ଫିକି ମହିଳା ଶାଖା ଅନଲାଇନ୍ ଆଲୋଚନାଚକ୍ର : ଭାରତୀୟ ଅର୍ଥନୀତିରେ ମହିଳାମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତ ରଖିଲେ ଧର୍ମେନ୍ଦ୍ର
ଭୁବନେଶ୍ୱର: ଆଗାମୀ ଦିନରେ ମହିଳାମାନଙ୍କର ଭାରତୀୟ ଅର୍ଥନୀତିରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିବ । କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି। ଫେଡେରେସନ ଅଫ୍ ଇଣ୍ଡିଆନ ଚାମ୍ବର ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ମହିଳା ଶାଖାର ଏକ ଅନଲାଇନ ଆଲୋଚନାଚକ୍ରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, କରୋନା ମହାମାରୀ ସମୟରେ ସାରା ବିଶ୍ୱ ଏବଂ ଦେଶ ଡିଜିଟାଲ ଯୁଗର ସଠିକ୍ ଅନୁଭବ କରୁଛି । ଦେଶର ବର୍ତ୍ତମାନର ପରିସ୍ଥିତିରେ ମହିଳାମାନଙ୍କ ପରିଶ୍ରମ ଓ ଯୋଗଦାନର ଆର୍ଥିକ ଆକଳନ ହେଉ ନ ଥିଲା । ମାତ୍ର ଏବେ ଏହାର ଆକଳନ ହେବ ଏବଂ ମହିଳାମାନଙ୍କର ଆର୍ଥିକ ବିକାଶରେ ଯୋଗଦାନର ସଠିକ ମୂଲ୍ୟାଙ୍କନ ହେବ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ପୁରୁଷକୈନ୍ଦିକ ଅର୍ଥବ୍ୟବସ୍ଥାରେ ମହିଳାଙ୍କ ହାତକୁ ଅଧିକ ଆର୍ଥିକ କ୍ଷମତା ଆସିଲେ ପାଞ୍ଚ ଥର ଚିନ୍ତା କରି ମହିଳା ଖର୍ଚ୍ଚ କରିବେ । ଏହା ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଶୁଭଙ୍କର ହେବ । କରୋନା ମହାମାରୀ ସମୟରେ ମହିଳାଙ୍କ ଖାତାକୁ ଜନଧନ ଓ ଅନ୍ୟାନ୍ୟ ଅର୍ଥ ତଥା ଏଲପିଜି ସବସିଡି ଯାଇଛି । ଏହା ସମାଜର ଖରାପ ପରିସ୍ଥିତି ସମୟରେ ମହିଳାମାନଙ୍କୁ ଆହୁରି ସଶକ୍ତ କରିଛି ।
Interacted with senior members, past presidents, governing body members and several members of FICCI ladies organization across the country through a webinar, today.@ficci_india pic.twitter.com/zEoXW5cYOp
— Dharmendra Pradhan (@dpradhanbjp) May 30, 2020
ଶ୍ରୀ ପ୍ରଧାନ ତାଙ୍କ ମନ୍ତ୍ରାଳୟ ତରଫରୁ ଚାଲୁଥିବା ଘରେ ଘରେ ପାଇପଯୋଗେ ପିଏନଜି ଗ୍ୟାସ ଯୋଗାଣରେ ମହିଳାମାନଙ୍କୁ ଅଧିକ ମାତ୍ରାରେ ସାମିଲ କରିବା କଥା କହିଛନ୍ତି । ଏହା ସହ ବ୍ୟବହୃତ ଖାଇବା ତେଲ ତଥା ଘରୋଇ ଅଳିଆ ଆବର୍ଜନାରୁ ପେଟ୍ରୋଲ ଓ ଡିଜେଲଜାତୀୟ ଉର୍ଜା ଉତ୍ପାଦନର କେନ୍ଦ୍ରରେ ମହିଳାମାନେ ରହି ସେମାନଙ୍କର ଆର୍ଥିକ ପ୍ରଗତି କରିପାରିବେ ବୋଲି ସୂଚନା ଦେଇଛନ୍ତି । ତାଙ୍କ ମନ୍ତ୍ରାଳୟ ପିଏନଜି ଯୋଗାଣ, ସୁରକ୍ଷା, ରକ୍ଷଣାବେକ୍ଷଣ ଓ ବିଲ କଲେକ୍ସନ ଆଦି ଦାୟିତ୍ୱ ବିଭିନ୍ନ ମହିଳାମାନଙ୍କୁ ଦେବା ପାଇଁ ଚିନ୍ତା କରୁଥିବା ଶ୍ରୀ ପ୍ରଧାନ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସାରା ଦେଶରୁ ଶତାଧିକ ମହିଳା ଉଦ୍ୟୋଗୀ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।