ବୁଲିଲା ଅର୍ପଣ ରଥ: ଶ୍ରଦ୍ଧାଳୁ ଦେଲେ ଗୁଆ, ଅରୁଆ ଚାଉଳ

ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଜନସାଧାରଣଙ୍କ ଭକ୍ତି ନିବେଦନ
ଶ୍ରୀଜଗନ୍ନାଥ ସଂସ୍କୃତିର ସଂରକ୍ଷଣ, ସୁରକ୍ଷା, ପ୍ରଚାର ପ୍ରସାର, ଓଡ଼ିଶା ସରକାରଙ୍କ ‘ଆମ ଓଡ଼ିଶା ନବୀନ ଓଡ଼ିଶା’’ ଯୋଜନାର ଅନ୍ୟତମ ଅଂଶବିଶେଷ। ଏହି କ୍ରମରେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, ଜାନୁଆରି ୧୭ ତାରିଖ ଦିନ ଐତିହାସିକ ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଲୋକାର୍ପଣ କରିବେ। ଏହି ଐତିହାସିକ ମୁହୂର୍ତ୍ତରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ସମଗ୍ର ରାଜ୍ୟରୁ ଶ୍ରଦ୍ଧାଳୁମାନଙ୍କୁ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ କରିଛନ୍ତି। ଏହି ମୁହୂର୍ତ୍ତକୁ ଅଧିକ ଭାବପୂର୍ଣ୍ଣ କରିବା ପାଇଁ ବିବିଧ ସାଂସ୍କୃତିକ ଓ ପ୍ରଚାରଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମପଞ୍ଚାୟତ ଓ ବ୍ଲକ୍‌ରୁ ସମସ୍ତ ଶ୍ରଦ୍ଧାଳୁଙ୍କ ଅଂଶଗ୍ରହଣ ପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଏହି କ୍ରମରେ, ଆଜି ୬ ତାରିଖ ଠାରୁ ୧୬ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ଓ ବ୍ଲକ୍‌ରେ ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ ବିବିଧ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି।

ପଞ୍ଚାୟତ ସମିତିର ଯୋଜନା ଅନୁଯାୟୀ, ତିନିଟି ଅର୍ପଣ ରଥ ୬ ତାରିଖଠାରୁ ୧୪ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ସମିତିର ସମସ୍ତ ଗ୍ରାମରେ ଘରକୁ ଘର ବୁଲି ପ୍ରତ୍ୟେକ ପରିବାରରୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବେ। ଏହି କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି।
ପ୍ରଥମ ଦିବସରେ, ଅର୍ପଣ ରଥ ତିନିଟି ନନ୍ଦିକ, କଞ୍ଚୁରୁ, ଦୟାପଲ୍ଲୀ ଓ ଗୋଦରାପଲ୍ଲୀ ଗ୍ରାମରେ ଭ୍ରମଣ କରି ଏକ ଆଧ୍ୟାତ୍ମିକ ପରିବେଶରେ ଓ ସମବେତ ଜନତାଙ୍କ ଉପସ୍ଥିତିରେ ଅର୍ପଣ ସଂଗ୍ରହ କରିଛନ୍ତି। ନନ୍ଦିକ ଗ୍ରାମରେ ଏହି କାର୍ଯ୍ୟକ୍ରମକୁ ଗଞ୍ଜାମ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଭି କୀର୍ତ୍ତିଭାସନ ଶୁଭାରମ୍ଭ କରିଥିଲେ। ପ୍ରଥମେ ନନ୍ଦିକ ଗ୍ରାମସ୍ଥିତ ସୁନ୍ଦର ମାଧବ ମନ୍ଦିରରୁ ପ୍ରଭୁଙ୍କର ଆଜ୍ଞାମାଳ ଅଣାଯାଇ ଅର୍ପଣ ରଥ ପରିକ୍ରମା ଶୁଭାରମ୍ଭ କରାଯାଇଥିଲା। ଅର୍ପଣ ରଥ ସହିତ ଗ୍ରାମର ସଂକୀର୍ତ୍ତନ ମଣ୍ଡଳୀ ଓ ଗ୍ରାମବାସୀ ଗ୍ରାମ ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ କୃଷି ବିପଣନ ସଂସ୍ଥାର ଉପଦେଷ୍ଟା ଶ୍ରୀ ସୁରେନ୍ଦ୍ରନାଥ ପ୍ରଧାନ, ୬୮ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟ ଶ୍ରୀ ଏଳା ସୁର୍ଦଶନ, ସରପଞ୍ଚ ଶ୍ରୀ କୃଷ୍ଣଚନ୍ଦ୍ର ଭଉଳ, ସମିତିସଭ୍ୟା ପ୍ରତିନିଧି ଶ୍ରୀ ସୁନୀଲ ପରିଡ଼ା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁବ୍ରତ କୁମାର ଜେନା, ସିଡିପିଓ ଗଙ୍ଗୀ ସୁବୁଦ୍ଧି, ପିଇଓ ବିଜୟ ସେଠୀ ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଦ୍ବିତୀୟ ଅର୍ପଣ ରଥଟି କଞ୍ଚୁରୁ ଗ୍ରାମ ଜଗନ୍ନାଥ ମନ୍ଦିରଠାରୁ ଯାତ୍ରା ଆରମ୍ଭ କରି କଞ୍ଚୁରୁ ଗ୍ରାମ ପରିକ୍ରମା କରିଥିଲା।

ଏହି କାର୍ଯ୍ୟକ୍ରମରେ ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ସରସ୍ୱତୀ ସେଠୀ, ଜିଲ୍ଲା ଯୋଜନା ବୋର୍ଡର ବରିଷ୍ଠ ସଦସ୍ୟ ଶ୍ରୀ ଏନ୍‌ ରଘୁନାଥ, ୬୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟା ଶ୍ରୀମତୀ ବାଇ ଗୀତାଞ୍ଜଳି, ସରପଞ୍ଚ ଶ୍ରୀ ମଦନ ସେଠୀ, ପିଇଓ ପ୍ରତାପ ସାହୁ ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।
ତୃତୀୟ ଅର୍ପଣ ରଥଟି ଦୟାପଲ୍ଲୀ ଗ୍ରାମର ବାଲୁଙ୍କେଶ୍ବର ମନ୍ଦିର ପ୍ରାଙ୍ଗଣରୁ ଯାତ୍ରା ଶୁଭାରମ୍ଭ କରି ଗ୍ରାମ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ୬୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ ସଭ୍ୟା ଶ୍ରୀମତୀ ପ୍ରୀତି ସାହୁ, ସରପଞ୍ଚ ବି ସଞ୍ଜିତା, ସମିତିସଭ୍ୟ ଇପିଲି ରାଜାରାଓ, ପିଇଓ ଶଙ୍କର ରାଓ ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଅପରାହ୍ଣରେ ଏହି ଅର୍ପଣ ରଥଟି ଦୁର୍ବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗୋଦରାପଲ୍ଲୀ ଗ୍ରାମରେ ପରିକ୍ରମା କରିଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଶ୍ରୀ ସନ୍ତୋଷ ସାହୁ, ସମିତିସଭ୍ୟ ଜଗବନ୍ଧୁ ସାହୁ, ପିଇଓ ପ୍ରତାପ ସାହୁ, ଅଭିମନ୍ୟୁ ସାହୁ, ରାମହରି ଶର୍ମା ଓ ପଞ୍ଚାୟତର ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଆସନ୍ତାକାଲି ଅର୍ପଣ ରଥ ତ୍ରୟ କଞ୍ଚୁରୁ ଗ୍ରାମପଞ୍ଚାୟତର ଅବଶିଷ୍ଟ ଗ୍ରାମ ରାଲବ ଗ୍ରାମ ଓ ଦୁର୍ବନ୍ଧ ଗ୍ରାମରେ ପରିକ୍ରମା କରି ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଅରୁଆ ଚାଉଳ ଓ ଗୁଆ ସଂଗ୍ରହ କରିବେ।

