ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ : ଶୁଭ୍ରାଙ୍କୁ ଓଡ଼ିଶା ଆଣିଲା ସିବିଆଇ

ଭୁବନେଶ୍ବର : ବହୁଚର୍ଚ୍ଚିତ ରୋଜଭ୍ୟାଲି ଚିଟ୍‌ଫଣ୍ଡ ଠକେଇ ମାମଲା‌ରେ କୋଲକାତାରୁ ଗିରଫ ହୋଇଥିବା ସଂସ୍ଥାର ନିର୍ଦ୍ଦେଶିକା ତଥା ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କୁ ଆଜି ଓଡ଼ିଶା ଆଣିଛି ସିବିଆଇ। ସ୍ବତନ୍ତ୍ର କୋର୍ଟରେ ହାଜର କରାଯିବା ପରେ ୫ ଦିନିଆ ରିମାଣ୍ଡରେ ନେଇଛି ତଦନ୍ତକାରୀ ଟିମ୍।

ସୂଚନାଯୋଗ୍ୟ ଯେ ଦୀର୍ଘ ବର୍ଷ ଧରି ଫେରାର ଥିବା ରୋଜଭ୍ୟାଲିର ନିର୍ଦ୍ଦେଶକ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରାଙ୍କୁ ଗତ ୧୫ ତାରିଖରେ ସିବିଆଇ କୋଲକାତାରୁ ଗିରଫ କରିଥିଲା। ସେଠାରୁ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ବର ଅଣାଯାଇଛି। ଶୁଭ୍ରାଙ୍କ ସାଙ୍ଗରେ ତାଙ୍କ ମା’ ମଧ୍ୟ ଆସିଛନ୍ତି। ଓଡ଼ିଶାରୁ ଶହଶହ କୋଟି ଟଙ୍କା ଠକିଛି ରୋଜଭ୍ୟାଲି। ଏହି ବଡ଼ ଧରଣର ଠକେଇରେ ଓଡ଼ିଶାର କେଉଁ ବ୍ୟବସାୟୀ, ନେତା, ବିଲ୍ଡର କିମ୍ବା ପ୍ରଭାବଶାଳୀ ବ୍ୟକ୍ତିଙ୍କର ସମ୍ପୃକ୍ତି ରହିଛି, ସେ ନେଇ ଶୁଭ୍ରାଙ୍କୁ ସିବିଆଇ ଜେରା କରିବ ବୋଲି କୁହାଯାଉଛି। ଚିଟ୍‌ଫଣ୍ଡ ତଦନ୍ତକୁ ସାଢ଼େ ୬ ବର୍ଷ ବିତିଯାଇଥିବା ବେଳେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ ହୋଇପାରି ନାହିଁ। ଖୁବ୍‌ଶୀଘ୍ର ତଦନ୍ତ ଶେଷ କରି ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିବାକୁ ଲକ୍ଷ୍ୟ ରଖିଛି ସିବିଆଇ। ପଶ୍ଚିମବଙ୍ଗ ରୋଜଭ୍ୟାଲି କମ୍ପାନିରୁ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଦୀର୍ଘ ବର୍ଷ ଧରି ଉଭୟ ସିବିଆଇ ଓ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତାଲିକାରେ ଫେରାର ଥିବା ଶୁଭ୍ରା କୁଣ୍ଡୁ ଧରାପଡ଼ିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ ପାଇଁ ତନାଘନା ଜାରି ରହିଛି।

ଛାତି ଧଡ଼ଧଡ଼: ଖୋଲିବ ଅର୍ଥତତ୍ତ୍ବ, ସିସୋର୍ ଫାଇଲ୍!

ରୋଜ୍‌ଭ୍ୟାଲି ଭଳି ଓଡ଼ିଶାରେ ସବୁଠୁ ବଡ଼ ଚିଟ୍‌ଫଣ୍ଡ ଠକେଇ ଅର୍ଥତତ୍ତ୍ବ ଏବଂ ସିସୋର ମାମଲାରେ ମଧ୍ୟ ସିବିଆଇ ପୁଣି ଫାଇଲ ଖୋଲିବ ବୋଲି ସୂଚନା ମିଳିଛି। ଏହି ଦୁଇଟି ଠକେଇ ମାମଲାରେ ଚୂଡ଼ାନ୍ତ ଚାର୍ଜସିଟ୍ ଦାଖଲ କରିବା ପାଇଁ ମଧ୍ୟ ଜୋରଦାର ପ୍ରସ୍ତୁତି ଚାଲିଛି। ଏହି ମାମଲାର ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ନିଆଯାଇ ତଦନ୍ତକାରୀ ଅଧିକାରୀ ଶେଷ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିବା କୁହାଯାଉଛି। ରୋଜଭ୍ୟାଲି ପରେ ଏହି ଦୁଇଟି କମ୍ପାନିର ଠକେଇରେ ସଂପୃକ୍ତ କାହା ପାଳି ପଡ଼ିବ, ତାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। କରୋନା ପାଇଁ ଧିମେଇ ଯାଇଥିବା ତଦନ୍ତ ଆଗକୁ ଆହୁରି ବ୍ୟାପକ ହେବ ବୋଲି ଜଣାପଡ଼ିଛି। ସିବିଆଇ ଜାଲରେ ବହୁ ବଡବଡ଼ିଆ ପଡ଼ିବେ ବୋଲି ଅନୁମାନ କରାଯାଉଛି। ତେଣୁ ଏଥିରେ ସଂପୃକ୍ତ ଥିବା ବଡ଼ମାଛମାନଙ୍କ ମଧ୍ୟରେ ଛାନିଆ ପଶିଯାଇଛି। ସମସ୍ତଙ୍କ ଛାତି ଧଡ଼ଧଡ଼ ହେବା ଆରମ୍ଭ କରିଛି।

ଉଲ୍ଲେଖଯୋଗ୍ୟ, ଗତବର୍ଷ ସିସୋର୍‌ ଚିଟ୍‌ଫଣ୍ଡ ମାମଲାରେ ସିବିଆଇ ମାତ୍ର ଥରେ ଚଢ଼ଉ କରିଥିଲା। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଦେବୀ ମିଶ୍ରଙ୍କ ଘରେ ହଠାତ୍ ଚଢ଼ଉକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। କିନ୍ତୁ ପରେ ସବୁକିଛି ଥଣ୍ଡା ପଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର