ସାକ୍ଷୀଙ୍କ ବୟାନ ଦାଖଲ ପାଇଁ ନିର୍ଦ୍ଦେଶ

ରୋଜ୍‌ଭ୍ୟାଲି ଠକେଇରେ ସାଂସଦ ତାପସ ପାଲଙ୍କ ଜାମିନ ଆବେଦନ

କଟକ : ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲ୍‌ଙ୍କ ବିରୋଧରେ ବିଚାରାଧୀନ ରୋଜ୍‌ଭ୍ୟାଲି ଠକେଇ ମାମଲାରେ ସିଆର୍‌ପିସିର ଧାରା ୧୬୪ରେ ରେକର୍ଡ କରାଯାଇଥିବା ସାକ୍ଷୀଙ୍କ ବୟାନ ଦାଖଲ ପାଇଁ ହାଇକୋର୍ଟ ସିବିଆଇକୁ ନିର୍ଦ୍ଦେର୍ଶ ଦେଇଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ତାପସଙ୍କ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୭ରେ କରାଯିବା ପାଇଁ ଦିନ ଧାର୍ଯ୍ୟ କରାଯାଇଛି। ପରବର୍ତ୍ତୀ ଶୁଣାଣି ସମୟରେ ରୋଜ୍‌ଭ୍ୟାଲି ଠକେଇ ଘଟଣାର ସାନି ତଦନ୍ତର ସାନି ସ୍ଥିତି ସଂପର୍କରେ ମଧ୍ୟ ସିବିଆଇ ତଥ୍ୟ ଉପସ୍ଥାପନ କରିବ।

ସୂଚନାଯୋଗ୍ୟ ଯେ ରୋଜ୍‌ ଭ୍ୟାଲି ଠକେଇ ମାମଲାରେ ୨୦୧୬, ଡିସେମ୍ବର ୩୦ରେ ତାପସଙ୍କୁ ସିବିଆଇ ଗିରଫ କରିଥିଲା। ରୋଜ୍‌ଭ୍ୟାଲି ଠକେଇ ମାମଲାରେ ତାପସଙ୍କ ବିରୋଧରେ ସିବିଆଇ ଅଦାଲତରେ ଚାର୍ଜସିଟ ମଧ୍ୟ ଦାଖଲ କରିସାରିଛି। ତାଙ୍କ ବିରୋଧରେ ୫୨ ଲକ୍ଷ ଟଙ୍କାର ଠକେଇ ନେଇ ଅଭିଯୋଗ ରହିଥିବା ଚାର୍ଜସିଟରେ ଉଲ୍ଲେଖ କରାଯାଇଛି। ପୂର୍ବରୁ ଗତ ଏପ୍ରିଲ ୧୨ରେ ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ପୁଣି ସେ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ଏହାପରେ ତାପସଙ୍କ ପକ୍ଷରୁ ହାଇକୋର୍ଟରେ ଦ୍ୱିତୀୟ ଥର ଲାଗି ଜାମିନ ଆବେଦନ ଦାୟର କରାଯାଇଛି।

ସମ୍ବନ୍ଧିତ ଖବର