ଐଶାନ୍ୟ କୋଣରେ ଚାଲିଛି ଯଜ୍ଞକୁଣ୍ଡ ନିର୍ମାଣ

ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ। ଏହି ଉପଲକ୍ଷେ ଜାନୁଆରି ୧୨ ତାରିଖରୁ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଚାରିଦ୍ବାରରେ ଚାରିବେଦ ପାଠ ସହ ନାମ ମହାଯଜ୍ଞର ଆୟୋଜନ କରାଯାଇଛି। ୧୦୮ଜଣ ବ୍ରାହ୍ମଣ ବେଦପାଠ ଓ ମହାଯଜ୍ଞ ଦାୟିତ୍ବ ତୁଲାଇବେ। ମୁକ୍ତିମଣ୍ଡପ ବ୍ରାହ୍ମଣ ଓ ଶ୍ରୀମନ୍ଦିର ପୁରୋହିତଙ୍କ ପରାମର୍ଶ ପରେ ଶ୍ରୀମନ୍ଦିରର ଐଶାନ୍ୟ କୋଣରେ ଚିହ୍ନଟ ସ୍ଥାନରେ ମହାଯଜ୍ଞ କୁଣ୍ଡ ନିର୍ମାଣ ଆରମ୍ଭ ହୋଇଛି। ବର୍ଗାକାରର ଏହି ଯଜ୍ଞ କୁଣ୍ଡ ଇଟାରେ ଗଢ଼ା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଜାନୁଆରି ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହେବ। ଏହାର ୬ ଦିନ ପୂର୍ବରୁ ଅର୍ଥାତ୍‌ ଜାନୁଆରି ୧୨ରୁ ୧୭ ତାରିଖ ପର୍ଯ୍ୟନ୍ତ, ୬ ଦିନ ଧରି ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହେବ। ଚାରିଦ୍ବାରରେ ଚାରି ବେଦ ପାଠ ସାଙ୍ଗକୁ ନାମ ସଂକୀର୍ତ୍ତନ ହେବ। ଚାରି ବେଦ ପାଠ ପାଇଁ ଚାରିଦ୍ବାରରେ ବେଦମଣ୍ଡପ ନିର୍ମାଣ କରାଯିବ। ଜାନୁଆରି ୧୭ ତାରିଖରେ ଅପରାହ୍ଣ ସାଢ଼େ ଗୋଟାଏରୁ ୨ଟା ୨୫ ଭିତରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହାଯଜ୍ଞର ପୂର୍ଣ୍ଣାହୂତି ଦିଆଯିବ ଓ ପରିକ୍ରମା ପ୍ରକଳ୍ପର ଫଳକ ଲୋକାର୍ପଣ କରାଯିବ।

ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହେଲା ଗ୍ରାମ ପରିବେଶ
ମହାପ୍ରଭୁ ଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା। ପ୍ରତିଟି ହୃଦୟର ସ୍ପନ୍ଦନ। ପ୍ରତ୍ୟେକ ଜୀବର ଜୀବନସତ୍ତା। ତାଙ୍କ ନାମ ଆଜି ପ୍ରକମ୍ପିତ ହୋଇ ଉଠିଛି ଗାଁ ଗାଁ ରେ। ଚଳିତ ମାସ ୧୭ ତାରିଖରେ ଲୋକାର୍ପିତ ହେବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ। ଏହି ଭବ୍ୟ କାର୍ଯ୍ୟକ୍ରମର ସାକ୍ଷୀ ରହିବେ ପ୍ରତିଟି ଓଡ଼ିଆ। ସମସ୍ତଙ୍କ ପ୍ରାଣରେ ସଞ୍ଚରିତ ହୋଇଛି ଜୟ ଜଗନ୍ନାଥ ଧ୍ୱନି। ଜଗନ୍ନାଥ ସଂସ୍କୃତି ଓ ଜଗନ୍ନାଥ ଚେତନାକୁ ଋଦ୍ଧିମନ୍ତ କରିବା ଲକ୍ଷ୍ୟରେ ଆଜି ଠାରୁ ରାଜ୍ୟରେ ଗଡିଛି ଅର୍ପଣ ରଥ। ଏହା ପ୍ରତ୍ୟେକ ଗ୍ରାମର ପ୍ରତିଟି ଘରୁ ପ୍ରଭୁଙ୍କୁ ସମର୍ପଣ ଓ ସଂକଳ୍ପର ଅସ୍ମିତାର ପ୍ରତୀକ ‘ଅକ୍ଷତ ଓ ଗୁଆ ସଂଗ୍ରହ କରୁଛି। ପୁରୀ ଜିଲ୍ଲାର ୧୧ ଟି ବ୍ଲକ୍‌ର ୨୬୮ ପଞ୍ଚାୟତର ସବୁ ଗ୍ରାମରୁ ଅର୍ପଣ ରଥ ମାଧ୍ୟମରେ ଏହି ଅକ୍ଷତ ବା ଅରୁଆ ଚାଉଳ ଓ ଗୁଆ ସଂଗ୍ରହ ହେଉଛି। ଆଜି ପ୍ରଥମ ଦିନରେ ଜିଲ୍ଲାର ୨୫ ଟି ପଞ୍ଚାୟତ ବୁଲିଛି ଅର୍ପଣ ରଥ। ଅର୍ପଣ ରଥକୁ ସ୍ବାଗତ କରିବାକୁ ଗାଁ ଦାଣ୍ତରେ ମହିଳା, ଯୁବତୀଙ୍କ ଦ୍ବାରା ସୁନ୍ଦର ସୁନ୍ଦର ଚିତା, ଫୁଲ ପକାଇ ସଜାଇ ଦିଆଯାଇଥିଲା । ପ୍ରତ୍ୟେକ ଗାଁର ଲୋକେ ଫୁଲ, ଚନ୍ଦନ, ଶଙ୍ଖ, ହରିବୋଲ ଓ ହୁଳିହୁଳି ପକାଇ ଅର୍ପଣ ରଥକୁ ଭବ୍ୟ ସ୍ବାଗତ ଜଣାଇଥିଲେ। ରଥ ଆଗରେ ମହିଳା, ପୁରୁଷ ଜଗନ୍ନାଥ ପ୍ରେମୀ ଓ ସଂକୀର୍ତ୍ତନ ମଣ୍ତଳୀ ରଥକୁ ଆଗକୁ ଆଗକୁ ପାଛୋଟି ନେଉଥିଲେ। ଶ୍ରଦ୍ଧାଳୁମାନେ ଘରୁ ଅରୁଆ ଚାଉଳ, ଗୁଆ, ନଡିଆ, ଧୂପ ଓ ପ୍ରଣାମି ଆଣି ରଥରେ ଥିବା ଦାନ ପାତ୍ରରେ ପକାଉଥିବା ଦେଖିବାକୁ ମିଳିଛି। ରଥ ଆସିବା ପରେ ସମସ୍ତ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା । ଜୟ ଜଗନ୍ନାଥ ଧ୍ବନିରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଛି।
ସଦର ବ୍ଲକ୍‌ର ଗୋପୀନାଥପୁର, କାଶୀହରିହରପୁର, ମାଳତୀପାଟପୁର, ତାଳଜଙ୍ଗା, କଣାସ ବ୍ଲକ୍‌ର ଗଡ଼ସାନପୂଟ ଓ ଅଁଳାଯୋଡି ପଞ୍ଚାୟତ, କାକଟପୁର ବ୍ଲକ୍‌ର କାକଟପୁର ପଞ୍ଚାୟତ, କୃଷ୍ଣପ୍ରସାଦ ବ୍ଲକ୍‌ର ନୂଆପଡ଼ା ପଞ୍ଚାୟତ, ନିମାପଡ଼ା ବ୍ଲକ୍‌ର ଭୋଗସଳଦା ପଞ୍ଚାୟତ, ଗୋପ ବ୍ଲକ୍‌ର ଛଇତନା ପଞ୍ଚାୟତ, ବ୍ରହ୍ମଗିରି ବ୍ଲକ୍‌ର ଆମ୍ବପଡା ଓ ଡିମିରିସେଣା ପଞ୍ଚାୟତ, ପିପିଲି ବ୍ଲକ୍‌ର ପାଣିଦୋଳ, ଦାଣ୍ଡମୁକୁନ୍ଦପୁର, ତେଇଶିପୁର ପଞ୍ଚାୟତ, ଅସ୍ତରଙ୍ଗ ବ୍ଲକ୍‌ର ଆଳସିହି, ଅଳଙ୍ଗପୁର, ନାଗର, ନଇଗୁଆଁ, ଅସ୍ତରଙ୍ଗ ପଞ୍ଚାୟତ, ଡେଲାଙ୍ଗ ବ୍ଲକ୍‌ର ସୁଜନପୁର ପଞ୍ଚାୟତ, ସତ୍ୟବାଦୀ ବ୍ଲକ୍‌ର ସୁକଳ ଓ ଡୁଗଲ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆଜି ଅର୍ପଣ ରଥ ପରିକ୍ରମା କରିଥିଲା। ଏହି ରଥକୁ ପ୍ରତି ସ୍ଥାନରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା ମିଳିଥିଲା। ପରିକ୍ରମା ପ୍ରକଳ୍ପର ଡିଜାଇନକୁ ନେଇ ପ୍ରସ୍ତୁତ ହୋଇଥିବା ଏହି ରଥ ପହଞ୍ଚିବା କ୍ଷଣି ହରିବୋଲ, ହୁଳହୁଳି, ସଂକୀର୍ତ୍ତନ, ଶଙ୍ଖ ଧ୍ୱନିରେ ପ୍ରକମ୍ପିତ ହୋଇ ଉଠିଥିଲା ସମଗ୍ର ଅଞ୍ଚଳ। ସ୍ୱତଃପୂତଃ ଭାବେ ପ୍ରତି ଘରୁ ମା’ମାନେ ଅକ୍ଷତ ଓ ଗୁଆ ଉଦ୍ଦିଷ୍ଟ ପାତ୍ରରେ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର