ରାଉରକେଲା: ସ୍ମାର୍ଟସିଟି ରାଉରକେଲାରେ ରୋକିହେଉନି ହଇଜା ସଂକ୍ରମଣ। ଜିଲ୍ଲା ପ୍ରଶାସନ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବା କହୁଥିଲାବେଳେ ଗତକାଲି ରାତିରେ ହଇଜା ପୁଣି ଆଉ ଜଣଙ୍କର ଜୀବନ ନେଇଛି। ମୃତକ ହେଲେ କୁଆରମୁଣ୍ଡା ବ୍ଲକ୍‌ ଜଲଙ୍ଗବିରା ପଞ୍ଚାୟତ ଅନ୍ତର୍ଗତ ଜାହାରିଟୋଲିର ସୁବୋଧ ଟପ୍ପୋ (୨୪)। ଗତ ବୁଧବାର ରାଉରକେଲା ସରକାରୀ ଡାକ୍ତରଖାନା (ଆର୍‌ଜିଏଚ୍‌)ରେ ଭର୍ତ୍ତି ହୋଇଥିଲେ। ଗୁରୁବାର ତାଙ୍କୁ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌) ସ୍ଥାନାନ୍ତର କରାଯାଇଥିଲା। ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ବେସରକାରୀ ଭାବେ ମୃତ୍ୟୁ ସଂଖ୍ୟା ୧୬ରେ ପହଞ୍ଚିଛି।‌

Advertisment

ସଂଧ୍ୟା ସୁଦ୍ଧା ଆର୍‌ଜିଏଚ୍‌ରେ ୫୩ ଓ ହାଇଟେକ୍‌ ମେଡ଼ିକାଲ କଲେଜରେ ୧୪, ଜେପି ଓ ଅନ୍ୟାନ୍ୟ ଘରୋଇ ହସ୍ପିଟାଲରେ ୩୦ରୁ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି। ହଇଜାଜନିତ ମୃତ୍ୟୁ ସଂଖ୍ୟାକୁ ନେଇ ଆଜି ଜିଲ୍ଲା ପ୍ରଶାସନ ମତ ବଦଳାଇବା, ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୬ ନୁହେଁ ୯ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର କହିଛନ୍ତି। ସେ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଉରକେଲା ସହରର ସମସ୍ତ ୧୦ଟି ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରଗୁଡିକ ୨୪ ଘଣ୍ଟା ଖୋଲା ରଖାଯାଇଛି। ହଇଜା ନୁହେଁ ଡାଇରିଆଜନିତ ମୃତ୍ୟୁର ଚିହ୍ନଟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଅଧିକାରୀଙ୍କ ନେତୃତ୍ବରେ ଏକ ଅଡିଟ୍ କମିଟି ଗଠନ କରାଯାଇଥିଲା। ଅଡିଟ୍ କମିଟିର ରିପୋର୍ଟ ଅନୁସାରେ ବର୍ତ୍ତମାନ ସୁଦ୍ଧା ଡାଇରିଆରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ସଂକ୍ରମଣ ହାର ହ୍ରାସ ପାଉଛି। ଡାଇରିଆ ପରିସ୍ଥିତିର ପ୍ରକୃତ କାରଣ ଜାଣିବା ପାଇଁ ଆଞ୍ଚଳିକ ଚିକିତ୍ସା ଅନୁସନ୍ଧାନ କେନ୍ଦ୍ର (ଆରଏମଆରସି) ଓ ଏସସିବି ମେଡିକାଲର ଏକ ପ୍ରତିନିଧି ଦଳ ନମୂନା ସଂଗ୍ରହ କରିଛନ୍ତି। ସହରର ଗଳିକନ୍ଦିରେ ଆଶା ଓ ଅଙ୍ଗନବାଡିକର୍ମୀଙ୍କ ମାଧ୍ୟମରେ ମଧ୍ୟ ପ୍ରତିକାର ମୂଳକ ପଦକ୍ଷେପ ନେବା ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଉଛି। ଏହା ସହ ରାପିଡ୍ ରେସ୍ପନ୍ସ ଟିମ୍ ମାଧ୍ୟମରେ ଘରକୁ ଘର ବୁଲି ଲକ୍ଷଣ ଥିବା ବ୍ୟକ୍ତିଙ୍କ ଚିକିତ୍ସାର ବ୍ୟବସ୍ଥା କରାଯାଉଛି।

