ରୋଜଭ୍ୟାଲି ଠକେଇ ମାମଲା : ଜେଲ୍‌ ଗଲେ ଶୁଭ୍ରା କୁଣ୍ଡୁ

ହାର୍ଡ ଡିସ୍କ, ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ
ପ୍ରମାଣ ଆଧାରରେ ଆଗକୁ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ବହୁଚର୍ଚ୍ଚିତ ରୋଜଭ୍ୟାଲି ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ହୋଇଥିବା ସଂସ୍ଥାର ନିର୍ଦ୍ଦେଶିକା ତଥା ଅଭିନେତ୍ରୀ ଶୁଭ୍ରା କୁଣ୍ଡୁଙ୍କ ୫ଦିନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। କୋଲକାତାରୁ ସିବିଆଇର ଏକ ସ୍ବତନ୍ତ୍ର ଟିମ୍ ଆଜି ପୂର୍ବାହ୍ନରେ ଶୁଭ୍ରାଙ୍କୁ କଡ଼ା ସୁରକ୍ଷାବଳୟରେ ବିମାନରେ ଆଣି ଭୁବନେଶ୍ବରରେ ପହଞ୍ଚିଥିଲା। ଏହା ପରେ ସିଧା ସିବିଆଇ କାର୍ଯ୍ୟାଳୟକୁ ନିଆଯାଇଥିଲା। ଅପରାହ୍‌ଣରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ଶୁଭ୍ରାଙ୍କୁ ଝାରପଡ଼ା ଜେଲ୍ ପଠାଇ ଦିଆଯାଇଛି।

ମିଳିଥିବା ସୂଚନା ଅନୁସାରେ, ଶୁଭ୍ରାଙ୍କୁ ୫ଦିନ ପଚରାଉଚରା ଭିତରେ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ତଦନ୍ତକାରୀ ଟିମ୍ ହାତରେ ଲାଗିଛି। କମ୍ପ୍ୟୁଟର ହାର୍ଡଡିସ୍କ, କାଗଜପତ୍ର ଜବତ ହୋଇଛି। ଶୁଭ୍ରା ଯେଉଁ ଦୁଇଟି କମ୍ପାନିର ନିର୍ଦ୍ଦେଶକ ଥିଲେ, ସେ ସମ୍ପର୍କରେ ତଥ୍ୟ ହାସଲ କରିଛି ସିବିଆଇ। ଶୁଭ୍ରା ଫେରାର୍‌ ସମୟରେ ଯେଉଁ ସବୁ ପ୍ରମାଣ ନଷ୍ଟ କରିଥିଲେ, ତାକୁ ଜବତ କରିବା ଲାଗି ତଦନ୍ତକାରୀ ଟିମ୍ ଚେଷ୍ଟା ଜାରି ରଖିଛି। କିନ୍ତୁ ଜେରା ବେଳେ ଯେଉଁ ତଥ୍ୟ ମିଳିଛି ତାହାକୁ ଆଧାର କରି ସିବିଆଇ ଆଗକୁ ପଶ୍ଚିମବଙ୍ଗରେ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେବ ବୋଲି କୁହାଯାଉଛି। ପଶ୍ଚିମବଙ୍ଗରେ ଶାସକ ଦଳ ନେତାଙ୍କ ସହଯୋଗରେ କମ୍ପାନି କାୟା ବିସ୍ତାର କରିଥିଲା ବୋଲି ସିବିଆଇ ଜାଣିବାକୁ ପାଇଛି। କମ୍ପାନି ଓଡ଼ିଶାରୁ ୫ଶହ କୋଟି ଟଙ୍କା ଠକେଇ କରିଥିବା ବେଳେ ଓଡ଼ିଶାରେ କେଉଁ ନେତା ସମ୍ପୃକ୍ତ ଅଛନ୍ତି, ସେନେଇ ସିବିଆଇ ଖୋଳତାଡ଼ ଜାରି ରଖିଛି। ଏହି ଘଟଣା ପରେ ଓଡ଼ିଶାର ନେତାଙ୍କ ଭିତରେ ଛନକା ପଶିଛି। ସୂଚନାଯୋଗ୍ୟ, ପ୍ରାୟ ୪ ବର୍ଷ ଧରି ଫେରାର ଥିବା ଶୁଭ୍ରାଙ୍କୁ ଗତ ୧୫ ତାରିଖରେ ସିବିଆଇ କୋଲକାତାରୁ ଗିରଫ କରିଥିଲା। ୧୭ ତାରିଖରେ ଓଡ଼ିଶା ଆଣି ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ୧୮ ତାରିଖଠାରୁ ଶୁଭ୍ରାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ସିବିଆଇ।

