କଳାହାଣ୍ଡିର ଶିଶୁ ଶିଳ୍ପୀ ରୋଶନ କୁମାର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ଶିଶୁ ଚିତ୍ରଶିଳ୍ପୀ ରୋଶନ ରଣା ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ସେ ଆଙ୍କିଥିବା ‘ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ’ ଶୀର୍ଷକ ଏକ ଆକର୍ଷଣୀୟ ଚିତ୍ର ପାଇଁ ସୋମବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନ ଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ପୁରସ୍କାର ଗ୍ରହଣ କରି ନିଜ ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣି ଦେଇଛନ୍ତି।

କଳାହାଣ୍ଡି ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଭଙ୍ଗାବାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫ମ ଶ୍ରେଣୀର ଛାତ୍ର ରୋଶନ। ଏହି ଶିଶୁ ଶିଳ୍ପୀଙ୍କ ଘର ସେହି ଭଙ୍ଗାବାରି ଗାଁରେ। ପିଲାଟି ଦିନରୁ ଚିତ୍ର ଆଙ୍କିବାରେ ରୁଚି ରଖିଛନ୍ତି। ‘ମୋ ସ୍ୱପ୍ନର ସ୍ୱଚ୍ଛ ଭାରତ’ ଚିତ୍ରାଙ୍କନ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ ପ୍ରଥମ ସ୍ଥାନ ଅଧିକାର କରିବା ପରେ ରାଜ୍ୟ ସ୍ତରରେ ଓ ଜାତୀୟ ସ୍ତରର ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶ୍ରେଷ୍ଠତ୍ୱ ପ୍ରତିପାଦନ କରିଥିଲେ। ସୋମବାର ଗାନ୍ଧୀ ଜୟନ୍ତୀ ଅବସରରେ ଭାରତର ପ୍ରଧାନମନ୍ତ୍ରୀଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି। ପୁରସ୍କାର ବାବଦକୁ ରୋଶନଙ୍କୁ ୧ଲକ୍ଷ ଟଙ୍କା ସହ ପ୍ରଶଂସାପତ୍ର ଓ ଅନ୍ୟ ଉପହାର ପ୍ରଦାନ କରାଯାଇଛି। ଜାତୀୟସ୍ତରରେ ଏହିଭଳି ପୁରସ୍କାର ଲାଭ କରିବାରେ ରୋଶନ ସର୍ବ କନିଷ୍ଠ ଚିତ୍ରଶିଳ୍ପୀ ଅଟନ୍ତି ବୋଲି ଜଣାପଡ଼ିଛି। ଏହି ଖବର ପ୍ରସାରିତ ହେବା ମାତ୍ରେ କଳାହାଣ୍ଡି ଜିଲ୍ଲା ସାରା ଖୁସିର ଲହରୀ ଖେଳି ଯାଇଛି।

ସମ୍ବନ୍ଧିତ ଖବର