କଦଳୀ ପଟରୁ ଦଉଡ଼ି, ମଞ୍ଜାରୁ ହେବ ଆଚାର

କଦଳୀ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା, ଏମ୍‌ଏସ୍‌ଏମ୍‌ଇ ବିଭାଗର ନିଆରା ପଦକ୍ଷେପ

ଭୁବନେଶ୍ବର : ରାଜ୍ୟରେ କଦଳୀ ପଟରୁ ଉନ୍ନତ ମାନର ଦଉଡ଼ି, ଆକର୍ଷଣୀୟ ମ୍ୟାଟ୍‌ ଓ ଡିସ୍‌ପୋଜେବଲ୍‌ କପ୍ ପ୍ରସ୍ତୁତ ହେବାକୁ ଯାଉଛି। ଫଳରେ କଦଳୀ ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ସୃଷ୍ଟି ହୋଇଛି। ଏହା ଉଦ୍ୟାନ କୃଷିକୁ ନେଇ ଏକ ଅର୍ଥନୈତିକ ବିପ୍ଳବ ଆଣିପାରିବ। ଏଥି ସହିତ କଦଳୀ ମଞ୍ଜାରୁ ଆଚାର ଓ ପାମ୍ପଡ଼ ପ୍ରସ୍ତୁତ ହେବା ପରି ସୁଯୋଗ ସୃଷ୍ଟି ହୋଇଛି। ଆଚାର ଓ ପାମ୍ପଡ଼ ପ୍ରସ୍ତୁତ ପରେ ଅବଶିଷ୍ଟ ବର୍ଜ୍ୟରୁ ଉଦ୍ୟାନ ପାଇଁ ବ୍ୟବହୃତ ଯୋଗ୍ୟ ଜିଆ ଖତ ପ୍ରସ୍ତୁତ ହେବ। ରାଜ୍ୟ ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ‘ସ୍ଫୁର୍ତ୍ତି’ କ୍ଲଷ୍ଟର୍‌ରେ କାର୍ଯ୍ୟରତ ଉଦ୍ୟୋଗ ଜୟଦେବ ବାନାନା ଫାଇବର ଏକ୍ସଷ୍ଟ୍ରାକ୍ସନ୍ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି। ଏହି ଉଦ୍ୟୋଗ ଖୋର୍ଦ୍ଧା ଜିଲ୍ଲାର ବାଲିପାଟଣାରେ ପ୍ରତିଷ୍ଠା କରିଥିବା ଶିଳ୍ପାନୁଷ୍ଠାନରେ ଏପରି ଉତ୍ପାଦଗୁଡ଼ିକ ଉତ୍ପାଦନ କରିବାକୁ ଯାଉଛି। ଏହି ଧରଣର ଉତ୍ପାଦନ ଓଡ଼ିଶାରେ ପ୍ରଥମ ହେବ।

ପୂର୍ବରୁ କଦଳୀ ଗଛରୁ କଦଳୀ ବାହାରିବା ପରେ ଗଛକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦିଆଯାଉଥିଲା। କାଁ ଭାଁ ଏହାର ମଞ୍ଜାକୁ ପରିବା ଭାବେ ଖିଆ ଯାଉଥିଲା। ଏ ଧରଣର ଉଦ୍ୟୋଗ ହେବା ଓ ନୂଆ ଜ୍ଞାନକୌଶଳ ଯୋଗୁ ଏବେ କଦଳୀ ଏକ ବହୁ ଅର୍ଥକାରୀ ଫସଲ ଭାବେ ସାବ୍ୟସ୍ତ ହୋଇପାରିବ। ଅଧିକ କଦଳୀ ଚାଷ ପାଇଁ ଚାଷୀଙ୍କୁ ଉତ୍ସାହ ଯୋଗାଇବ। ‘ସ୍ଫୁର୍ତ୍ତି’ ଯୋଜନାରେ ଏହି ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି। ଏଥିରେ ୩୫୦ ଜଣ ସଦସ୍ୟଙ୍କୁ ନେଇ ଏକ ଗୋଷ୍ଠୀଗତ ଶିଳ୍ପାନୁଷ୍ଠାନ ଆରମ୍ଭ କରାଯାଇଛି। ଆଜି ଏମ୍‌ଏସ୍‌ଏମ୍‌ଇ ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କରାଯାଇଥିବା ଏକ ସମୀକ୍ଷା ‌ବୈଠକରୁ ଏହି ସୂଚନା ମିଳିଛି। ଏହା ବାଦ୍ ସମୀକ୍ଷା ବୈଠକରେ ୭ଟି ବିଭିନ୍ନ କ୍ଲଷ୍ଟର୍‌ ଉପରେ ସମୀକ୍ଷା କରାଯାଇଥିଲା। ଏଥିରେ ଚାନ୍ଦୁଆ ତିଆରି, ପଥର ଖୋଦେଇ କାମ, ନଡ଼ିଆ କତା, ବେଲ ମେଟାଲ ଓ କାଠ କାମ, ମହୁଆ ପ୍ରକ୍ରିୟାକରଣ, ଶୁଖୁଆ ମାଛ ପ୍ରସ୍ତୁତି ପ୍ରଭୃତି ରହିଛି। ଏସବୁ କ୍ଲଷ୍ଟର୍‌ ଉଦ୍ୟୋଗଗୁଡ଼ିକୁ ଯଥା‌ସମ୍ଭବ ତାଙ୍କର ଉତ୍ପାଦନ ଆରମ୍ଭ ଦିଗରେ ବାକିଆ ରହିଥିବା କାର୍ଯ୍ୟ ତୁରନ୍ତ ସାରିବାକୁ କୁହାଯାଇଛି। ଏହି ଭର୍ଚୁଆଲ୍‌ ସମୀକ୍ଷାରେ ଶିଳ୍ପ ନିର୍ଦ୍ଦେଶକ ମହମ୍ମଦ ସାଦ୍ଦିକ ଆଲାମ, ଅତିରିକ୍ତ ଶାସନ ସଚିବ ଉଦୟ ନାରାୟଣ ଦାସ, ସିଟିଟିସିର ଏସ୍‌ କେ କର, ଏଲ୍‌ ରାଜଶେଖର, ହସ୍ତଶିଳ୍ପ ନିର୍ଦ୍ଦେଶକ ସନାତନ ମହାପାତ୍ର, କତା ନିଗମର ଦେଶବନ୍ଧୁ ଦାସ, କେନ୍ଦ୍ର ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ନି‌ର୍ଦ୍ଦେଶକ ପି କେ ଗୁପ୍ତା, ଆଞ୍ଚଳିକ ନିର୍ଦ୍ଦେଶକ ଭି ପି ଠାକୁର, ଏଫ୍‌ଏମ୍‌ସି ସୁଚିସ୍ମିତା ଓ ଇଭାନ୍‌ଜେଲିଷ୍ଟ ସଂଯୁକ୍ତା ବଢ଼ାଇ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର