ରାଉରକେଲା: ରାଉରକେଲା ବିମାନବନ୍ଦରର ନିର୍ମାଣ କାମ ଶେଷ ହେବାକୁ ଯାଉଥିବା ବେଳେ ଏହାକୁ ପରିବେଶ ଅନୁମୋଦନ ମିଳିଛି। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଷ୍ଟିଲ ଟାଉନ୍ସିପ୍ର ସେକ୍ଟର-୧୪ରେ ନିର୍ମାଣାଧୀନ ଏହି ବିମାନବନ୍ଦରକୁ ଷ୍ଟେଟ୍ ଏନ୍ଭାରମେଣ୍ଟ ଇମ୍ପାକ୍ଟ ଆସେସ୍ମେଣ୍ଟ ଅଥରିଟି (ଏସ୍ଇଆଇଏଏ)ର ୯୩ତମ ବୈଠକରେ ପରିବେଶ ଅନୁମୋଦନ ମିଳିଥିବା ନେଇ ସୂଚନା ମିଳିଛି। ଏହି ବିମାନବନ୍ଦର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ମାଲିକାନାରେ କାର୍ଯ୍ୟ କରିବ। ଏଠାରୁ ୩ ବର୍ଷ ପାଇଁ ବିମାନ ଉଡାଣର ପରିଚାଳନା କରିବ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ।
୨୦୨୩ରେ ଖେଳା ଯିବାକୁ ଥିବା ପୁରୁଷ ବିଶ୍ୱକପ ହକିକୁ ଦୃଷ୍ଟିରେ ରଖି ରାଉରକେଲାରେ ବିମାନବନ୍ଦରର ନିର୍ମାଣ କରାଯାଉଛି। ଗତ ମେ’ ମାସରେ ରାଜ୍ୟ ମୁଖ୍ୟ ଶାସନ ସଚିବ ରାଉରକେଲା ଗସ୍ତ କରି ସମୀକ୍ଷା ବୈଠକ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ହକି ଷ୍ଟାଡିୟମର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
୨୦୨୩ରେ ଭୁବନେଶ୍ୱର ଓ ରାଉରକେଲାରେ ପୁରୁଷ ବିଶ୍ଵକପ ହକି ଖେଳାଯିବ। ଏଥିପାଇଁ ରାଉରକେଲାଠାରେ ଦେଶର ସର୍ବ ବୃହତ୍ ହକି ଷ୍ଟାଡିୟମ ନିର୍ମାଣ କରାଯାଉଛି। ଏଠାରେ ୨୦ ହଜାର ଦର୍ଶକ ଏକାସାଙ୍ଗରେ ବସି ଖେଳ ଉପଭୋଗ କରିପାରିବେ। ଷ୍ଟାଡିୟମକୁ ସଂଯୋଗ କରୁଥିବା ରାସ୍ତାଗୁଡ଼ିକର ମଧ୍ୟ ଉନ୍ନତିକରଣ କରାଯାଉଛି। ଖୁବଶୀଘ୍ର ମୁଖ୍ୟ ଷ୍ଟାଡିୟମର ଗ୍ୟାଲେରୀ ଏବଂ ଖେଳାଳିମାନଙ୍କ ଅଭ୍ୟାସ ପାଇଁ ଥିବା ପଡ଼ିଆ ପ୍ରସ୍ତୁତ ହୋଇଯିବ। ସେଠାରେ ବିଶ୍ୱକପ ପୂର୍ବରୁ ଅଭ୍ୟାସ ମ୍ୟାଚଗୁଡ଼ିକ ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ବିପିୟୁଟି କ୍ୟାମ୍ପସରେ ଖେଳାଳିମାନଙ୍କ ରହିବା ପାଇଁ ବିଶେଷ ବ୍ୟବସ୍ଥା କରାଯାଉଛି।
ପୁରୁଷ ବିଶ୍ଵକପ ହକିକୁ ଦୃଷ୍ଟିରେ ରଖି ସ୍ମାର୍ଟ ସିଟି ରାଉରକେଲାରେ ଅନେକ ଉନ୍ନୟନମୂଳକ କାମ ଚାଲିଛି। ବିଶେଷକରି ପାର୍କଗୁଡ଼ିକର ବିକାଶ ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟକରଣ କାମ କରାଯାଉଛି। ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବା ପାଇଁ ମୁଖ୍ୟ ଶାସନ ସଚିବ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।