ଜେଲ୍‌ ଗଲା ରଙ୍ଗିଲା ବର

ପୂର୍ବରୁ ଅନ୍ୟ ଜଣଙ୍କୁ ବି ବିବାହ କରିଥିଲା

ରାଉରକେଲା: ମଦ ନିଶାରେ କନ୍ୟା ପକ୍ଷଙ୍କୁ ଆକ୍ରମଣ କରି ଶିଶୁପାଳ ହେବା, ଥାନାରେ ଆପୋସ ମିଳାମିଶା ପରେ ଆଜି କୋର୍ଟରେ ବିବାହ କରିବା ପୂର୍ବରୁ ରଙ୍ଗିଲା ବରଙ୍କ କାରନାମା ପଦାରେ ପଡ଼ିଛି। ଚାରି ମାସ ତଳେ ସେ ବିବାହ କରିଥିବା ପତ୍ନୀ ଥାନାରେ ପହଞ୍ଚି ତଥ୍ୟପ୍ରମାଣ ଦାଖଲ କରିବା ପରେ ବନ୍ଧମୁଣ୍ଡା ଚମ୍ପାଗଡ଼ର ରଙ୍ଗିଲା ବର ଶଙ୍କର ପଣ୍ଡା ଓ ତା’ ଭାଇ ସୁଦାମକୁ ଟାଙ୍ଗରପାଲି ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଚାଲାଣ ପୂର୍ବରୁ ମଙ୍ଗୁଳା କନ୍ୟାଙ୍କ ପରିବାର ଓ ପଡ଼ୋଶୀ ଶଙ୍କରଠାରୁ ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ଅଡ଼ି ବସିବାରୁ ପୁଲିସ୍‌କୁ ପ୍ରାୟ ୩ ଘଣ୍ଟା ଧରି ନାକେଦମ୍‌ ହେବାକୁ ପଡ଼ିଥିଲା। ତେବେ ଗତ ତିନି ଦିନ ଧରି ସାରନଗରୀ ସମେତ ଟାଙ୍ଗରପାଲି ଥାନା ପରିସରରେ ଲାଗି ରହିଥିବା ଘଟଣାକ୍ରମର ଆଜି ନାଟକୀୟ ଅନ୍ତ ଘଟିଛି। ଗତ ୪ ତାରିଖରେ ମଦ ନିଶାରେ ଚୁର୍‌ ବର ଶଙ୍କର ସାରନଗରୀ ଲେବର କଲୋନିର ପମିତାକୁ ବିବାହ କରିବାକୁ ଆସି ହଟହଟା ହୋଇଥିଲା। ମଦ ନିଶାରେ କନ୍ୟାପକ୍ଷର ଲୋକଙ୍କୁ ମାଡ଼ପିଟ କରିବା ଅଭିଯୋଗରେ ଟାଙ୍ଗରପାଲି ପୁଲିସ ମାମଲା ରୁଜୁ କରି ଶଙ୍କର ଓ ଭାଇ ସୁଦାମକୁ ଅଟକ ରଖିଥିଲେ। ଗିରଫ ଭୟରେ ଶଙ୍କର ପମିତାଙ୍କୁ ବିବାହ କରିବାକୁ ଥାନାରେ ଗତକାଲି ନେହୁରା ହୋଇଥିଲା। ଉଭୟ ପକ୍ଷ ମଧ୍ୟରେ ବୁଝାମଣା ପରେ କାଲି ରାତି ବର-କନ୍ୟା ଥାନାରେ ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ। ତେବେ ଥାନାରେ ମାମଲା ରୁଜୁ ହୋଇଥିବାରୁ କୋର୍ଟରେ ଆଜି ସେମାନଙ୍କ ବିବାହ ହେବା ଆବଶ୍ୟକ ବୋଲି ଥାନା ଅଧିକାରୀ ସର୍ତ୍ତ ରଖି ସମସ୍ତଙ୍କୁ ଛାଡ଼ିଥିଲେ। ଏହା ପରେ ପମିତାଙ୍କୁ ନେଇ ଶଙ୍କର ନିଜ ଘରକୁ ଫେରିଥିଲେ।

ଆଜି କୋର୍ଟରେ ସେମାନଙ୍କ ବିବାହ ହୋଇଥାନ୍ତା। ହେଲେ ସକାଳେ ଶଙ୍କର ନାଁରେ ପୁଣି ଏକ ସ୍ପର୍ଶକାତର ଅଭିଯୋଗ ଆଣିଥିଲେ ଜଣେ ମହିଳା। ସକାଳୁ ସେକ୍ଟର-୭ ଅଞ୍ଚଳର ଜନୈକା ପ୍ରୀତି ଟାଙ୍ଗରପାଲି ଥାନାକୁ ଆସି ଶଙ୍କର ତାଙ୍କ ସ୍ୱାମୀ ବୋଲି ଦାବି କରିବା ସହ ବିବାହ ବେଳର ଫଟୋ, ଭିଡିଓ, ବିବାହ ପଞ୍ଜୀକରଣ ପ୍ରମାଣପତ୍ର ଦେଖାଇଥିଲେ। ସେ ଦର୍ଶାଇଥିଲେ, ଶଙ୍କରଙ୍କ ସହ ୨୦୧୭ ନଭେମ୍ବରରେ ତାଙ୍କର ସାମାଜିକ ରୀତିରେ ବିବାହ ହୋଇଥିଲା। ଉଭୟ ଏକତ୍ର ରହୁଥିବା ବେଳେ ସେ ଇତିମଧ୍ୟରେ ଅନ୍ତଃସତ୍ତ୍ୱା ହୋଇଛନ୍ତି। ଟାଙ୍ଗରପାଲି ପୁଲିସ ତୁରନ୍ତ ଚମ୍ପାଗଡ଼ ଯାଇ ଶଙ୍କର ଓ ସୁଦାମଙ୍କୁ ଗିରଫ କରିବା ସହ ସେଠାରୁ ପମିତାଙ୍କୁ ଉଦ୍ଧାର କରିଥିଲା। ଅନ୍ୟପଟେ ବିବାହ ନାଁରେ ୨ ଯୁବତୀଙ୍କ ସହ ଖେଳିଥିବାରୁ ସ୍ଥାନୀୟ ମହିଳାମାନେ ଥାନା ସାମ୍ନାରେ ରୁଣ୍ଡ ହୋଇ ଶଙ୍କରକୁ ସେମାନଙ୍କୁ ହସ୍ତାନ୍ତର କରିବାକୁ ଅଡ଼ି ବସିଥିଲେ। ଫଳରେ ଥାନା ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ହେଲେ ଦୁଇ ଭାଇଙ୍କୁ ଗିରଫ କରାଯାଇଛି କହି ପୁଲିସ ଲୋକଙ୍କୁ ବୁଝାଶୁଝା କରିଥିଲା। ଅନ୍ୟ ପକ୍ଷରେ ଶଙ୍କର ପୂର୍ବରୁ ବିବାହ କରିଛି ବୋଲି ଜାଣିବା ପରେ ନବ ବିବାହିତା ପମିତା ଓ ତାଙ୍କ ପରିବାର ଥାନାରେ ପହଞ୍ଚି ଅଢ଼େଇ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଏହାକୁ ନେଇ ଥାନାରେ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ଶଙ୍କର ଓ ସୁଦାମକୁ କୋର୍ଟକୁ ନେଉଥିବା ପୁଲିସ ଭ୍ୟାନକୁ ନିଜେ କନ୍ୟା ପମିତା ଓ ପରିବାର ଅଟକ ରଖି ତତ୍‌କ୍ଷଣାତ କ୍ଷତିପୂରଣ ଦେବାକୁ ଜିଦ୍‌ କରିଥିଲେ। ବର ପକ୍ଷରୁ ଆସନ୍ତାକାଲି ୫୦ ହଜାର ଓ ଶଙ୍କର ଚଲାଉଥିବା ଅଟୋ ସହିତ ପର୍ଯ୍ୟାୟକ୍ରମେ ଅବଶିଷ୍ଟ ଟଙ୍କା ଦେବାକୁ ରାଜି ହେବା ପରେ ପୁଲିସ ଭ୍ୟାନ୍‌କୁ ଛଡ଼ା ଯାଇଥିଲା। ଆଜି ସକାଳେ ସେକ୍ଟର-୭ର ପ୍ରୀତି କୁମାରୀ ନାମ୍ନୀ ଯୁବତୀ ଟାଙ୍ଗରପାଲି ଥାନା ପହଞ୍ଚିବା ପରେ ଶଙ୍କର ପୂର୍ବରୁ ବିବାହ କରିଥିବା ଜଣାପଡ଼ିଥିଲା। ଶଙ୍କର ଗତ ୨୦୧୭ ନଭେମ୍ବର ୧୭ରେ ପ୍ରୀତିଙ୍କୁ ସାମାଜିକ ରୀତିରେ ବିବାହ କରିଥିବା ବେଳେ ପାନପୋଷ ନିବନ୍ଧନ ଅଫିସରେ ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର