ରସଗୋଲା ଯୁଦ୍ଧ : କୋର୍ଟ ଯିବାକୁ ଧମକ ଦେଲେ ପଶ୍ଚିମବଙ୍ଗ ମନ୍ତ୍ରୀ

ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗୁନି

ଭୁବନେଶ୍ୱ : ରସଗୋଲାର ଉତ୍ପତ୍ତିକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ଯୁଦ୍ଧ ନୂଆ ମୋଡ଼ ନେବାକୁ ଯାଉଛି। ପଶ୍ଚିମବଙ୍ଗ ସରକାର ଏ ନେଇ କୋର୍ଟକୁ ଯିବାକୁ ଧମକ ଦେଇଛନ୍ତି। ଅପରପକ୍ଷରେ ଏହି ଲଢ଼େଇରେ ଆରମ୍ଭରୁ ପଛରେ ପଡ଼ି ଯାଇଥିବା ଓଡ଼ିଶା ସରକାରଙ୍କ ନିଦ ଭାଙ୍ଗୁ ନ ଥିବା ଅଭିଯୋଗ ହୋଇଛି।

ପଶ୍ଚିମବଙ୍ଗର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଅବଦୁର ରଜାକ ମୋଲାହ କହିଛନ୍ତି, ରସଗୋଲାର ଉତ୍ପତ୍ତି ପଶ୍ଚିମବଙ୍ଗରେ ହୋଇଥିବା ବେଳେ ଏହାର ଶ୍ର୍ରେୟ ଓଡ଼ିଶାକୁ ନେବାକୁ ଦିଆଯିବ ନାହିଁ। ତେଣୁ ଖୁବଶୀଘ୍ର ଏ ନେଇ କୋର୍ଟରେ ମାମଲା ଦାୟର ହେବ। ଜିଆଇ ଆବେଦନକୁ ମିଶାଇ କୋର୍ଟରେ ଆବେଦନ କରାଯିବ ବୋଲି ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ କୁହାଯାଇଛି।

ରସଗୋଲାର ଶ୍ରେୟ ନେବା ପାଇଁ ଚାଲିଥିବା ଏହି ଯୁଦ୍ଧରେ ପଶ୍ଚିମବଙ୍ଗ ସରକାର ଗୋଟିଏ ପରେ ଗୋଟିଏ ପାହାଚ ଅତିକ୍ରମ କରିବାକୁ ବସିଥିବାବେଳେ ଓଡ଼ିଶା ସରକାର ଉଦାସୀନ ରହିଛନ୍ତି। ଗବେଷକମାନେ ରସଗୋଲାର ଉତ୍ପତ୍ତି ନେଇ ଓଡ଼ିଶା ସପକ୍ଷାରେ ଅନେକ ଐତିହାସିକ ପ୍ରମାଣ ସରକାରଙ୍କୁ ଦେଇଥି ହେଁ ସରକାର ଏ ପର୍ଯ୍ୟନ୍ତ ଜିଆଇ ପାଇଁ ଆବେଦନ କରିନାହାନ୍ତି। ସରକାରଙ୍କ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ମଧ୍ୟ ନିଆଯାଇ ନାହିଁ।

ଗବେଷକ ଅସିତ ମହାନ୍ତିଙ୍କ କହିବାନୁଯାୟୀ, ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲାର ଉପସ୍ଥିତି ଥିବା ସାହିତ୍ୟିକ ପ୍ରମାଣ ରହିଛି। ଯାହାକି ୫ଶହ ବର୍ଷ ପୁରୁଣା। ଅପରପକ୍ଷରେ ପଶ୍ଚିମବଙ୍ଗ ସରକାର ରସଗୋଲାର ଉତ୍ପତ୍ତି ୧୮୬୮ ମସିହାରେ ହୋଇଥିବା କହିଛନ୍ତି। ତେଣୁ ପଶ୍ଚିମବଙ୍ଗ ସରକାରଙ୍କ ରସଗୋଲା ଦାବି ୧୫୦ବର୍ଷ ପୁରୁଣା। ଏଭଳି କ୍ଷେତ୍ରରେ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ମନ୍ତବ୍ୟ ହାସ୍ୟାସ୍ପଦ। ବଙ୍ଗଳା ସରକାରଙ୍କ ନିକଟରେ ଯଦି ରସଗୋଲାର ୫ଶହ ବର୍ଷ ପୁରୁଣା ଉତ୍ପତ୍ତି ସଂପର୍କରେ କୌଣସି ତଥ୍ୟ ରହିଛି ତାହାକୁ ନେଇ ଜିଆଇ କାର୍ଯ୍ୟାଳୟରେ ଦାଖଲ କରନ୍ତୁ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ରାଜ୍ୟ ସରକାର ମଧ୍ୟ ରସଗୋଲା ଘଟଣାରେ ଆଗକୁ ଯାଇ ପାରି ନାହାନ୍ତି। ଗତବର୍ଷ ଜୁଲାଇ ମାସରୁ ରସଗୋଲାର ପ୍ରମାଣ ନେଇ ସମସ୍ତ ତଥ୍ୟ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ଏହାର ବର୍ଷେ ପରେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାନ୍ତି। ରସଗୋଲା ନେଇ କାଗଜପତ୍ର ପ୍ରସ୍ତୁତ କରିବାକୁ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି। ତେବେ ଏ ନେଇ କାଗଜପତ୍ର ପ୍ରସ୍ତୁତ ହୋଇଛି କି ନାହିଁ ତାହା ଜଣାନାହିଁ। ତେଣୁ ରାଜ୍ୟ ସରକାର ନିଦ ଭାଙ୍ଗି ତୁରନ୍ତ ରସଗୋଲାକୁ ଜିଆଇ ମାନ୍ୟତା ଦେବା ପାଇଁ ଆବେଦନ କରନ୍ତୁ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ରସଗୋଲାର ଉତ୍ପତ୍ତି ନେଇ ୨ବର୍ଷ ତଳେ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମୁହାମୁହିଁ ହୋଇଥିଲେ। ପଶ୍ଚିମବଙ୍ଗ ସରକାର ପୂର୍ବରୁ ଜିଆଇ ମାନ୍ୟତା ପାଇଁ ଆବେଦନ କରି ସାରିଛନ୍ତି। ଅପରପକ୍ଷରେ ଓଡ଼ିଶା ସରକାର ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପକ୍ଷରୁ ରସଗୋଲାର ଉତ୍ପତ୍ତି ସଂପର୍କିତ ତଥ୍ୟ ପ୍ରସ୍ତୁତ କରିବା ପାଇଁ ଏକ କମିଟି ଗଠନ କରିଥିଲେ। ଏହି କମିଟି ପରେ ଓଡ଼ିଶାରେ ରସଗୋଲାର ଉତ୍ପତ୍ତି ସଂପର୍କିତ ଐତିହାସିକ ପ୍ରମାଣ ପ୍ରଦାନ କରିଥିଲା।

ସମ୍ବନ୍ଧିତ ଖବର