍ୟନାଥପୁର ଥାନା ପୁଲିସ କେସ୍‌ ନଂ ୪୧୫/୨୨ରେ ମାମଲା ରୁଜୁ କରିବା ସହ ଗିରଫ କରି ସିଜେଏମ୍‌ଙ୍କ କୋର୍ଟରେ ହାଜର କରାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଗତକାଲିର ଘଟଣା ପରେ କୋର୍ଟ ଏବଂ ବିଚାରପତିଙ୍କ ବାସଭବନରେ ବନ୍ଧୁକଧାରୀ ପୁଲିସ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ଏସ୍‌ପି ଡା. ଶରବଣା ବିବେକ୍‌ ଏମ୍‌ ପ୍ରକାଶ କରିଛନ୍ତି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତକାଲି ଅପରାହ୍ନ ପ୍ରାୟ ୨ଟା ସମୟରେ ଅଭିଯୁକ୍ତ ଭଗବାନ କୋର୍ଟ ହଲ୍‌ରେ ପଶି ଏସ୍‌ଡିଜେଏମ୍‌ଙ୍କ ବେକରେ ଛୁରି ଲାଗାଇଥିଲା।