କେନ୍ଦ୍ରର ଭୂମିକା ସଚେତନ ଭୋଟରଙ୍କ ପ୍ରତି ଅପମାନ: ପିସିସି ସଭାପତି

କ୍ଷମତା ଲୋଭରେ ସାମ୍ବିଧାନିକ, ଗଣତାନ୍ତ୍ରିକ ମୂଲ୍ୟବୋଧ ହତ୍ୟା କରୁଛି ବିଜେପି: ନରସିଂହ

ଭୁବନେଶ୍ୱର : ରାଜସ୍ଥାନ ସରକାରଙ୍କୁ ଅସ୍ଥିର କରିବା ପାଇଁ କେନ୍ଦ୍ରରେ ନେତୃତ୍ବାଧୀନ ବିଜେପି ସରକାର ସମ୍ପୂର୍ଣ୍ଣ ଭାବେ ଉଦ୍ୟମ ଚଳାଇଛନ୍ତି। ଏହା ଗଣତନ୍ତ୍ର ପାଇଁ ବିପଦ। ଆଜି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରି ଏପରି କ୍ଷୋଭ ପ୍ରକାଶ କରିଛନ୍ତି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜାରି କହିଛନ୍ତି, ଆମ ଦେଶ ହେଉଛି ପୃଥିବୀର ସର୍ବୋବୃହତ୍ତମ ଗଣତନ୍ତ୍ର ରାଷ୍ଟ୍ର। ଆଜି ବିଜେପି ଗଣତନ୍ତ୍ର ଓ ସମ୍ବିଧାନକୁ ସମ୍ମାନ ଦେବା ପାଇଁ ପ୍ରସ୍ତୁତ ନୁହେଁ। ଘୋଡ଼ା ବେପାର ମାଧ୍ୟମରେ ସରକାରଙ୍କୁ ଭାଙ୍ଗିବା ତାଙ୍କର ଏକମାତ୍ର ଉଦ୍ଦେଶ୍ୟ। ମଧ୍ୟପ୍ରଦେଶରେ ଯେପରି ଭାବେ ସରକାର ଭାଙ୍ଗିଲେ ସେ କଥା ସମସ୍ତଙ୍କୁ ଜଣା। ଏବେ ରାଜସ୍ଥାନ ସରକାରଙ୍କୁ ସେଭଳି ଗାଦିଚ୍ୟୁତ କରିବାକୁ ଉଦ୍ୟମ ହେଉଛି। ସେଠାକାର ସରକାରଙ୍କ କ୍ୟାବିନେଟ୍‌ରେ ବିଧାନସଭା ଡାକିବାକୁ ପ୍ରସ୍ତାବ ପାରିତ ହେବା ପରେ ରାଜ୍ୟପାଳଙ୍କୁ ଅନୁରୋଧ କରାଗଲା। କିନ୍ତୁ ରାଜ୍ୟପାଳ ବିଧାନସଭା ଅଧିବେଶନ ଡାକୁନାହାନ୍ତି। ଏହାଦ୍ବାରା କି ସୁସ୍ଥ ପରମ୍ପରା ସୃଷ୍ଟି କରାଯାଉଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। ଆମେ ସମସ୍ତେ ସମ୍ମାନ ଦେଉଥିବା ଗଣତନ୍ତ୍ରକୁ ଭାରତୀୟ ଜନତା ପାର୍ଟି ଅସମ୍ମାନ କରିବାକୁ ପଛାଉନି। ଏପରି ଏକ ସମୟ ଆସି ପହଞ୍ଚିଛି ଯେଉଁଠି ସଚେତନ ନାଗରିକମାନେ ଗଣତନ୍ତ୍ରରେ ବିଶ୍ବାସ କରି ଭୋଟ ଦେଇ ସରକାର ନିର୍ବାଚିତ କରିଛନ୍ତି ତାକୁ ହଟାଇବାକୁ ସବୁ ପ୍ରକାର ଉଦ୍ୟମ ହେଉଛି। ଏହାଦ୍ବାର ସେହି ସଚେତନ ନାଗରିକମାନଙ୍କ ପ୍ରତି ଅପମାନ କରାଯାଉଛି। ଏଭ​ଳି ସ୍ଥିତିରେ ଗଣତନ୍ତ୍ର ରକ୍ଷା ପାଇଁ ସମସ୍ତେ ଆଗେଇ ଆସିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ କରିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏକ ପ୍ରେସ୍‌ ବିବୃତି ଜାରି କହିଛନ୍ତି, ବର୍ତ୍ତମାନର କେନ୍ଦ୍ର ସରକାରଙ୍କ ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସଂସ୍ଥାକୁ ଏପରି ଭାବରେ କ୍ଷୁର୍ଣ୍ଣ କରିଚାଲିଛନ୍ତି ଯେ ନ୍ୟାୟପାଳିକା ଉପରେ ବି ଏମାନଙ୍କର ଆଉ ଆସ୍ଥା ରହୁନି। ଶ୍ରୀ ମିଶ୍ର କହିଛନ୍ତି ରାଜସ୍ଥାନରେ କଂଗ୍ରେସ ସରକାର କରୋନା ଭୂତାଣୁ ସଂକ୍ରମଣ ମୁକାବିଲାରେ ବ୍ୟସ୍ତ ଥିବା ବେଳେ ଭାରତୀୟ ଜନତା ପାର୍ଟି ଏହି ସରକାରକୁ ଅସ୍ଥିର କରିବାରେ ବ୍ୟସ୍ତ ଅଛି। ମଣିପୁର, ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନ ଉପରେ ଏମାନଙ୍କର କ୍ଷମତା ଦଖଲ ପାଇଁ ଉଦ୍ୟମ ଚଳାଇଥିବା ସେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର