ସାରନଗରୀ (ରାଉରକେଲା) : ୪ ଦିନ ହେଲା ଘରର ଏକମାତ୍ର ପୁଅର ଶବ ପଡ଼ିଛି କୋଲକାତାର ଏକ ହସ୍‌ପିଟାଲ ମର୍ଗରେ। କିନ୍ତୁ ଅନ୍ତିମ ସଂସ୍କାର ହୋଇ ପାରୁନାହିଁ। ରାଉରକେଲାରେ ଥାଇ ବାପା, ମା ଓ ତାଙ୍କ ବିଧବା ପତ୍ନୀ ଦିନରାତି ଆଖିରୁ ଲୁହ ଗଡ଼ାଉଛନ୍ତି। ଆଉ କିଛି ଉପାୟ ନାହିଁ ସେମାନଙ୍କ ପାଖରେ।

Advertisment

ପରିବାର ପ୍ରତିପୋଷଣ ପାଇଁ କଲିକତାରେ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିଲେ ରାଉରକେଲା ସାରନଗରୀ ନବକୃଷ୍ଣନଗରର ଅନନ୍ତ ନାରାୟଣ ଭୋଳ(୪୨)। ତାଙ୍କ ବାପା ବିଜୟ ଭୋଳ ହେଉଛନ୍ତି ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ। ଅନନ୍ତ ତାଙ୍କରଏକମାତ୍ର ପୁଅ। ଅନନ୍ତଙ୍କ ପତ୍ନୀ ଓ ପୁଅ ସାରନଗରୀରେ ବାପା, ମା’ଙ୍କ ନିକଟରେ ରହନ୍ତି। ବିଜୟଙ୍କ କହିବାନୁଯାୟୀ, ୮ ମାସ ତଳେ ତାଙ୍କ ପୁଅ ଆଗ୍ରାରୁ ଚାକିରି ଛାଡ଼ି କଲିକତା ନ୍ୟୁ ଟାଉନ୍‌ର ଟେକ୍‌ ମହିନ୍ଦ୍ରା କମ୍ପାନିରେ ଯୋଗ ଦେଇଥିଲେ। ଜୁଲାଇ ଦ୍ବିତୀୟ ସପ୍ତାହରେ ତାଙ୍କୁ ଥଣ୍ଡା ଜ୍ବର ହୋଇଥିଲା। ଗତ ୨୧ ତାରିଖ ଭୋର୍‌ ପ୍ରାୟ ୫ଟା ୨୦ ମିନିଟ୍‌ରେ ନିଶ୍ବାସ ପ୍ରଶ୍ବାସରେ କଷ୍ଟ ଅନୁଭବ ହେବାରୁ ଅନନ୍ତ ରାଉରକେଲାରେ ଥିବା ପରିବାରକୁ ଭିଡିଓ କଲ୍‌ କରି ଜଣାଇଥିଲେ। ଏଭଳି ଅବସ୍ଥା ଦେଖି ବାପା ତାଙ୍କୁ କୌଣସି ଘରୋଇ ହସ୍ପିଟାଲରେ ଭର୍ତ୍ତି ହେବାକୁ କହିଥିଲେ। ଅନନ୍ତ ଆମ୍ବୁଲାନ୍ସ ଡକାଇ ସ୍ଥାନୀୟ ହସ୍ପିଟାଲକୁ ଯାଇଥିଲେ।‌ କିନ୍ତୁ ହସ୍ପିଟାଲ କର୍ତ୍ତୃପକ୍ଷ ଆପତକାଳୀନ ୱାର୍ଡରେ ବେଡ୍‌ ନାହିଁ ବୋଲି ମନା କରି ଦେଇଥିଲେ। ସେଠାରୁ ଫେରି ସେ ନିକଟରେ ଥିବା ଆମ୍ରି ହସ୍ପିଟାଲକୁ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ ଫେରାଇ ଦିଆ ଯାଇଥିଲା। ଶେଷରେ ପରଦିନ ସକାଳ ପ୍ରାୟ ସାଢ଼େ ୭ଟାରେ ସେ ମୁକୁନ୍ଦପୁର ଥାନା ଅନ୍ତର୍ଗତ ଆର୍‌.ଏନ୍. ଟାଗୋର ହସ୍ପିଟାଲକୁ ଯାଇଥିଲେ। ହସ୍ପିଟାଲରେ ସେ ପହଞ୍ଚିବା ପରେ ପରେ ହିଁ ଡାକ୍ତର ତାଙ୍କୁ ମୃତ‌ ‌ଘୋଷଣା କରିଥିଲେ। ଅର୍ଥାତ୍ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ନ୍ୟୁ ଟାଉନ ଥାନା ଅଧିକାରୀ ପରିବାରକୁ ଟେଲିଫୋନ୍ ଯୋଗେ ମୃତ୍ୟୁ ଖବର ଜଣାଇବା ପରେ ଅନନ୍ତଙ୍କ ଶବକୁ ହସ୍ପିଟାଲ ମର୍ଗ ହାଉସରେ ରଖିଦେଲେ। ସେହିଦିନ ତାଙ୍କର ସ୍ବାବ୍‌ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ପୁଲିସ ପକ୍ଷରୁ କୁହା ଯାଇଥିଲା ଯେ ଯଦି ତାଙ୍କର ନେଗେଟିଭ୍ ଆସେ, ତେବେ ହିଁ ଶବକୁ ପୁଲିସ ରାଉରକେଲା ପଠାଇବାର ବ୍ୟବସ୍ଥା କରିବ। କିନ୍ତୁ ପରଦିନ, ଅର୍ଥାତ୍‌ ୨୨ରେ ସ୍ବାବ୍ ପରୀକ୍ଷାର ଫଳ ପଜିଟିଭ୍‌ ଆସିଥିଲା। ପୁଅ କରୋନା ଆକ୍ରାନ୍ତ ଥିବା ଜାଣିବା ପରେ ବିଜୟ ଶବକୁ ସେଠାରେ ସଂସ୍କାର କରିଦେବା ଲାଗି ନ୍ୟୁ ଟାଉନ୍‌ ଥାନା ଅଧିକାରୀଙ୍କୁ ଅନୁରୋଧ କରିଥିଲେ। କାରଣ କରୋନା ଆକ୍ରାନ୍ତଙ୍କ ଶବକୁ ରାଉରକେଲା ଆଣିବା ତ କଷ୍ଟକର, ସେଥିପାଇଁ ସରକାରୀ ଅନୁମତି ମିଳିବା ଆହୁରି କଠିନ। ପୁଣି ଶବକୁ ଘରକୁ ନେବାଲାଗି ପ୍ରଶାସନ ମଧ୍ୟ ଅନୁମତି ଦେବନାହିଁ। କିନ୍ତୁ ଆବଶ୍ୟକ କାଗଜପତ୍ର ଜମା ନ କରିବା ପର୍ଯ୍ୟନ୍ତ ଶବ ସଂସ୍କାର ହୋଇପାରିବ ନାହିଁ ବୋଲି ଥାନା ଅଧିକାରୀ କହିଥିଲେ। ଥାନା ଅଧିକାରୀଙ୍କ କହିବାନୁଯାୟୀ ବିଜୟ ଶବ ସଂସ୍କାର ପାଇଁ ଅନୁମତିପତ୍ର ଓ ଆବଶ୍ୟକ କାଗଜପତ୍ର ଏବଂ ଆଧାରକାର୍ଡ ଆଦି ମେଲ୍‌ ଯୋଗେ ପଠାଇଥିଲେ। ସେଠାରେ ରହୁଥିବା ଜଣେ ସମ୍ପର୍କୀୟ ଝିଆରିଙ୍କ ଆଧାର କାର୍ଡ ମଧ୍ୟ ଦେଇଥିଲେ। କିନ୍ତୁ ପୁଲିସ ଝିଆରିଙ୍କ ବାପା ସ୍ବର୍ଗତ ବଳରାମ ରାଉଳଙ୍କ ଆଧାର କାର୍ଡ ମାଗିଥିଲା। ଆଧାର କାର୍ଡ ଜମା ନ କରିବାରୁ ଶବ ସଂସ୍କାର ଏଯାଏ ହୋଇ ପାରିନାହିଁ।

ଏ ବିଷୟରେ ବିଜୟ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେଙ୍କୁ ଜଣାଇବାରୁ ସେ ଏ ସଂକ୍ରାନ୍ତରେ କଲିକତାର ସ୍ଥାନୀୟ ପ୍ରଶାସନ ସହ ଆଲୋଚନା କରିବା ପରେ ଶବ ସଂସ୍କାର ପାଇଁ ବାଟ ଖୋଲିଛି। ହସ୍ପିଟାଲରୁ ମିଳିଥିବା ଆବଶ୍ୟକ କାଗଜପତ୍ର ନ୍ୟୁ ଟାଉନ୍‌ ଥାନାକୁ ହସ୍ତାନ୍ତର କରାଯାଇଛି। ଶବ ସଂସ୍କାରର ଭିଡିଓ କ୍ଲିପ୍‌, ଫଟୋ ଓ ଅସ୍ଥି ପରିବାରକୁ ଦେବାର ବ୍ୟବସ୍ଥା କରିବା ଲାଗି ଶ୍ରୀମତୀ ନରୱଣେ ପ୍ରତିଶ୍ରୁତି ଦେଇଛନ୍ତି। ସର୍ବଶେଷ ଖବର ଅନୁସାରେ, ଆସନ୍ତାକାଲି (ଶନିବାର) ଅନନ୍ତଙ୍କର ଶବ ସଂସ୍କାର ହେବ ବୋଲି ଜଣାପଡିଛି।