ଖାଇଲେ ରୁଟି, ସନ୍ତୁଳା
ଅଭିନେତ୍ରୀ ଶୁଭ୍ରା କୁଣ୍ଡୁ ଜେଲ ଯିବା ଘଟଣାକୁ ନେଇ ଅନ୍ତେବାସୀଙ୍କ ଭିତରେ ଚର୍ଚ୍ଚା ଜୋର୍‌ ଧରିଛି। ଅପରାହ୍‌ଣରେ ଝାରପଡ଼ା ଜେଲ ଯିବା ପରେ କୋଭିଡ୍‌କୁ ଦୃଷ୍ଟିରେ ରଖି ଶୁଭ୍ରାଙ୍କୁ ମହିଳା ଵାର୍ଡର ସଂଗରୋଧ କେନ୍ଦ୍ରରେ ରଖାଯାଇଛି। ୧୪ ଦିନ ରହିବା ପରେ ସାଧାରଣ ଵାର୍ଡକୁ ଯିବେ। ଅପରାହ୍‌ଣରେ ରେ ପହଞ୍ଚି ଯାଇଥିବାରୁ ଶୁଭ୍ରାଙ୍କୁ କମ୍ବଳ, ଦୁଇଟି ଥାଳି, ଦୁଇଟି ଗିନା ଦିଆ ଯାଇଥିଲା। ଆଜିର ମେନୁ ଅନୁସାରେ ଖାଇବା ପାଇଁ ରୁଟି, ଡାଲି, ସନ୍ତୁଳା ଦିଆଯାଇଥିଲା। ଶୁଭ୍ରା ସେହି ଖାଦ୍ୟ ହିଁ ଖାଇଥିଲେ। କିନ୍ତୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କ ଆଖିକୁ ନିଦ ଆସି ନଥିଲା। ପଞ୍ଚତାରକା ହୋଟେଲରେ ଖାଇବା, ରହିବାରେ ଦିନ କଟୁଥିବା ଶୁଭ୍ରାଙ୍କୁ ଜେଲ୍ ଅଡୁଆ ଲାଗିଥିଲା।

ପୂର୍ବରୁ ଜେଲ ଯାଇଥିଲେ ପ୍ରୀତି ଭାଟିଆ
ଏହା ପୂର୍ବରୁ ବହୁଚର୍ଚ୍ଚିତ ଅର୍ଥତତ୍ତ୍ବ ଚିଟଫଣ୍ଡ ଠକେଇ ମାମଲାରେ ମୁମ୍ବାଇ ମଡେଲ୍ ତଥା ଅଭିନେତ୍ରୀ ପ୍ରୀତି ଭାଟିଆଙ୍କୁ ସିବିଆଇ ୨୦୧୪ ଅକ୍ଟୋବର ୧୦ ତାରିଖରେ ଗିରଫ କରିଥିଲା। ଅର୍ଥତତ୍ତ୍ବ ମୁଖ୍ୟ ପ୍ରଦୀପ ସେଠୀ ଓ ପ୍ରୀତି ଭାଟିଆ ମିଶି ପ୍ରିଜମ ହାଇଟ୍ସ ଫିଲ୍ମସ ଆଣ୍ଡ ଏଣ୍ଟରଟେନମେଣ୍ଟ ପ୍ରାଇଭେଟ ଲିମିଟେଡ୍ ନାଁରେ ଏକ କମ୍ପାନି କରିଥିଲେ। କମ୍ପାନିରେ ପ୍ରଦୀପ ସେଠୀ ଟଙ୍କା ବିନିଯୋଗ କରିଥିଲେ। ପ୍ରୀତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଯାଇଥିଲା। ପ୍ରୀତି ଗିରଫ ହୋଇ ଝାରପଡ଼ା ଜେଲ୍ ଯାଇଥିଲେ। ଦୀର୍ଘ ଦିନ ଧରି ଜେଲ୍‌ରେ ରହିବା ପରେ ଜାମିନ୍‌ରେ ମୁକୁଳିଥିଲେ।

ସମ୍ବନ୍ଧିତ ଖବର