ଗଡ଼ିଲା କୋଭିଡ୍‌ ସଚେତନତା ରଥ

ଭୁବନେଶ୍ବର: କୋଭିଡ୍‌ ସମ୍ପର୍କରେ ସଚେତନ କରାଇବ ‘କୋଭିଡ୍‌ ସଚେତନତା ରଥ’। ବାଲେଶ୍ବର, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଗଞ୍ଜାମ ଓ ଖୋର୍ଧାରେ କୋଭିଡ୍‌ ରଥ ବୁଲି ସଚେତନତା ସୃଷ୍ଟ କରିବ। ସମ୍ପୃକ୍ତ ଜିଲ୍ଲାର ପାରମ୍ପରିକ କଳାକାରମାନେ ଏହି ରଥରେ ସଚେତନତାର ମନ୍ତ୍ର ବୁଣିବେ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗ ଓ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୭ଟି ଜିଲ୍ଲା ପାଇଁ ୭ଟି ରଥକୁ ଆଜି ସଂସ୍କୃତି ଭବନ ନିକଟରୁ ଶୁଭାରମ୍ଭ କରାଯାଇଛି। ରଥ ଉପରେ ନାରାୟଣ ସ୍ବାଇଁ, ଅନ୍ତର୍ଯ୍ୟାମୀ ବାରିକ ଓ ସାଥୀଙ୍କ ଦ୍ବାରା ପାଲା ଓ ଘୋଡ଼ାନାଚ ପରିବେଷଣ ହୋଇଥିଲା। ୩୦ ତାରିଖ ପର୍ଯ୍ୟନ୍ତ ଏହି ରଥ ପରିକ୍ରମା କରିବ।

ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରି କହିଲେ, ପାରମ୍ପରିକ କଳାକାରମାନେ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନାର ପ୍ରଚାର ପ୍ରସାରରେ ଅଂଶୀଦାର ହୋଇ ଆସିଥିବା ବ‌େଳେ ଏହି ରଥ ପରିକ୍ରମା ମଧ୍ୟ ପ୍ରଭାବ ପକାଇବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପରାମର୍ଶଦାତା ଜନ୍ମେଜୟ ଲେଙ୍କା କହିଲେ, ଗାଁ’ ଗହଳିରେ କୋଭିଡ୍‌ ସଚେତନତା ସୃଷ୍ଟି ପାଇଁ ପାରମ୍ପରିକ କଳାକାରମାନେ ଆଗେଇ ଆସିବା ଆହ୍ବାନ ସ୍ବରୂପ। ଏହା ସତ୍ତ୍ବେ ସେମାନଙ୍କ ଉଦ୍ୟମ ପ୍ରଶଂସନୀୟ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ, ପ୍ରଥମ ପର୍ଯ୍ୟାୟରେ ୭ଟି ଜିଲ୍ଲାରେ ଏହି ରଥ ବୁଲିବା ପରେ ପର୍ଯ୍ୟାୟକ୍ରମେ ଅନ୍ୟ ଜିଲ୍ଲାରେ ଏହି ଅଭିଯାନ ଚାଲିବ। ସୂଚନା ଓ ଲୋକସମ୍ପର୍କ ଶାସନ ସଚିବ ସଞ୍ଜୟ କୁମାର ସିଂହ, ନିର୍ଦେଶକ କୃପାସିନ୍ଧୁ ମିଶ୍ର, ସଂସ୍କୃତି ନିର୍ଦେଶକ ରଂଜନ କୁମାର ଦାସ, ୟୁନିସେଫ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ମୀନା ସୋମ, ଶାଖା ମୁଖ୍ୟ ଡାକ୍ତର ସୋମେନ ରୟ, ୟୁନିସେଫ ସଂସ୍କୃତି ସଂଯୋଜକ ବାସୁଦେବ ମାଲ ବିଶୋଇ, ସଂସ୍କୃତି ଉପନିର୍ଦେଶକ ଦେବାନନ୍ଦ ବରିହା, ସୂଚନା ଓ ଲୋକସମ୍ପର୍କ ବୈଷୟିକ ନିର୍ଦେଶକ ନିରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। ଅବନୀ କୁମାର ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧିତ ଖବର