ରୋଜ୍‌ଭ୍ୟାଲି ଠକେଇ : ସାଂସଦ ତାପସ ପାଲଙ୍କୁ ଜାମିନ

କଟକ : ରୋଜ୍‌ଭ୍ୟାଲି ଠକେଇ ମାମଲାରେ ଗିରଫ ହୋଇ ଜେଲରେ ଥିବା ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୧୭, ଡିସେମ୍ବର ୧୩ରେ ଶ୍ରୀ ପାଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ୨ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନରେ ଛାଡ଼ିବା ପାଇଁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥି ସହିତ ଜାମିନରେ ଛାଡ଼ ପାଇବା ପାଇଁ ଶ୍ରୀ ପାଲ ଭୁବନେଶ୍ୱର ସ୍ପେଶାଲ ସିଜେଏମ୍‌ ଅଦାଲତରେ ୧ କୋଟି ଟଙ୍କା ସହିତ ପାସପୋର୍ଟ ଜମା କରିବେ। ମାମଲାର ଶୁଣାଣି ସମୟରେ ସେ ନିମ୍ନ ଅଦାଲତରେ ଉପସ୍ଥିତ ରହିବେ ବୋଲି ସର୍ତ୍ତାରୋପ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମିଲନ କାନୁନଗୋ ଓ ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ରୋଜ ଭ୍ୟାଲି ଠକେଇ ମାମଲାରେ ୨୦୧୬, ଡିସେମ୍ବର ୩୦ରେ ତାପସଙ୍କୁ ସିବିଆଇ ଗିରଫ କରିଥିଲା। ଏହାପରେ ଭୁବନେଶ୍ୱର ସିବିଆଇ ଅଦାଲତରେ ତାଙ୍କୁ ହାଜର କରାଯାଇଥିଲା। ଅଦାଲତ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଥିଲେ। ସିବିଆଇ ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚୁରା ମଧ୍ୟ କରିଥିଲା। ରୋଜଭ୍ୟାଲି ମୁଖ୍ୟ ଗୌତମ କୁଣ୍ଡୁଙ୍କ ସହିତ ଅପରାଧିକ ଷଡଯନ୍ତ୍ରରେ ସାମିଲ ହେବା ସହିତ ରୋଜଭ୍ୟାଲି ଚେନ୍‌ ମାର୍କେଟିଂ ସିଷ୍ଟମ ଲିମିଟେଡ୍‌ରେ ନିର୍ଦ୍ଦେଶକ ଭାବେ ସେ କାର୍ଯ୍ୟ କରିଥିଲେ। ସେ ଜଣେ ଅଭିନେତା ଓ ରାଜନେତା ହୋଇଥିବା ବେଳେ ରୋଜଭ୍ୟାଲି ସଂସ୍ଥାରେ ନିବେଶ କରିବା ପାଇଁ ଜମାକାରୀଙ୍କୁ ପ୍ରୋତ୍ସାହିତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ୨୦୧୭, ଏପ୍ରିଲ ୧୨ରେ ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ପୁଣି ସେ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ଚାର୍ଜସିଟ ଦାଖଲ ପରେ ତାପସଙ୍କ ପକ୍ଷରୁ ହାଇକୋର୍ଟରେ ଦ୍ୱିତୀୟ ଥର ଲାଗି ଏହି ଜାମିନ ଆବେଦନ ଦାୟର କରାଯାଇଥିଲା।

ସମ୍ବନ୍ଧିତ ଖବର