ଯାଜପୁରସଦର : ଶାରଦୀୟ ପୂଜା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଷୋଡ଼ଶୋପଚାର ପୂଜା କରାଯାଉଛି। ଆଜି ୧୫ ଦିନରେ ମା’ଙ୍କର ପୂଜା ସମ୍ପନ୍ନ ହୋଇଥିବା ବେଳେ ଆସନ୍ତାକାଲି ବିରଜାଙ୍କ ମହାଷ୍ଟମୀ ତିଥିରେ ଷୋଡ଼ଶୋପଚାର ପୂଜା କରାଯିବ। ଆଜି ସକାଳ ୭.୩୦ରେ ପହଡ଼ ଖୋଲିବା ପରେ ସ୍ନାନ କରାଯାଇଥିଲା। ପରେ ଗର୍ଭ ଗୃହକୁ ଭକ୍ତମାନଙ୍କୁ ପ୍ରବେଶ କରାଯାଇଥିଲା। ବେଶ, ସୁନାବେଶ ସରିବା ପରେ ଆଜିର ଦିନପୂଜା ଅପରାହ୍ଣ ଗୋଟାଏରେ ଆରମ୍ଭ ହୋଇଥିଲା। ୫ଟାରେ ରଥଯାତ୍ରା ଆରମ୍ଭ କରାଯାଇ ଦକ୍ଷିଣ-ପଶ୍ଚିମ କୋଣରେ ଆଦ୍ୟଦୁର୍ଗା ମଣ୍ଡପ ନିକଟରେ ରଥ ରଖାଯାଇଥିଲା। ତେବେ ରଥଟଣା ବେଳେ ରଥ ଦୌଡ଼ି ଛିଡ଼ି ଯିବାରୁ ରଥଟଣା ବାଧାପ୍ରାପ୍ତ ହୋଇଥିଲା। ଏହାକୁ ନେଇ କିଛିସମୟ ପାଇଁ ଅସନ୍ତୋଷ ପ୍ରକାଶ ପାଇଥିଲା।
ଟ୍ରଷ୍ଟି ଗୋପୀନାଥ କୁଅଁର ରଥ କାରିଗର ଓ ଟ୍ରଷ୍ଟି ସଦସ୍ୟମାନଙ୍କ ସହ ଏନେଇ ଆଲୋଚନା କରିଥିଲେ। ସଂଧ୍ୟା ଆଳତି ପରେ ରାତ୍ର ପୂଜାର ଆୟୋଜନ କରାଯାଇଥିଲା। ଆସନ୍ତାକାଲି ବିରଜାଙ୍କ ମହାଷ୍ଟମୀ ପର୍ବ ଥିବାରୁ ଭକ୍ତମାନେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କ ଦର୍ଶନ କରିପାରିବେ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ରଥଟଣା ସମୟରେ ମାଜିଷ୍ଟ୍ରେଟ୍ ଭାବେ ଉପଜିଲ୍ଲାପାଳ ଗୋପୀନାଥ କୁଅଁର ଓ ଯାଜପୁର ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଉପସ୍ଥିତ ଥିଲେ। ସେହିପରି ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋର ମନ୍ଦିର ଗର୍ଭ ଗୃହକୁ ଯାଇଁ ପୂଜାର୍ଚ୍ଚନା କରିବା ପରେ ଆସନ୍ତା କାଲିର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଆଜିର ପୂଜା କାର୍ଯ୍ୟକୁ ମୁଖ୍ୟ ପୁରୋଧା ହିଂମାଶୁ ଶେଖର ପତିମିଶ୍ର, ପୁରୋଧା ସରୋଜ କୁମାର ପତି, ବିରଜା ଶଙ୍କର ପତି, ପ୍ରମୋଦ କୁମାର ପତି, ପ୍ରତାପ ପତି, ଡ. ଜ୍ଞାନରଂଜନ ପତି, ମନୋରଂଜନ ପତି ପରିଚାଳନା କରିଥିଲେ। ଆସନ୍ତାକାଲି ମହାଷ୍ଟମୀରେ ଭକ୍ତଙ୍କ ଗହଳିକୁ ଦୃଷ୍ଟିରେ ରଖି ପୁଲିସ୍ ପ୍ରଶାସନ ତରଫରୁ ବିଭିନ୍ନ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଟାଉନ୍ ଥାନା ଅଧିକାରୀ ଅଜୟ କୁମାର ଜେନାଙ୍କ ନେତୃତ୍ୱରେ ଆଜି ଏକ ପୁଲିସ୍ ଟିମ୍ ମନ୍ଦିରରେ ଉପସ୍ଥିତ ରହି କାଲିର ଆଇନଶୃଙ୍ଖଳା କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରସ୍ତୁତି କରିଥିଲେ। ଭକ୍ତମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ଅଲଗା ଅଲଗା ଦ୍ୱାରଦେଇ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି।