ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ରେ ଗଡ଼ିଲା: ଲକ୍ଷ୍ମୀ ବସ୍‌

ଲୋକଙ୍କୁ ଲୋକଙ୍କ ସହ ଯୋଡ଼ୁଛି, ଗାଁ ଗାଁରେ ପହଞ୍ଚିବ ଲକ୍ଷ୍ମୀ

ମାଲକାନଗିରିରୁ ଆରମ୍ଭ କରି ଗଜପତି, ଦେବଗଡ଼ରୁ ଢେଙ୍କାନାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳର ଗାଁକୁ ବ୍ଲକ ଓ ଜିଲ୍ଲା ସହିତ ଯୋଡ଼ୁଛି ଲକ୍ଷ୍ମୀ ବସ୍‌। ଲୋକଙ୍କୁ ଲୋକଙ୍କର ନିକଟତର କରୁଛି। ପର୍ଯ୍ୟଟନ, ବଜାର ପହଞ୍ଚୁଛି ଲୋକଙ୍କ ହାତ ପାଆନ୍ତାରେ। ରୂପାନ୍ତର ପ୍ରକ୍ରିୟାରେ ରାଜ୍ୟ ସରକାର ଆରମ୍ଭ କରିଥିବା ଲକ୍ଷ୍ମୀ ବସ୍‌ ସେବା ଏବେ ରାଜ୍ୟରେ ବିକାଶର ନୂଆ ପରିଭାଷା ପାଲଟିଛି। ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ ଏହି ବସ୍‌ ସେବାକୁ ପହଞ୍ଚାଇବାରେ ଲାଗିଛନ୍ତି ସରକାର। ଫେବ୍ରୁଆରି ଶେଷ ସୁଦ୍ଧା ସବୁ ଜିଲ୍ଲାରେ ଏହି ସେବା ଉପଲବ୍ଧ ହେବ ବୋଲି ମଧ୍ୟ ରାଜ୍ୟ ସରକାର ସଂକଳ୍ପ ନେଇଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଭାଷାରେ ପଞ୍ଚାୟତକୁ ବିକାଶର କେନ୍ଦ୍ର କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ସେହିଭଳି ଗାଁର ଅର୍ଥନୀତିକୁ ମଜବୁତ କରିବା ବି ଏହି ଯୋଜନା ପଛର ରହସ୍ୟ। ଲକ୍ଷ୍ମୀ ଯୋଜନା ପ୍ରତିଟି ଜୀବନକୁ ଆହୁରି ସହଜ କରି ତୋଳିବ। ଗାଁର ରୂପାନ୍ତର ପାଇଁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଜାରି ରହିଛି। ଏହାଦ୍ବାରା ନୂଆ ଓଡ଼ିଶା ଗଢ଼ିବା ପାଇଁ ସରକାର ଯେଉଁ ସଂକଳ୍ପ ନେଇଛନ୍ତି, ସେ ରାସ୍ତା ଉନ୍ମୁକ୍ତ ହେବ। ପୂର୍ବରୁ ଗ୍ରାମାଞ୍ଚଳରେ ଗମନାଗମନରେ ବହୁ ସମସ୍ୟା ରହିଥିଲା। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ଏ ବିଷୟରେ ଜାଣିବା ପରେ ରୂପାନ୍ତର ଆରମ୍ଭ ହୋଇଛି। ଲକ୍ଷ୍ମୀ ବସ୍‌ ଯୋଜନା ଏଥିରୁ ହିଁ ଉତ୍ପନ୍ନ। ଲୋକମାନେ ସୁବିଧାରେ ଏବଂ କମ୍‌ ଖର୍ଚ୍ଚରେ ତାଙ୍କର ଦୈନନ୍ଦିନ କାର୍ଯ୍ୟ ପାଇଁ ଘର ପାଖରୁ ଏହି ବସ୍‌କୁ ବ୍ୟବହାର କରିପାରିବେ। ଲକ୍ଷ୍ମୀ ବସ୍‌ ସାମାଜିକ ଓ ଆର୍ଥିକ ଜୀବନକୁ ମଜବୁତ କରିବ। ପିଲାଙ୍କୁ ସ୍କୁଲ କଲେଜ ନେବ। ଚାଷୀଙ୍କୁ ମାର୍କେଟ ସହିତ ଯୋଡ଼ିବ। ମା’ମାନେ ଓ ଛାତ୍ରଛାତ୍ରୀ ମାତ୍ର ୫ ଟଙ୍କାରେ ଏହି ବସ୍‌ରେ ଯିବା ଆସିବା କରିପାରିବେ। ଲକ୍ଷ୍ମୀ ବସ୍‌ ହେଉଛି ଲୋକଙ୍କ ସମ୍ପତ୍ତି। ତେଣୁ ଏଥିରେ ଯାତ୍ରା କରୁଥିବା ଲୋକ ଏହାର ଯତ୍ନ ନେବାକୁ ଆହ୍ବାନ ଦିଆଯାଇଛି।

ଅନୁଗୁଳରେ ୨୨୫ ପଞ୍ଚାୟତ ଉପକୃତ
ରାଜ୍ୟ ସରକାର ଆରମ୍ଭ କରିଥିବା ରୂପାନ୍ତର ପ୍ରକ୍ରିୟାରେ ସାମିଲ ହୋଇଛି ଅନୁଗୁଳ ଜିଲ୍ଲା। ଏହି ଜିଲ୍ଲାର ୨୨୫ ଗ୍ରାମ ପ୍ରଞ୍ଚାୟତ ଓ ୮ ବ୍ଲକ୍‌ରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବ ଲକ୍ଷ୍ମୀ ବସ୍‌। ବ୍ଲକ୍ ଭିତରେ ଯୋଗାଯୋଗ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ୨୮ଟି ଅଣ ଏସି ବସ୍ ଯୋଗାଇ ଦେଇଛନ୍ତି ସରକାର। ସେହିଭଳି ଜିଲ୍ଲାସ୍ତର ପର୍ଯ୍ୟନ୍ତ ଏହି ସେବା ପହଞ୍ଚାଇବା ଲାଗି ୬ଟି ଏସି ବସ୍ ଯୋଗାଇ ଦିଆଯାଇଛି। ଏହାଦ୍ବାରା ଜିଲ୍ଲାର ୧୨ଲକ୍ଷ ଲୋକ ସିଧାସଳଖ ଉପକୃତ ହେବେ।

ସଂପର୍କର ସେତୁ
କୋଟିଏ କି ଦୁଇକୋଟି ନୁହେଁ, ଲକ୍ଷ୍ମୀ ଯୋଜନା ପାଇଁ ସରକାର ୩୧୭ କୋଟିର ଏକ ବିଶାଳ ବଜେଟ୍‌ ପ୍ରସ୍ତୁତ କରିଛନ୍ତି। ଉତ୍ସର୍ଗୀକୃତ ଭାବେ ୧୭୪୫ଟି ବସ ଚଳାଚଳ କରିବ। ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟରେ ଗ୍ରାମାଞ୍ଚଳ ଓ ଅର୍ଧ ସହରକୁ ସଂଯୋଗକୁ ସୁନିଶ୍ଚିତ କରିବା ଲାଗି ୧୬୨୩ଟି ବସ୍‌ ଚାଲିବ। ଏହା ପ୍ରତି ଦିନ ପଞ୍ଚାୟତରୁ ବ୍ଲକ, ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ମଧ୍ୟରେ ଏକ ବଡ଼ ସମ୍ପର୍କର ସେତୁ ପାଲଟିବ। ତୃତୀୟ ପର୍ଯ୍ୟାୟ ଓ ଶ୍ରୀଜଗନ୍ନାଥ ଏକ୍ସପ୍ରେସ୍‌ ମାଧ୍ୟମରେ ୧୨୨ଟି ବସ୍‌ ଜିଲ୍ଲା ମୁଖ୍ୟାଳୟକୁ ରାଜ୍ୟର ପ୍ରମୁଖ ସହର ସହିତ ସଂଯୋଗ କରିବ।
ଅକ୍ଟୋବର ୧୨ରୁ …
ଓଡ଼ିଶାର ୩୦ଟି ଜିଲ୍ଲାକୁ ଜନସଂଖ୍ୟା, ଭୌଗୋଳିକ ଓ ପରିବହନ ସଂଯୋଗ ଉପରେ ଆଧାର କରି ପାଞ୍ଚଟି କ୍ଲଷ୍ଟର୍‌ରେ ବିଭକ୍ତ କରାଯାଇଛି। ଅକ୍ଟୋବର ୧୨ ତାରିଖରେ ମାଲକାନଗିରି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅକ୍ଟୋବର ୨୦ ତାରିଖରେ ଏହି ଯୋଜନା ଗଜପତିକୁ ଛୁଇଁଥିଲା। ନଭେମ୍ବର ପହିଲାରେ କଳାହାଣ୍ଡି, ସେହି ମାସ ୨୫ ତାରିଖରେ ରାୟଗଡ଼ା, ୩୦ ତାରିଖରେ ନବରଙ୍ଗପୁର, ଡିସେମ୍ବର ୧୪ ତାରିଖରେ କୋରାପୁଟରେ ଏହି ଯୋଜନା ଆରମ୍ଭ କରିଥିଲେ ସରକାର। ପରବର୍ତ୍ତୀ କିଛି ଦିନ ମଧ୍ୟରେ ଲକ୍ଷ୍ମୀ ଯୋଜନା ଓଡ଼ିଶାର ଅବଶିଷ୍ଟ ଅଞ୍ଚଳ ବା ଜିଲ୍ଲାରେ ପହଞ୍ଚିଯିବ।


୪୫୦୦ କୋଟିର ରାଜସ୍ବ ଲକ୍ଷ୍ୟ
ଗୁରୁତ୍ବପୂର୍ଣ୍ଣ ଦିଗଟି ହେଲା, ଲକ୍ଷ୍ମୀ ଯୋଜନା ରାଜ୍ୟର ୬୨ ହଜାର ୨୯୧ଟି ଶିକ୍ଷାନୁଷ୍ଠାନକୁ ସଂଯୋଗ କରିଛି। ବିଶେଷ ଭାବରେ ଗ୍ରାମାଞ୍ଚଳ ଏବଂ ମହିଳା ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା କାର୍ଯ୍ୟସୂଚୀ ସହିତ ସଂଯୁକ୍ତ କରି ଶିକ୍ଷା ଉପଲବ୍ଧତାକୁ ଯଥେଷ୍ଟ ବୃଦ୍ଧି କରିଛି। ଲକ୍ଷ୍ମୀ ଯୋଜନାର ବସ୍‌ର ସମୟ ଏବଂ କାର୍ଯ୍ୟସୂଚୀ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ସମୟ ସହିତ ସମନ୍ବୟ ରଖି କରାଯାଇଛି। ଏହାଦ୍ବାରା ଶିକ୍ଷା କ୍ଷେତ୍ରରେ ଏହି ଯୋଜନା ବେଶ୍‌ ସହାୟକ ହୋଇପାରିବ। ଏହି ଯୋଜନା ରାଜ୍ୟର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବା ସହ ୩୭୦୦୦ ରୁ ଊର୍ଦ୍ଧ୍ବ ନିଯୁକ୍ତି ସୃଷ୍ଟି କରିବ ବୋଲି ସରକାର ଆକଳନ କରିଛନ୍ତି। ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ଏହା ୪୫୦୦ କୋଟିରୁ ଅଧିକ ରାଜସ୍ୱ ସୃଷ୍ଟି କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

ଦେବଗଡ଼ରେ ପର୍ଯ୍ୟଟନ ହେ ବ ପ୍ରଶସ୍ତ
ପର୍ଯ୍ୟଟନ ଦୃଷ୍ଟିରୁ ରାଜ୍ୟ ପାଇଁ ଅତି ଗୁରୁତ୍ବପୂର୍ଣ୍ଣ ହେଉଛି ଦେବଗଡ଼ ଜିଲ୍ଲା। ରାଜ୍ୟ ସରକାର ଏହି ଜିଲ୍ଲାରେ ମଧ୍ୟ ଲକ୍ଷ୍ମୀ ବସ୍‌ ସେବାର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୩ଲକ୍ଷ ଲୋକଙ୍କ ଗମନାଗମନ ବ୍ୟବସ୍ଥାରେ ଏହି ସେବା ସୁଧାର ଆଣିବ। ୭୦ଟି ଗ୍ରାମପଞ୍ଚାୟତ ବସ୍‌ ସେବାରେ ଯୋଡ଼ି ହୋଇଯିବ। ବ୍ଲକ୍‌ସ୍ତରରେ ଯୋଗାଯୋଗ ବ୍ୟବସ୍ଥାରେ ରୂପାନ୍ତର ପାଇଁ ସରକାର ୧୭ଟି ଅଣ ଏସି ବସ୍ ଯୋଗାଇ ଦେଇଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାକୁ ସଂଯୋଗ ପାଇଁ ୪ଟି ଏସି ବସ୍‌ର ବ୍ୟବସ୍ଥା କରାଯାଇଛି।

ଢେଙ୍କାନାଳରେ ଚର୍ଚ୍ଚାରେ ‘ଲକ୍ଷ୍ମୀ’
ଢେଙ୍କାନାଳ ଜିଲ୍ଲା ମଧ୍ୟ ଏହି ଯୋଜନାରେ ଉପକୃତ ହେବ। ଜିଲ୍ଲାର ୧୨୩୭ ଗାଁ ଓ ୨୧୨ ଗ୍ରାମ ପଞ୍ଚାୟତରେ ଯାତାୟତ ବ୍ୟବସ୍ଥାକୁ ସୁଦୃଢ଼ କରିବ ଲକ୍ଷ୍ମୀ ବସ୍‌ ସେବା। ଜିଲ୍ଲାର ୧୩ଲକ୍ଷ ଲୋକଙ୍କ ପାଇଁ ବ୍ଲକସ୍ତରରେ ଗମନାଗମନ ସେବାକୁ ଆହୁରି ସହଜ କରିବା ପାଇଁ ୫୫ଟି ଅଣ ଏସି ବସ୍‌ର ବ୍ୟବସ୍ଥା କରାଯାଇଛି। ସେହିଭଳି ଜିଲ୍ଲାସ୍ତରରେ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତି ଆଣିବ ଲକ୍ଷ୍ମୀ ବସ୍‌। ଏଥିଲାଗି ୭ଟି ଏସି ବସ୍‌କୁ ସାମିଲ କରାଯାଇଛି।

ସେବା ଯେବେ ବାସେ…

ଓଡ଼ିଶା ଏହାର ସମୃଦ୍ଧି ସମ୍ପନ୍ନ ସଂସ୍କୃତି ଏବଂ ବିବିଧ ଭାସ୍କର୍ଯ୍ୟ ପାଇଁ ଜଣାଶୁଣା। ବିଭିନ୍ନ ସଂପ୍ରଦାୟ ଏଠି ପରସ୍ପର ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଏହାକୁ ଆହୁରି ନିକଟତର କରିବା ଲାଗି ସରକାର ସଂକଳ୍ପ ବଦ୍ଧ। ଏଥିପାଇଁ ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବାର ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ମୋଟ ଗ୍ରାମ ପଞ୍ଚାୟତର ୯୦ ପ୍ରତିଶତରୁ ଅଧିକ ଅଞ୍ଚଳରେ ଗମନାଗମନ ବ୍ୟବସ୍ଥାକୁ ପରବର୍ତ୍ତୀସ୍ତରକୁ ନେବା ପାଇଁ ଆରମ୍ଭ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇ ଆଗକୁ ବଢ଼ୁଛନ୍ତି। ଲକ୍ଷ୍ମୀ ବସ୍‌ ସେବା ଏହାର ମାଧ୍ୟମ ପାଲଟିଛି। ୧୮୨ଟି ବସ୍‌ ଷ୍ଟାଣ୍ଡକୁ ‘ଆମ ବସ୍‌ ଷ୍ଟାଣ୍ଡ’ ଯୋଜନାରେ ବିକଶିତ କରି ସରକାର ଯେଉଁ ଶକ୍ତିଶାଳୀ ନେଟୱର୍କ ପାଇଁ ରାସ୍ତା ବିଛାଇଲେ, ତାହାକୁ ଆଉ ପାଦେ ଆଗକୁ ନେଇଛି ଲକ୍ଷ୍ମୀ ବସ୍‌ ସେବା। ସରକାର ଏକ୍ଷେତ୍ରରେ ଦୃଢ଼ ପ୍ରତିବଦ୍ଧତା ପ୍ରକଟ କରିଛନ୍ତି। ରାଜ୍ୟର କୋଣ ଅନୁକୋଣରେ ବିକାଶକୁ ପହଞ୍ଚାଇବା ଲାଗି ଯୋଗାଯୋଗ ବ୍ୟବସ୍ଥାକୁ ପରବର୍ତ୍ତୀସ୍ତରକୁ ନେବା ଲାଗି ଯେଉଁ ଆବଶ୍ୟକତା ଥିଲା, ତାହାର ପରିପୂରଣ ହୋଇଛି। ରାଜ୍ୟର ପ୍ରତି ଅଞ୍ଚଳରେ ବିକାଶର ସୁଷମ ବଣ୍ଟନ ଲାଗି ବଡ଼ ମାଧ୍ୟମ ପାଲଟିଛି ଲକ୍ଷ୍ମୀ ଯୋଜନା। ଏହା ଗାଁ କୁ ସହରର ନିକଟତର କରିଛି ଓ ସମାନ୍ତରାଳ ଭାବେ ସହର ଏବଂ ଗ୍ରାମାଞ୍ଚଳର ସାମାଜିକ ଅର୍ଥନୈତିକ ବିକାଶକୁ ପ୍ରୋତ୍ସାହିତ କରୁଛି।

ଗଡ଼ିଲାଣି ୪୧୫ ବସ୍‌

ରାଜ୍ୟର ବର୍ତ୍ତମାନସୁଦ୍ଧା ମାଲକାନଗିରି, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର ଓ କୋରାପୁଟରେ ଲକ୍ଷ୍ମୀ ବସ୍‌ ସେବା ଆରମ୍ଭ ହୋଇସାରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ବସ ସେବା ଆରମ୍ଭ କରିବା ସହିତ ରୂପାନ୍ତର ପ୍ରକ୍ରିୟାକୁ ଗାଁ ଯାଏ ପହଞ୍ଚାଇଛନ୍ତି ଏବଂ ବିକାଶ ପ୍ରକ୍ରିୟା ଲାଗି ରାସ୍ତା ଖୋଲିଛନ୍ତି। ଏସବୁ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୪୧୫ ବସ୍ ଚଳାଚଳ କରୁଛି। ଆଗାମୀ ଦିନରେ ଅନ୍ୟ ଜିଲ୍ଲାଗୁଡ଼ିକରେ ଏହି ବସ୍‌ ସେବାର ଶୁଭାରମ୍ଭ ହେବ। ଯାହାକି ଜରୁରିକାଳୀନ ସେବା ଓ ଆର୍ଥିକ ବିକାଶରେ ଏକ ପ୍ରମୁଖ ମାଧ୍ୟମ ପାଲଟିବ ବୋଲି ରାଜ୍ୟ ପରିବହନ ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର