ଭୁବନେଶ୍ବର: ରୋଜ୍ଭ୍ୟାଲି ଚିଟ୍ଫଣ୍ଡ୍ରେ କ୍ଷତିଗ୍ରସ୍ତ ହୋଇଥିବା ଜମାକାରୀଙ୍କୁ ୪୫୦ କୋଟି ଟଙ୍କା ଫେରସ୍ତ ମିଳିବ। ବିଭିନ୍ନ ବ୍ୟାଙ୍କ୍ରେ ରୋଜ୍ଭ୍ୟାଲି ସଂସ୍ଥାର ଫିକ୍ସଡ୍ ଡିପୋଜିଟ୍ ଆକାରରେ ଏହି ୪୫୦କୋଟି ଟଙ୍କା ଥିଲା ଏବଂ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏହାକୁ ଜବତ କରିଥିଲା। ଆଜି ଇଡି ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହେବା ପରେ ଆଶା ହରାଇ ବସିଥିବା ଜମାକାରୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ଏହି ମାମଲାର ତଦନ୍ତ ବେଳେ ରୋଜ୍ଭ୍ୟାଲି ଚିଟ୍ଫଣ୍ଡ ସଂସ୍ଥାର ବିଭିନ୍ନ ବ୍ୟାଙ୍କ୍ରେ ଫିକ୍ସଡ୍ ଜମା ଥିବା ୩୩୨.୭୬କୋଟି ଟଙ୍କାକୁ ଇଡି ଜବତ କରିଥିଲା। ଏବେ ଉକ୍ତ ଜମା ରାଶିର ମୂଲ୍ୟ ୪୫୦ କୋଟି ଟଙ୍କାରେ ପହଞ୍ଚିଛି। ଇଡିର ଭୁବନେଶ୍ବର ଜୋନାଲ୍ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପେସାଲ୍ କୋର୍ଟ (ପିଏମ୍ଏଲ୍ଏ) ତଥା ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟଙ୍କ ନିକଟରେ ଆବେଦନ କରାଯାଇଥିଲା। କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଏହି ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେବା ଲାଗି ଇଡି ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା।
ପଶ୍ଟିମବଙ୍ଗ, ଆସାମ ଓ ତ୍ରିପୁରା ଜମାକାରୀଙ୍କୁ ବି ମିଳିବ
ଫିକ୍ସଡ ଡିପୋଜିଟ୍ରୁ ଜବତ ହୋଇଥିଲା ଏହି ରାଶି
ଇଡିର ଆବେଦନ ଉପରେ ଶୁଣାଣି କରି କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ସମେତ ଆସାମ, ତ୍ରିପୁରା ଓ ପଶ୍ଚିମବଙ୍ଗର ଜମାକାରୀଙ୍କୁ ଏହି ଟଙ୍କା ଫେରସ୍ତ କରାଯିବ। ସୂଚନାଯୋଗ୍ୟ ଯେ ମାର୍ଚ୍ଚ ୭ ତାରିଖରେ ଇଡି ପକ୍ଷରୁ ଆସେଟସ୍ ଡିସ୍ପୋଜାଲ୍ କମିଟି କୋର୍ଟରେ ଏହି ଆବେଦନ କରିଥିଲେ। କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଗଠିତ ଏହି ଆସେଟସ୍ ଡିସ୍ପୋଜାଲ୍ କମିଟିରେ କୋଲକାତା ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ୍ ଦିଲ୍ଲୀପ ସେଠ୍ ଅଧ୍ୟକ୍ଷ ଥିଲେ। ସେଥିରେ ଇଡିର କିଛି ଅଧିକାରୀ ମଧ୍ୟ ସଦସ୍ୟ ଥିଲେ। ଏହି କମିଟି କ୍ଷତିଗ୍ରସ୍ତ ଜମାକାରୀଙ୍କୁ କିପରି ତାଙ୍କ ଜମା ଅର୍ଥ ମିଳିବ, ତାହା ଉପରେ ଗୁରୁତ୍ବ ଦେଉଥିଲା। ଏବେ ଏହି କମିଟିର ଲକ୍ଷ୍ୟ ସାଧନ ହୋଇଛି ବୋଲି କୁହାଯାଉଛି। ସୂଚନାଯୋଗ୍ୟ ଯେ ରୋଜ୍ଭ୍ୟାଲି ଚିଟ୍ପଣ୍ଡ ସଂସ୍ଥାରେ ପାଖାପାଖି ୩୧ଲକ୍ଷ କ୍ଷତିଗ୍ରସ୍ତ ଜମାକାରୀ ନିଜ ନାମ ପଞ୍ଜୀକରଣ କରାଇଛନ୍ତି। ସେହିଭଳି ଆଗକୁ ୩୨ ହଜାର ୩୧୯ଜଣ ଜମାକାରୀଙ୍କ ୨୨କୋଟି ଟଙ୍କା ଫେରିବା ପ୍ରକ୍ରିୟା ଜାରି ରହିଛି। ଯେଉଁ ଜମାକାରୀମାନେ ନାମ ପଞ୍ଜୀକରଣ କରିନାହାନ୍ତି, ସେମାନେ ତୁରନ୍ତ ଉପଯୁକ୍ତ ଫୋରମ୍ରେ ଆସିବାକୁ ଇଡି ପକ୍ଷରୁ କୁହାଯାଇଛି।