ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ଜାମିନ ଶୁଣାଣି ଶେଷ, ରାୟ ସଂରକ୍ଷିତ

ରୋଜ୍‌ଭ୍ୟାଲି ଠକେଇ

କଟକ : ରୋଜ୍‌ଭ୍ୟାଲି ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ଜାମିନ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ରାୟ ସଂରକ୍ଷିତ ରହିଛି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି ସମୟରେ ଆବେଦନକାରୀ ଓ ସିବିଆଇ ପକ୍ଷରୁ ଚୂଡାନ୍ତ ପର୍ଯ୍ୟାୟ ଯୁକ୍ତି ଉପସ୍ଥାପନ କରାଯାଇଥିଲା। ସିବିଆଇ ପକ୍ଷରୁ ଦର୍ଶାଯାଇଥିଲା ଯେ ତଦନ୍ତ ସମୟରେ କେତେକ ସାକ୍ଷୀଙ୍କ ବୟାନ ସିଆରପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିଲା। ଏହି ବୟାନ ସବୁରେ ତାପସଙ୍କ ବିରୋଧରେ କେତେକ ତଥ୍ୟ ରହିଥିଲା ଓ ଏହାକୁ ତଦନ୍ତ ପରିସରଭୁକ୍ତ କରାଯାଇଥିଲା। ଧାରା ୧୬୪ରେ ରେକର୍ଡ କରାଯାଇଥିବା ବୟାନର ନକଲ ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିଲା। ପୂର୍ବରୁ ୨୦୧୭, ଏପ୍ରିଲ ୧୨ରେ ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ପୁଣି ସେ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ଏହାପରେ ତାପସଙ୍କ ପକ୍ଷରୁ ହାଇକୋର୍ଟରେ ଦ୍ୱିତୀୟ ଥର ଲାଗି ଏହି ଜାମିନ ଆବେଦନ ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର