ସମ୍ବଲପୁର: ସାଧାରଣ ନିର୍ବାଚନ ସରିବା ୭ମାସରୁ ଅଧିକ ହେଲାଣି। ହେଲେ, ସମ୍ବଲପୁର ବିଧାନସଭା କ୍ଷେତ୍ରରେ ବିଜେଡି ନେତା ରୋହିତ ପୂଜାରୀ ଓ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଥମିବାର ନାଁ ନେଉନି। ନିର୍ବାଚନରେ ନିଜ ପରାଜୟକୁ ସହଜରେ ଗ୍ରହଣ କରି ପାରୁନଥିବା ରୋହିତ ପୂଜାରୀ ସଭାସମିତି ହେଉକି ସାମାଜିକ ଗଣମାଧ୍ୟମ; ପ୍ରାୟତଃ ଜୟନାରାୟଣ ମିଶ୍ରଙ୍କୁ ଟାର୍ଗେଟ୍‌ କରୁଛନ୍ତି। ନିଜ ଶବ୍ଦବାଣରେ ପ୍ରତିପକ୍ଷକୁ ଘାଇଲା କରିବାରେ ସିଦ୍ଧହସ୍ତ ଜୟନାରାୟଣ ମଧ୍ୟ ପାଲଟା ଜବାବ ଦେଉଛନ୍ତି। କିଛିଦିନ ଅନ୍ତରରେ ରୋହିତ ଆଜି ପୁଣି‌ ନିର୍ବାଚନ ସମୟର ପ୍ରସଙ୍ଗ ଉଠାଇଛନ୍ତି। ସମ୍ବଲପୁର ଜିଲ୍ଲାର ବିଭିନ୍ନ ସମସ୍ୟାକୁ ନେଇ ବିଜେଡି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସମୟରେ ରୋହିତ କହିଲେ, ଜୟନାରାୟଣ ନିର୍ବାଚନ ସମୟରେ ଜଣେ ମାଫିଆଙ୍କୁ ‘ଘେଁସରାବେ’ ବୋଲି କହିଥିଲେ। ହେଲେ, ତାଙ୍କ ନାଁ’ ତ ‌କେବେ କହିଲେ ନାହିଁ। ଆଉ କେବେ ତାଙ୍କୁ ‘ଘେସଁରାବେ’?  

ମାଫିଆଙ୍କୁ କେବେ ଘେଁସରାବେ ଜୟନାରାୟଣ: ରୋହିତ
ରୋହିତ ଜଣେ କଳାବେପାରୀ: ଜୟନାରାୟଣ

Advertisment

ଗତ ୨୧ ବର୍ଷ ମଧ୍ୟରେ ଜୟନାରାୟଣ ବିଧାନସଭା ଭିତରେ ହେଉ କି ବାହାରେ ହେଉ; କେବେ ବି ସଟ୍ଟା କାରବାର ବିରୋଧରେ ମୁହଁ ଖୋଲିନାହାନ୍ତି।  କୋରେକ୍ସ, ନିଶା କାରବାରକୁ ‌ନେଇ ସେ ସବୁବେଳେ ଚୁପ୍ କାହିଁକି ବୋଲି ପ୍ରଶ୍ନ କରିଛନ୍ତି। କାହାର ଛତ୍ରଛାୟା ତଳେ ସମ୍ବଲପୁରରେ ଏସବୁ ବେଆଇନ କାରବାର ଚାଲିଛି ବୋଲି ରୋହିତ ଆକ୍ରମଣ କରିଛନ୍ତି। ସମ୍ବଲପୁରରେ ଚାଲିଥିବା ଜବରଦଖଲ ଉଚ୍ଛେଦ ପ୍ରସଙ୍ଗ ବି ଉଠାଇଛନ୍ତି। ମନଇଚ୍ଛା ଦୋକାନ, ଘର ଆଦି ଭଙ୍ଗାରୁଜା ଚାଲିଛି। ସମୟ ଦିଆଯାଉ ନାହିଁ କି ସେମାନଙ୍କ ସହିତ ଆଲୋଚନା ବି କରାଯାଉ ନାହିଁ। ରାସ୍ତାକଡ଼ରେ ଦୋକାନ କରି ନିଜ ପରିବାର ପୋଷୁଥିବା ଲୋକେ ଯିବେ କୁଆଡ଼େ ବୋଲି ରୋହିତ ପ୍ରଶ୍ନ କରିଛନ୍ତି। ଅପରପକ୍ଷରେ ଜୟନାରାୟଣ ବି ଏହାର କଡ଼ା ଜବାବ ରଖିଛନ୍ତି। ଆମେ କୌଣସି ବେପାରୀଙ୍କ ସହିତ ସଂପୃକ୍ତ ନୋହୁଁ। ତେବେ ପାଣ୍ଡିଆନ୍‌ କିଏ, ପ୍ରଭାକରନ୍ କିଏ? ତାହା ସମସ୍ତେ ଜାଣିବା କଥା। ସେମାନେ ଓଡ଼ିଶାରେ କେମିତି ବେପାର କରିଛନ୍ତି? ରୋହିତ ଜଣେ ‌ବେପାରୀ। ତାଙ୍କ ପାର୍ଟି ବି ବେପାର କରୁଥିବା ଏକ ପାର୍ଟି, ବେପାରୀଙ୍କ ପାର୍ଟି। ସେ ଜଣେ କଳାବେପାରୀ। ତାଙ୍କ ‘ଖାନ୍‌ଦାନ୍‌’ରେ ଏସବୁ ରହିଛି, ତେଣୁ ରୋହିତ ଏଭଳି କଥା କହୁଛନ୍ତି। ରୋହିତଙ୍କ ବାପାଙ୍କ ଉପରେ ବି ଅଙ୍ଗୁଳି ଉଠାଇବାକୁ ଜୟନାରାୟଣ ପଛେଇ ନାହାନ୍ତି।