ଜଗତସିଂହପୁର/ତିର୍ତ୍ତୋଲ/ଝଙ୍କଡ଼: ଗଣତନ୍ତ୍ର ସୁରକ୍ଷିତ ରହିବା ପାଇଁ ସମ୍ବିଧାନ ସହିତ ସାମାଜିକ ସୁରକ୍ଷା ଦରକାର। ସମ୍ବିଧାନ ସୁରକ୍ଷିତ ରହିବା ପାଇଁ ନାଗରିକ ସମାଜ ଅଂଶବିଶେଷ। କିନ୍ତୁ ଅନୁଷ୍ଠାନଗୁଡ଼ିକ ଏବେ ଅବକ୍ଷୟମୁଖି। ସବୁଠୁ ବଡ଼ ଅବକ୍ଷୟମୁଖି ସାହିତ୍ୟ ଅନୁଷ୍ଠାନ। କାରଣ ଆମେ ସାରଳା ଦାସଙ୍କ ସମୟ କହିପାରୁନେ। ତେଣୁ ସାହିତ୍ୟ ବଞ୍ଚି ରହିବାରେ ନାଗରିକ ସମାଜର ଭୂମିକା ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି କହିଛନ୍ତି ‘ସମ୍ବାଦ’ ତଥା ‘ଆମଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

ତିର୍ତ୍ତୋଲ ତେନ୍ତୁଳିପଦା ଠାରେ ଆଦିକବି ସାରଳା ଦାସଙ୍କ ସମାଧିପୀଠ ନିକଟ ଆଦିକବି ଭବନ ପରିସରରେ ଆୟୋଜିତ ଝଙ୍କଡ଼ ସାହିତ୍ୟ ସଂସଦର ଦଶମ ବାର୍ଷିକ ସାରସ୍ବତ ସମ୍ମେଳନ-୨୦୨୪ରେ ମୁଖ୍ୟ ଅତିଥି ଭାବେ ଶ୍ରୀ ପଟ୍ଟନାୟକ ଯୋଗଦେଇ କହିଲେ ଯେ, ଏବେ ଅସ୍ମିତା ସମସ୍ତଙ୍କ ମନରେ ବସା ବାନ୍ଧିଛି। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ଗୃହମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଅସ୍ମିତା ପ୍ରସଙ୍ଗ ଉଠାଇଥିଲେ। ଯଦି ଅସ୍ମିତାର ବିଜୟ ହୋଇଛି ତା’ହେଲେ ଅହଙ୍କାରର ପରାଜୟ ହୋଇଛି। ମିଠା ଅହଙ୍କାର ଗ୍ରହଣୀୟ, କିନ୍ତୁ ଅତ୍ୟଧିକ ଅହଙ୍କାର କେବେ ବି ଗ୍ରହଣୀୟ ନୁହେଁ। ଯଦି ଅସ୍ତିତ୍ବ ଓ ଅସ୍ମିତା କଥାକୁ ବିଚାର କରିବାକୁ ଯିବେ ତା’ହେଲେ ସାହିତ୍ୟ ଗୋଟିଏ ମାଧ୍ୟମ। ସେହିପରି ଜୀବନରେ ୫ ‘ମ’ ଓ ୫ ‘ନ’କୁ ବ୍ରତ କରିବା ପାଇଁ ପରାମର୍ଶ ଦେଇଥିଲେ ଶ୍ରୀ ପଟ୍ଟନାୟକ। ୫ ‘ମ’ ଯେମିତି ମା’, ମାଟି, ମାତୃଭାଷାକୁ କେବେ ଭୁଲିବା ନାହିଁ। ଅନ୍ୟ ଦୁଇଟି ‘ମ’ ମୋବାଇଲ୍ ଫୋନ୍‌ର ବଶବର୍ତ୍ତୀ ହେବା ନାହିଁ ଓ ମଦ ମୁକ୍ତ ଓଡ଼ିଶା ଗଠନ କରିବା। ସେହିପରି ୫ ‘ନ’ ନିରୋଗ, ନିରାଡ଼ମ୍ବର ଜୀବନ, ନିରହଙ୍କାର, ନିଡ଼ର ଓ ନିଶାମୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ ଡ. ନଟବର ଶତପଥୀ ଯୋଗଦେଇ କହିଲେ, ଭାରତବର୍ଷର ସର୍ବପ୍ରଥମ ମହାଭାରତ ପ୍ରଣେତା ସାରଳା ଦାସ। ବ୍ୟାସଦେବ ମହାଭାରତ ରଚନା କରି ନ ଥିଲେ, କେବଳ ଶ୍ଳୋକ ଲେଖିଥିଲେ। ବଙ୍ଗଳା ମହାଭାରତ ଅନୁବାଦିତ ହୋଇଥିଲା। ହିନ୍ଦୀରେ ମହାଭାରତ ନାହିଁ। କେହି ଜଣେ ବ୍ରତୀ ଶ୍ୟାମସୁନ୍ଦର ରାଜଗୁରୁ ଲେଖିଥିଲେ ୧୪୩୫ରୁ ୧୪୭୦ ମଧ୍ୟରେ କପିଳେନ୍ଦ୍ର ଦେବ ରାଜାଙ୍କ ସମୟରେ ସାରଳା ଦାସଙ୍କ ସମୟ। ସମ୍ମାନିତ ଅତିଥି ଭାବେ ଯୋଗ ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲ୍ଲୀପ କୁମାର ଜେନା ଯୋଗଦେଇ ମା, ମାଟି ଓ ମାତୃଭାଷାକୁ କେବେ ବି ଭୁଲିବା ନାହିଁ ବୋଲି କହିଥିଲେ। ଝଙ୍କଡ଼ ସାହିତ୍ୟ ସଂସଦ ସଭାପତି ମହେନ୍ଦ୍ର ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ସୁରେନ୍ଦ୍ର ତ୍ରିପାଠୀ ଯୋଗ ଦେଇଥିବା ବେଳେ ସମ୍ପାଦକ ଗୋଲକ ବିହାରୀ ପଲାଇ ବାର୍ଷିକ ବିବରଣୀ ପାଠ କରିଥିଲେ। ସଂସଦର ମୁଖପତ୍ର ‘ଝଙ୍କଡ଼’ ପତ୍ରିକା ଉନ୍ମୋଚିତ ହୋଇଥିଲା। ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।ସାଂସ୍କୃତିକ କାର୍ଯ୍ୟକ୍ରମ ଘୋଡ଼ା ନାଚ ପରିବେଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ତିର୍ତ୍ତୋଲ ‘ସମ୍ବାଦ ସାହିତ୍ୟଘର’ ସମ୍ପାଦକ ବାସବ କୁମାର ନନ୍ଦ, କବି ରାଧାମୋହନ ଚୌଧୁରୀ, ସାରଳା ଦାସ ସାଂସ୍କୃତିକ ପରିଷଦ ସମ୍ପାଦକ ଚିତ୍ତରଞ୍ଜନ ପରିଜା, ନିତ୍ୟାନନ୍ଦ ନାୟକ, ବସନ୍ତ ମଞ୍ଜରୀ ଦାସ, ସବିତା ନାୟକ, ପ୍ରଭାତ କୁମାର ପରିଜା, ସୁରେଶ ଚନ୍ଦ୍ର ମହାନ୍ତି, ରାଜଶ୍ରୀ ସ୍ବାଇଁ, ହେମନ୍ତ କୁମାର ନାୟକ, ସୁରେନ୍ଦ୍ର ସାହୁ, ରମାକାନ୍ତ ରାଉଳ, ଉମାକାନ୍ତ ନାୟକ, ଅକ୍ଷୟ ନାୟକ, ଝୁଲରାମ ସାହୁ, ଦିଗମ୍ବର ରାଉତ, ପ୍ରଶାନ୍ତ ଦାସ, ଭାଗୀରଥି ମହାନ୍ତି, ନାରାୟଣ ଚନ୍ଦ୍ର ନାୟକ, ଆଦିକବି ସାରଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଜ୍ଞାନରଞ୍ଜନ ସାମନ୍ତରାୟ ଉପସ୍ଥିତ ଥିଲେ।