ପାଣିକୋଇଲି : ଆସନ୍ତା ୧୫ ଦିନ ମଧ୍ୟରେ ପଲିଟେକ୍‌ନିକ ଛାତ୍ରୀ ରୋଜାଲିନ ପାତ୍ର ମୃତ୍ୟୁ ମାମଲାରୁ ପରଦା ହଟିବ। ଗୁରୁବାର ଦିନ ପାଣିକୋଇଲିସ୍ଥିତ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆନ୍ଦୋଳନକାରୀ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଆଲୋଚନାରେ ଏହି ପ୍ରତିଶ୍ରୁତି ଦିଆଯାଇଛି। କୋରେଇ ଥାନା ଅନ୍ତର୍ଗତ ରଗଡ଼ିସ୍ଥିତ ସରକାରୀ ପଲିଟେକ୍‌ନିକର ଡିପ୍ଲୋମା ଶେଷବର୍ଷ ଛାତ୍ରୀ ଜେନାପୁର ଥାନା ଷଣ୍ଢପୁର ଗ୍ରାମର ଅମୂଲ୍ୟ ପାତ୍ରଙ୍କ ଝିଅ ରୋଜାଲିନଙ୍କ ମୃତ୍ୟୁର ତିନିମାସ ପରେ ମଧ୍ୟ ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିପାରି ନାହିଁ। ଏହାର ପ୍ରତିବାଦରେ ଧର୍ମଶାଳାର ସାମାଜିକକର୍ମୀ ବି‌ଜେଡି ଯୁବନେତା ସତୀଶ ବିଶ୍ବାଳଙ୍କ ନେତୃତ୍ବରେ ରୋଜାଲିନର ପିତାମାତାଙ୍କ ସମେତ ଶତାଧିକ ଗ୍ରାମବାସୀ ଆଜି ପାଣିକୋଇଲିସ୍ଥିତ ଏସ୍‌ପିଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।

Advertisment

ଗତ ମାର୍ଚ୍ଚ ୨୭ ତାରିଖ ରୋଜାଲିନଙ୍କ ମୃତଦେହ ପଲିଟେକ୍ନିକ ହଷ୍ଟେଲ କୋଠରିରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ପୁଲିସ ଓ କଲେଜ କର୍ତ୍ତୃପକ୍ଷ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ପରିବାର ଲୋକେ ଏହା ଏକ ହତ୍ୟା ବୋଲି କହିଛନ୍ତି। ମୃତ୍ୟୁ ପୂର୍ବରୁ ଅନୁଷ୍ଠାନର ଜଣେ ଛାତ୍ର ଓ ଦୁଇଜଣ ଛାତ୍ରୀ ତାଙ୍କ ଝିଅକୁ ବିଭିନ୍ନ ଘଟଣାକୁ ନେଇ ରାଗିଂ କରୁଥିଲେ ବୋଲି ତାଙ୍କ ପିତା ଅମୂଲ୍ୟ ପାତ୍ର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ମାତ୍ର କୋରେଇ ପୁଲିସ ଘଟଣାକୁ ହାଲୁକା ଭାବେ ନେଇ ଏକ ମାମଲା ୮୦/୨୩, ଦଫା ୩୦୨, ୨୯୪, ୫୦୭, ୩୪ ରୁଜୁ କରି ଆଉ କୌଣସି ପଦକ୍ଷେପ ନେଇନାହିଁ। କେବଳ ସହପାଠୀମାନଙ୍କୁ ପଚରାଉଚରା ଯାହା କରାଯାଇଥିଲା। ଏହା ହତ୍ୟା ନା ଆତ୍ମହତ୍ୟା, ତା’ ଉପରୁ ପରଦା ଉଠାଇବାରେ ପୁଲିସ ବିଫଳ ହୋଇଛି। ରୋଜାଲିନଙ୍କ ମୋବାଇଲ ଫୋନ୍‌ରୁ ସିମ୍‌ ଗାଏବ ଥିବାରୁ ପ୍ରମାଣ ମିଳିପାରୁ ନାହିଁ ବୋଲି କୋରେଇ ପୁଲିସ କହିଥିଲା। ସହପାଠୀଙ୍କ ପରିବାରବର୍ଗ ସ୍ବଚ୍ଛଳ ବର୍ଗର ଥିବାରୁ ଘଟଣାକୁ ଚପାଇ ଦେବା ଲାଗି ଚେଷ୍ଟା କରାଯାଇଛି ବୋଲି ରୋଜାଲିନଙ୍କ ପିତାମାତା ଅଭିଯୋଗ କରିଛନ୍ତି। ଗୁରୁବାର ଦିନ ସତୀଶ ବିଶ୍ବାଳଙ୍କ ନେତୃତ୍ବରେ ପରିବାର ଓ ଗ୍ରାମବାସୀ ଏସ୍‌ପି ଭିନିତ ଅଗ୍ରୱାଲଙ୍କୁ ଭେଟି ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବା ଲାଗି ଦାବି ଜଣାଇଛନ୍ତି।