ଦିନେ ଖେଳ ପଡ଼ିଆରୁ ଗୌରବ ସାଉଁଟୁଥିଲେ, ଏବେ ନିଜ ହାତରେ ଖାଇବାକୁ ବି ଅସମର୍ଥ ରୋହନ୍‌

ଚିକିତ୍ସା ପାଇଁ ମା’ଙ୍କ ଆକୁଳ ନିବେଦନ

ସମ୍ବଲପୁର : ଦିନେ ଖେଳପଡ଼ିଆରେ ଆଣ୍ଠୁରେ ଦଉଡ଼ି ସମସ୍ତଙ୍କ ହୃଦୟ ଜିଣୁଥିଲେ। ଜାତୀୟ ଓ ରାଜ୍ୟ ସ୍ତରରେ ଅନେକ ପଦକ ଓ ପୁରସ୍କାର ଜିତିଥିଲେ ଦିବ୍ୟାଙ୍ଗ ବାଳକ ରୋହନ୍‌ ସରାଫ୍। ବହୁ ପ୍ରତିଭାର ଅଧିକାରୀ ରୋହନ ସ୍ପେସିଆଲ୍ ଅଲିମ୍ପିକ୍ସ ଭାରତ ତଥା କ୍ରୀଡ଼ା ଓ ଯୁବସେବା ମନ୍ତ୍ରଣାଳୟ ସମେତ ବିଭିନ୍ନ ଅନୁଷ୍ଠାନରୁ ଅନେକ ସମ୍ମାନଜନକ ପଦକ, ପୁରସ୍କାର ଜିତିଛନ୍ତି। ଭିନ୍ନକ୍ଷମ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାବିତ୍‌ଙ୍କ ପ୍ରୋତ୍ସାହନ ପାଇଁ ଆୟୋଜିତ ଉତ୍ସବରେ ୨୫ ହଜାର ଟଙ୍କା ଏବଂ କ୍ରୀଡ଼ା ମନ୍ତ୍ରୀ ୨୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଥିଲେ। ଜନ୍ମରୁ ହାତ ଗୋଡ଼ରେ ଖଞ୍ଜା ନ ଥିବା ସତ୍ତ୍ବେ ଭିନ୍ନକ୍ଷମ ରୋହନ୍‌ ଯୁବାବସ୍ଥା ପର୍ଯ୍ୟନ୍ତ ସ୍ବାଭାବିକ ଓ ସାଧାରଣ ଜୀବନ ଧାରଣ କରିଥିଲେ। ଖେଳକୁଦରୁ ଆରମ୍ଭ କରି ନିଜର ସବୁ କାମ ନିଜେ କରୁଥିଲେ। ସମ୍ବଲପୁରର ନୃସିଂହ ଗୁରୁ ଟାଉନ୍‌ ହାଇସ୍କୁଲ୍‌ରୁ ସଫଳତାର ସହ ମାଟ୍ରିକ୍ ପାସ୍‌ କରିଥିଲେ। +୨ରେ ନାମ ଲେଖାଇ ପାଠ ପଢ଼ୁଥିଲେ। ଭିନ୍ନକ୍ଷମ ହେଲେ ବି ପୁଅକୁ ନେଇ ଗର୍ବ କରୁଥିଲା ସରାଫ୍‌ ପରିବାର।

କିନ୍ତୁ ହଠାତ୍‌ ରୋହନ୍‌ଙ୍କ ଶରୀରରେ ଅସାଧାରଣ ପରିବର୍ତ୍ତନ ଆସିଲା। ଚଳଚଞ୍ଚଳ ରୋହନ୍ ୧୭ ବର୍ଷ ବୟସରେ ଏକ ଦୁଃସାଧ୍ୟ ‌େରାଗରେ ପୀଡ଼ିତ ହୋଇ ସଂପୂର୍ଣ୍ଣ ଅକର୍ମଣ୍ୟ ହୋଇଗଲେ। ୮ ଅକ୍ଟୋବର ୨୦୦୨ରେ ଜନ୍ମିତ ରୋହନ୍‌ଙ୍କର ମେରୁଦଣ୍ଡ ୨୦୧୮ ଶେଷ ଭାଗରେ ବଙ୍କେଇବା ଆରମ୍ଭ କଲା। ୨୦୧୯ ବେଳକୁ ମେରୁଦଣ୍ଡ ସହ ତାଙ୍କ ଶରୀର ଡାହାଣ ପାର୍ଶ୍ବକୁ ଧନୁ ଭଳି ବଙ୍କା ହୋଇଗଲା। ରୋହନ୍‌ଙ୍କ ଶରୀର ଏକପ୍ରକାର ଅଚଳ ହୋଇଗଲା। ନିଜେ ନିଜ କାମ କରିପାରିଲେ ନାହିଁ। ନିଜେ ଖିଆପିଆ କରିପାରିଲେ ନାହିଁ କି ଦସ୍ତଖତ ସୁଦ୍ଧା ଦେଇ ପାରିଲେ ନାହିଁ। କଡ଼ ଲେଉଟାଇବାଠୁ ଆରମ୍ଭ କରି ଦୈନନ୍ଦିନ ନିତ୍ୟକର୍ମ ପାଇଁ ସେ ଅନ୍ୟ ଉପରେ ନିର୍ଭରଶୀଳ ହୋଇଗଲେ। ଏହାପରେ ତାଙ୍କ ପାଠପଢ଼ାରେ ଡୋରି ବନ୍ଧା ହୋଇଥିଲା। +୨ ପରୀକ୍ଷା ଆଉ ଦେଇ ପାରିଲେ ନାହିଁ।

ସମ୍ବଲପୁର ମହାନ୍ତିପଡ଼ା ନିବାସୀ ରୋହନ୍‌ଙ୍କ ପିତା ଦିଲୀପ ସରାଫଙ୍କର ଏକ ଛୋଟ ପାନ ମସଲା ଦୋକାନ ରହିଛି ଯାହା ଆଜିକାଲି ଠିକ୍‌ରେ ଚାଲୁ ନାହିଁ। ମାଆ କଳ୍ପନା ଜଣେ ଗୃହିଣୀ ଓ ଏବେ ଦିନରାତି ରୋହନ୍‌ର ସେବାରେ ଲାଗିଛନ୍ତି। ହଠାତ୍‌ ପୁଅର ଏଭଳି ଅବସ୍ଥାରେ ଲୁହ ଗଡ଼ାଇବା ଛଡ଼ା ଆର୍ଥିକ ଦୁର୍ବଳ ଏହି ଦମ୍ପତିଙ୍କର ଅନ୍ୟ ପନ୍ଥା ନାହିଁ। ବିରଳ ରୋଗରେ ପୀଡ଼ିତ ରୋହନ୍‌ଙ୍କ ଚିକିତ୍ସା ପାଇଁ ବୁର୍ଲା ଓ ସମ୍ବଲପୁରର ଡାକ୍ତର ମାନେ ଅସାମର୍ଥ ପ୍ରକାଶ କରିଛନ୍ତି। ପୁଅକୁ ଏମ୍‌ସ ଭଳି କୌଣସି ଉନ୍ନତ ଡାକ୍ତରଖାନାରେ ଚିକିତ୍ସା କରାଇବା ପାଇଁ ମାଆ କଳ୍ପନା ଚାହୁଁଥିଲେ ବି ଏଥି ପାଇଁ ତାଙ୍କର ଶକ୍ତି ସାମର୍ଥ୍ୟ ଜୁଟୁ ନାହିଁ। ତେଣୁ ଏକଦା ରାଜ୍ୟ ପାଇଁ ଖେଳି ଗୌରବ ଆଣିଥିବା ଏହି ଭିନ୍ନକ୍ଷମ ବାଳକଙ୍କୁ ଉନ୍ନତ ଚିକିତ୍ସାରେ ସରକାର ସହାୟତା କଲେ ସେମାନେ ଉପକୃତ ହୁଅନ୍ତେ ବୋଲି ‘ସମ୍ବାଦ’ ସହ କଥାବାର୍ତ୍ତା ବେଳେ ତାଙ୍କ ମା’ ନିବେଦନ କରିଛନ୍ତି। ରୋହନ୍‌ଙ୍କ ଚିକିତ୍ସା ପାଇଁ କେହି ସହାୟତା କରିବାକୁ ଚାହୁଁଥିଲେ ମୋବାଇଲ୍‌ ନମ୍ବର ୯୬୬୮୧୬୭୩୯୪ ବା ୯୩୩୭୨୯୬୧୩୦ରେ ଯୋଗାଯୋଗ କରିପାରିବେ।

ସମ୍ବନ୍ଧିତ ଖବର