ଭୁବନେଶ୍ବର : ରାଜ୍ୟ ରାଜନୀତି ଓ ପ୍ରଶାସନରେ ଆଜି ହଲ୍‌ଚଲ୍‌ ସୃଷ୍ଟି ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଖାସ୍ତ କରିଛନ୍ତି। ତାଙ୍କ ପଛରେ ‘ଅପାରଗ ମନ୍ତ୍ରୀ’ର ଟ୍ୟାଗ୍‌ ଲଗାଇ ମନ୍ତ୍ରିମଣ୍ଡଳରୁ ବିଦା କରିଦେଇଛନ୍ତି। ଏହା ସହ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ବି ବଦଳି କରାଯାଇଛି। ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସ୍‌ଡି ଭାବେ ଅବସ୍ଥାପିତ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କର ଏମିତି ଅତର୍କିତ କାର୍ଯ୍ୟାନୁଷ୍ଠାନ ପାୱାର୍‌ କରିଡର୍‌‌ରେ ଆଲୋଡ଼ନ ଖେଳାଇଛି।

Advertisment

କଂଗ୍ରେସରୁ ରାଜନୈତିକ କ୍ୟା‌ରିୟର୍‌ ଆରମ୍ଭ କରିଥିବା ଶ୍ରୀ ପୂଜାରୀ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗ ଦେଇଥିଲେ। ୨୦୧୪ରୁ ଲଗାତାର ଦୁଇଥର ରେଢ଼ାଖୋଲରୁ ବିଜୟୀ ହୋଇ ଆସୁଛନ୍ତି। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ କାର୍ଯ୍ୟ କରିଥିଲେ। ପୁନର୍ବାର ୨୦୧୯ ସେପ୍ଟେମ୍ବରରୁ ୨୦୨୨ ଜୁନ୍‌ ୪ ତାରିଖ ଯାଏ ଦ୍ବିତୀୟ ଥର ଉପମୁଖ୍ୟ ସଚେତକ ରହିଲେ। ୨୦୨୨ ଜୁନ୍ ୫ ତାରିଖରେ ମନ୍ତ୍ରିମଣ୍ଡଳର ପୁନର୍ଗଠନ ବେଳେ ଶ୍ରୀ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯାଇଥିଲା। ଉଚ୍ଚଶିକ୍ଷା ପରି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ବି ଦିଆଯାଇଥିଲା। କିନ୍ତୁ ଗୋଟିଏବର୍ଷ ପରେ ମୁଖ୍ୟମନ୍ତ୍ରୀ ତାଙ୍କ ଉପରୁ ଭରସା ତୁଟାଇ ଦେଇଛନ୍ତି। ନିର୍ବାଚନ ବର୍ଷରେ ତାଙ୍କ ପାଇଁ ଏହା ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହେବ, ଏଥିରେ ସନ୍ଦେହ ନାହିଁ।

ଶ୍ରୀ ପୂଜାରୀଙ୍କୁ ବିଦା କରିବାର କାରଣ ଭାବେ ଦର୍ଶାଯାଉଛି ଯେ ନିକଟରେ ମୁଖ୍ୟମନ୍ତ୍ରୀ ସବୁ ବିଭାଗର ପ୍ରଦର୍ଶନକୁ ନେଇ ସମୀକ୍ଷା କରିଥିଲେ। ଏହି ସମୀକ୍ଷା ବେଳେ ଉଚ୍ଚଶିକ୍ଷା ବିଭାଗ ସବା ତଳେ ରହିଥିଲା। ସେଥି ପାଇଁ ଏପରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ କ୍ଷେତ୍ରରେ ମନ୍ତ୍ରୀଙ୍କ ପ୍ରଦର୍ଶନ ଖରାପ ଥିଲା, ସେ ସମ୍ପର୍କରେ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନି। ଶ୍ରୀ ପୂଜାରୀଙ୍କୁ ବାଦ୍ ଦେବା ପାଇଁ ରାଜ୍ୟପାଳଙ୍କୁ ମୁଖ୍ୟମନ୍ତ୍ରୀ ଆଜି ସୁପାରିସ୍‌ କରିଥିଲେ। ସେହି ଆଧାରରେ ରାଜ୍ୟପାଳ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ଦେଇଛନ୍ତି। ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚ୍ଚୀ ନାୟକଙ୍କୁ ଉଚ୍ଚଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି।

କେବଳ ଖରାପ ପ୍ରଦର୍ଶନ ପାଇଁ ଶ୍ରୀ ପୂଜାରୀଙ୍କୁ ବାଦ୍ ଦିଆଗଲା ନା ଏହାପଛରେ କିଛି ରାଜନୈତିକ କାରଣ ରହିଛି ତାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ନିକଟରେ ହୋଇଥିବା ଝାରସୁଗୁଡ଼ା ଉପନିର୍ବାଚନରେ ଶ୍ରୀ ପୂଜାରୀଙ୍କୁ ପ୍ରଚାର କାର୍ଯ୍ୟରୁ ଦୂରେଇ ରଖାଯାଇଥିଲା। ସେ ପଶ୍ଚିମ ଓଡ଼ିଶାକୁ ପ୍ରତିନିଧିତ୍ବ କରୁଥିଲେ ମଧ୍ୟ ସେଠାରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ରଖାଯାଉଥିଲା। ୬୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନିର୍ବାଚନ ଲଢ଼ିବା ଉଚିତ ନୁହେଁ ବୋଲି ଶ୍ରୀ ପୂଜାରୀ ନିକଟରେ ଏକ ମନ୍ତବ୍ୟ ଦେଇଥିଲେ। ତାହାକୁ ନେଇ ଦଳୀୟ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା। ନିକଟରେ ଶ୍ରୀ ପୂଜାରୀ ସିଙ୍ଗାପୁର ଯାଇ ସେଠାରେ ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିଥିଲେ। ସୂଚନାଯୋଗ୍ୟ ଯେ ଦୁଇଦିନ ପୂର୍ବରୁ ଶ୍ରୀ ପୂଜାରୀଙ୍କ ବ୍ୟକ୍ତିଗତ ସଚିବ ସୁଧାକର ନାୟକଙ୍କୁ ପ୍ରତ୍ୟାହାର କରିନିଆଯାଇଥିଲା। ସେବେଠାରୁ ଶ୍ରୀ ପୂଜାରୀଙ୍କୁ ନେଇ ତୃତୀୟ ମହଲାରେ ଅସନ୍ତୋଷ ରହିଥିବାର ଆଭାସ ମିଳିଥିଲା।

କେବଳ ମନ୍ତ୍ରୀ ଯେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିଛନ୍ତି ତାହା ନୁହେଁ। ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ବି ବଦଳି କରାଯାଇଛି। ମହିଳା ଓ ଶିଶୁ ବିକାଶ ବିକାଶ ବିଭାଗର ନିର୍ଦ୍ଦେଶକ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ବିଭାଗର ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଇବେ। ଶ୍ରୀ ସେଠୀଙ୍କଠାରୁ ଓଏଚ୍‌ପିସି ଅଧ୍ୟକ୍ଷ ଭାବେ ଦିଆଯାଇଥିବା ଅତିରିକ୍ତ ଦାୟିତ୍ବ ବି କାଢ଼ିନିଆଯାଇଛି। ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ ଦେବଙ୍କୁ ଓଏଚ୍‌ପିସିର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। କୌଣସି ଆଇଏଏସ୍‌ ଅଧିକାରୀଙ୍କ ଉପରେ ସରକାର ଅସନ୍ତୁଷ୍ଟ ଥିଲେ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ‘ଓଏସ୍‌ଡି’ ପଦବିରେ ରଖାଯାଏ। ଶ୍ରୀ ସେଠୀଙ୍କୁ ଏବେ ସେହି ପଦବି ଦିଆଯାଇଛି।