ରାଉରକେଲା: ୟୁକ୍ରେନରେ ଫସିରହିଥିବା ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରି ପ୍ରଥମ ବିମାନ ଶନିବାର ରୋମାନିଆରୁ ଭାରତ ଆସିଥିଲା। ପ୍ରଥମ ଦଫାରେ ୨୧୯ ଡାକ୍ତରୀ ଛାତ୍ରଛାତ୍ରୀ ସୁରକ୍ଷିତଭାବେ ସ୍ବଦେଶରେ ପହଞ୍ଚିଥିଲେ। ତେବେ ବିମାନ ରୋମାନିଆ ଛାଡ଼ିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଭାରତୀୟ ଦୂତାବାସର ଆମ୍ବାସାଡାର ରାହୁଲ ଶ୍ରୀବାସ୍ତବଙ୍କ ଉତ୍ସାହବର୍ଦ୍ଧକ ବକ୍ତବ୍ୟ, ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରେ ଲାଗିଛି। ଶ୍ରୀବାସ୍ତବ କହିଥିଲେ, ୟୁକ୍ରେନରେ ଫସିଥିବା ସମସ୍ତ ଭାରତୀୟ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତଭାବେ ଉଦ୍ଧାର କରିବାକୁ ଭାରତ ସରକାର ଦିନରାତି ଏକ କରିଦେଇଛି।
ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତଭାବେ ଭାରତ ପହଞ୍ଚାଇବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିବ। ତେବେ ଏହି କ୍ଷଣକୁ ସବୁଦିନ ପାଇଁ ମନେ ରଖନ୍ତୁ। ଭବିଷ୍ୟତରେ ଯେ କୌଣସି ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଲେ, ତାକୁ ମଧ୍ୟ ଏଡ଼ାଇଦେବାର ସତ୍ସାହସ ଯୋଗାଇବବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଭାରତୀୟ ଦୂତାବାସର ଏହି ଅଧିକାରୀ ହେଉଛନ୍ତି ଓଡ଼ିଶାର ବିଭିନ୍ନ ସହରରେ ତଥା ରାଉରକେଲାସ୍ଥ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ(ଏନ୍ଆଇଟି)ର ଏହି ପୁରାତନ ଛାତ୍ର।
ସୂଚନାଯୋଗ୍ୟ, ଛତିଶଗଡ଼ର ମୂଳବାସିନ୍ଦା ହେଉଛନ୍ତି ରାହୁଲ ଶ୍ରୀବାସ୍ତବ, ତେବେ ପାଠପଢ଼ା ଓଡ଼ିଶାରେ କଟିଛି। ବଡ଼ବିଲରେ ହାଇସ୍କୁଲ, ଯୁକ୍ତ ଦୁଇ(୧୯୯୩ ବ୍ୟାଚ୍) ଯାଏଁ ପଢ଼ିବାପରେ ରେଭେନ୍ସା ବିଶ୍ବବିଦ୍ୟାଳୟରୁ (୧୯୯୩-୧୯୯୬) ରସାୟନ ବିଜ୍ଞାନରେ ଗ୍ରାଜୁଏସନ କରିଥିଲେ। ପରେ ରାଉରକେଲାସ୍ଥ ଏନ୍ଆଇଟି(୧୯୯୯)ରେ ଏମ୍ସିଏ କରିଥିଲେ। ଉକ୍ତ ବର୍ଷ ସେ ଇଣ୍ଡିଆନ୍ ଫରେନ ସର୍ଭିସ୍(ଆଇଏଫ୍ଏସ୍)ରେ ସଫଳତାର ସହ କୃତକାର୍ଯ୍ୟ ହୋଇଥିଲେ। ପ୍ରାୟ ୨୨ ବର୍ଷର କ୍ୟାରିଅର୍ ଭିତରେ ସେ ରୁଷ, କାଜାଖାସ୍ତାନ, ଭେନେଜୁଏଲା, ୟୁକେ ସ୍ଥିତ ଭାରତୀୟ ଦୂତାବାସ/ଉଚ୍ଚାୟୁକ୍ତରେ ନିୟୋଜିତ ଥିଲେ। ସେ ପ୍ରାୟ ୧୨ଟି ପୁସ୍ତକ ରଚନା କରିସାରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/1-11.jpg)