ମୃତ୍ୟୁସଂଖ୍ୟା ୧୬ ଛୁଇଁଲା
୬ ନୁହେଁ ୯ ଜଣଙ୍କର ମୃତ୍ୟୁ: ଏଡିଏମ୍‌
‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌’ରେ ଖର୍ଚ୍ଚ ୮୬ କୋଟି
ସଂଗ୍ରହ ହେଲାଣି ୧୫୦୦ ପାଣି ନମୁନା

ସହରର ପ୍ରାୟ ୫୬ ହଜାରରୁ ଊର୍ଦ୍ଧ୍ବ ଓଆର୍‌ଏସ୍‌ ପ୍ୟାକେଟ ବଣ୍ଟନ କରାଯାଇଛି। ୬୮ ହଜାରରୁ ଅଧିକ ସଂଖ୍ୟକ ହାଲୋଜେନ୍ ବଟିକା ଦିଆଯାଇଛି। ୩୦ ହଜାରରୁ ଊର୍ଦ୍ଧ୍ୱ ସାବୁନ୍ ବଣ୍ଟନ କରାଯାଇଛି। ୱାଟକୋ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସହରରେ ପାଇପଗୁଡ଼ିକର ମରାମତି କରାଯାଇଥିଲା। ଏପର୍ଯ୍ୟନ୍ତ ରାଉରକେଲାରେ ପ୍ରାୟ ୧୫୦୦ରୁ ଊର୍ଦ୍ଧ୍ୱ ଜଳ ନମୂନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଛି। ବିଭିନ୍ନ ଖାଦ୍ୟ ଷ୍ଟଲ୍ ସମେତ ହୋଟେଲ ଓ ରେସ୍ତୋରାଁ ଗୁଡ଼ିକରେ ପ୍ରତିଦିନ ଖାଦ୍ୟର ଗୁଣବତ୍ତା ତଥା ମାନ ପରୀକ୍ଷଣ କରାଯାଉଛି। ଗତ ସପ୍ତାହକ ପୂର୍ବେ ଆର୍‌ଜିଏଚ୍‌ର ଡାକ୍ତର ପାଣିରୁ ହଇଜା ବ୍ୟାପୁଛି ବୋଲି ସ୍ପଷ୍ଟ କରିଥିଲେ। ହେଲେ ଡାକ୍ତରଙ୍କ ରିପୋର୍ଟକୁ ଜିଲ୍ଲା ପ୍ରଶାସନ ସହଜରେ ଗ୍ରହଣ କରିପାରୁନି। ଅଦ୍ୟାବଧି ବିଭିନ୍ନ ବିଭାଗ ପକ୍ଷରୁ ବସ୍ତି ଓ କଲୋନିରେ କାରଣ ଖୋଜା ଚାଲିଛି। କେବେ ହଇଜାର ସଠିକ୍‌ କାରଣ ଜଣାପଡ଼ିବ, କାହାରି ପାଖରେ ଉତ୍ତର ନାର୍ହି। ଅନ୍ୟପଟେ ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି)ରେ ‘ ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‌ ଯୋଜନାରେ ୮୫ କୋଟି ୯୧ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି। ଏବେ ବି ସହରର ଅଧିକାଂଶ ବସ୍ତିକୁ ଗୋଳିଆ ପାଣି ଯୋଗାଣ ହେଉଛି। ଠିକା ସଂସ୍ଥା ନିମ୍ନମାନର କାମରୁ ସହରରେ ଏଭଳି ସ୍ଥିତି ଉପୁଜିଲା ବୋଲି କୁହାଯାଉଛି।