ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ଜାମିନ୍‌ ଶୁଣାଣି ଘୁଞ୍ଚିଲା

ରୋଜଭ୍ୟାଲି ଚିଟଫଣ୍ଡ ମାମଲା

କଟକ : ରୋଜଭ୍ୟାଲି ଚିଟଫଣ୍ଡ ମାମଲାରେ ଗିରଫ ହୋଇ ଜେଲରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ଜାମିନ୍‌ ଆବେଦନର ଆଜି ହାଇକୋର୍ଟରେ ଶୁଣାଣି ହୋଇଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ୨୦୧୭, ନଭେମ୍ବର ୩ ତାରିଖ ଧାର୍ଯ୍ୟ କରିଛନ୍ତି। ତଦନ୍ତର ସାନି ସ୍ଥିତି ସଂପର୍କରେ ଅବଗତ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ପୂର୍ବରୁ ୨୦୧୭, ଏପ୍ରିଲ ୧୨ରେ ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ପୁଣି ସେ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ଏହାପରେ ତାପସଙ୍କ ପକ୍ଷରୁ ହାଇକୋର୍ଟରେ ଦ୍ୱିତୀୟ ଥର ଲାଗି ଜାମିନ ଆବେଦନ ଦାୟର କରାଯାଇଛି।

ରୋଜ ଭ୍ୟାଲି ଠକେଇ ମାମଲାରେ ୨୦୧୬, ଡିସେମ୍ବର ୩୦ରେ ତାପସଙ୍କୁ ସିବିଆଇ ଗିରଫ କରିଥିଲା। ଏହାପରେ ଭୁବନେଶ୍ୱର ସିବିଆଇ ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ସିବିଆଇ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା ମଧ୍ୟ କରିଥିଲା। ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ସହିତ ଅପରାଧିକ ଷଡଯନ୍ତ୍ରରେ ସାମିଲ ହେବା ସହିତ ରୋଜଭ୍ୟାଲି ଚେନ୍‌ ମାର୍କେଟିଂ ସିଷ୍ଟମ ଲିମିଟେଡ୍‌ରେ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଥିଲେ। ସେ ଜଣେ ଅଭିନେତା ଓ ରାଜନେତା ହୋଇଥିବା ବେଳେ ରୋଜଭ୍ୟାଲି ସଂସ୍ଥାରେ ନିବେଶ କରିବା ପାଇଁ ଜମାକାରୀଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ଅଭିଯୋଗ ରହିଛି। ରୋଜଭ୍ୟାଲି ଠକେଇ ମାମଲାରେ ତାପସଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ ଦାଖଲ କରି ସାରିଛି।

ସମ୍ବନ୍ଧିତ ଖବର