ଯାଜପୁରଟାଉନ: ଯାଜପୁର ଥାନା ବାସୁଦେବପୁର ପଞ୍ଚାୟତ ଜାଲପୁର ଗାଁର ନଳିନୀକାନ୍ତ ପତିଙ୍କ ଘରେ ବେଆଇନ ବାଣଭିଡ଼ା ବେଳେ ବିସ୍ଫୋରଣ ଘଟି ଜଣେ ଯୁବକ ପ୍ରାଣ ହରାଇଛନ୍ତି। ଏଥିରେ ଅନ୍ୟ ୪ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଯାଜପୁର ଯଯାତିକେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ କଟକ ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ନଳିନୀକାନ୍ତଙ୍କ ଘରେ ଆଜି ବାଣ ଭିଡ଼ା ଚାଲିଥିଲା।

Advertisment

ଏହି କାର୍ଯ୍ୟରେ ଗ୍ରାମର ପୀତବାସ ପତିଙ୍କ ପୁଅ ନଳିନୀକାନ୍ତ ପତି (୪୫), ଗୁରିଆ ବେହେରାଙ୍କ ପୁଅ ନାରାୟଣ ବେହେରା (୪୦), ବାବୁଲି ପାତ୍ରଙ୍କ ପୁଅ ବାଦଲ ପାତ୍ର (୨୨), ଚଡ଼େଇ ଜେନାଙ୍କ ପୁଅ ବ୍ରହ୍ମାନନ୍ଦ ଜେନା (୬୦) ଓ ପୁରୁଷୋତ୍ତମ ‌ଜେନାଙ୍କ ପୁଅ ଅଜୟ ଜେନା (୪୫) ନିୟୋଜିତ ଥିଲା ବେଳେ ହଠାତ୍‌ ବାଣ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଘର ଛାତ ଉଡ଼ିଯାଇଥିଲା ଏବଂ ୫ ଜଣ ପୋଡ଼ିଯାଇ ଗୁରୁତର ହୋଇଥିଲେ। ସଙ୍କଟାପନ୍ନ ଅବସ୍ଥାରେ ନାରାୟଣ ଓ ବାଦଲଙ୍କୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ବାଦଲ ପ୍ରାଣ ହରାଇଥିବା ଜଣାପଡ଼ିଛି।