କୁନି ଧାବକ ରୋହିତ, ସକାଳୁ ଦୌଡ଼ୁଛନ୍ତି ୧୦ କିଲୋମିଟର

ଚଣ୍ଡିଖୋଲ: ବୟସ ମାତ୍ର ଆଠ ବର୍ଷ। ସେଥିରେ ଦୈନିକ ସକାଳୁ ୧୦ ରୁ ୧୨ କିଲୋମିଟର ଦୌଡ଼ୁଛନ୍ତି କୁନି ଧାବକ ରୋହିତ। ଏହି ବାଳକ ଜଣକ ହେଉଛନ୍ତି ବଡ଼ଚଣା ବ୍ଲକ୍‌ ଦର୍ପଣ ପଞ୍ଚାୟତ ତଥା ଦର୍ପଣ ଗ୍ରାମର ନିର୍ମଳ ବେହେରାଙ୍କ ବଡ଼ପୁଅ ରୋହିତ। ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ରୋହିତ ଗତ ୬ ମାସ ତଳୁ ଦୌଡ଼ ଅଭ୍ୟାସ କରୁଛନ୍ତି। ପ୍ରତିଦିନ ସକାଳୁ ତାଙ୍କ ଗାଁ ଦର୍ପଣ ଠାରୁ ସେ ଚଣ୍ଡିଖୋଲ ଛକ ପର୍ଯ୍ୟନ୍ତ ପ୍ରାୟ ୧୦ କିଲୋମିଟର ଦୌଡ଼ି ଦୌଡ଼ି ଆସିଥାନ୍ତି। ଦୌଡ଼ିବା ସମୟରେ ସେ କୌଣସି ସ୍ଥାନରେ ବିଶ୍ରାମ ନେଇ ନଥାନ୍ତି।

୬ ମାସ ଧରି ୧୦ କିଲୋମିଟର ଦୌଡ଼ିବା ପରେ ଏବେ ତାଙ୍କ ଇଚ୍ଛାଶକ୍ତି ବୃଦ୍ଧି ପାଇବାରେ ଲାଗିଛି। ଅଧିକ ରାସ୍ତା ଦୌଡ଼ିବା ପାଇଁ ସେ ଏବେ ସଜବାଜ ହେଉଛନ୍ତି। ରୋହିତ ହାତକଟା ଗଞ୍ଜି, ହାଫ ପ୍ୟାଣ୍ଟ ଓ ବିନା ମୋଜାରେ ଏକ ବୁଟ୍‌ ପିନ୍ଧି ପ୍ରତିଦିନ ସକାଳେ ଦୌଡ଼ିଥାନ୍ତି। ଲୋକମାନେ ତାଙ୍କ ଦୌଡ଼ ଦେଖି କୌତୂହଳୀ ହୋଇପଡ଼ନ୍ତି। ମୋବାଇଲ୍‌ ଫୋନ୍‌ରେ କୁନି ଧାବକ ବୁଦ୍ଧିଆ ସିଂଙ୍କ ଦୌଡ଼ିବା ଦେଖି ରୋହିତ ଦୌଡ଼ ପାଇଁ ମନ ବଳାଇଥିଲେ ବୋଲି କହିଛନ୍ତି। ଆର୍ଥିକ ଅବସ୍ଥା ଭଲ ନଥିବାରୁ ତାଙ୍କ ବାପା ନିର୍ମଳ ହାଇଦ୍ରାବାଦର ଏକ ହୋଟେଲରେ କାମ କରୁଛନ୍ତି। ପୁଅକୁ ପ୍ରଶିକ୍ଷଣ ଦିଆ ଯାଇପାରିଲେ ସେ ଆହୁରି ଆଗକୁ ଯାଇ ପାରନ୍ତା ବୋଲି କହନ୍ତି। କଠିନ ପରିଶ୍ରମ କରି ଭବିଷ୍ୟତରେ ବୁଦ୍ଧିଆ ସିଂ ପରି ସୁନାମ ଅର୍ଜନ କରିବେ ବୋଲି ମଧ୍ୟ ରୋହିତ ଆଶା ରଖିଛନ୍ତି। ଲକ୍ଷ୍ୟପୂରଣ ଦିଗରେ ରୋହିତଙ୍କୁ ସରକାର ସହଯୋଗ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର