ରାଉରକେଲା: ପାନପୋଷ କ୍ରୀଡ଼ା ଛାତ୍ରାବାସ ପଡ଼ିଆରେ ଚାଲିଥିବା ରାଜ୍ୟସ୍ତରୀୟ କନିଷ୍ଠ ବାଳିକା ନେହରୁ ହକି ପ୍ରତିଯୋଗିତାର ଫାଇନାଲ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଯାଇଛି। ମଙ୍ଗଲବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌କୁ ଜିତି ବୀର୍ସା ମୁଣ୍ଡା ବିଦ୍ୟାପୀଠ(ରାଉରକେଲା) ଓ କପିଳାଶ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ(ଢ଼େଙ୍କାନାଳ) ଫାଇନାଲ ପ୍ରବେଶ କରିଛନ୍ତି। ବୁଧବାର ସକାଳ ୯ଟାରେ ଉଭୟ ଦଳ ମଧ୍ୟରେ ଫାଇନାଲ ମ୍ୟାଚ୍‌ ଖେଳାଯିବ।

Advertisment

publive-image

ମଙ୍ଗଲବାର ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ବୀର୍ସା ମୁଣ୍ଡା ବିଦ୍ୟାପୀଠ ଓ ଦୁଧିଆନାଳୀ ହାଇସ୍କୁଲ(ଦେବଗଡ଼) ମଧ୍ୟରେ ଖେଳାଯାଇଥିଲା। ମ୍ୟାଚ୍‌କୁ ସଂପୂର୍ଣ୍ଣ ଏକତରଫାଭାବେ ରାଉରକେଲା ଦଳ ୪-୦ ଗୋଲ୍‌ରେ ଜିତି ପ୍ରଥମ ଦଳଭାବେ ଫାଇନାଲ ପ୍ରବେଶ କରିଥିଲା। ତେବେ କପିଳାଶ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଓ ନିର୍ମଳା ବାଳିକା ଉଚ୍ଚ ବିଦ୍ୟାଳୟ(ସମ୍ବଲପୁର) ମଧ୍ୟରେ ଖେଳାଯାଇଥିବା ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍‌ରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। କିନ୍ତୁ ଚମତ୍କାର କ୍ରୀଡ଼ାନୈପୁଣ୍ୟ ପ୍ରଦର୍ଶନ କରି କପିଳାଶ ଢ଼େଙ୍କାନାଳ ଦଳ ୨-୧ ଗୋଲ୍‌ରେ ମ୍ୟାଚ୍‌ ଜିତି ନେଇଥିଲା। ପ୍ରକାଶଥାଉକି, ଗତକାଲି ନିଜ ନିଜ କ୍ବାର୍ଟର ଫାଇନାଲ ମ୍ୟାଚ୍‌କୁ ଜିତି ରାଉରକେଲା ଓ ସମ୍ବଲପୁର ଦଳ ସେମିଫାଇନାଲ ସ୍ଥାନ ସୁରକ୍ଷିତ ରଖିଥିଲେ। ଆଜି ପୂର୍ବାହ୍ନରେ ଅନ୍ୟ ଦୁଇ କ୍ବାର୍ଟର ଫାଇନାଲ ମ୍ୟାଚ୍‌ ଖେଳାଯାଇଥିଲା। ପ୍ରଥମ କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ ଦୁଧିଆନାଳୀ ଉଚ୍ଚ ବିଦ୍ୟାଳୟ ୭-୦ ଗୋଲ୍‌ରେ ଜବାହାର ନବୋଦୟ ବିଦ୍ୟାଳୟ(ଝାରସୁଗୁଡ଼ା) ଓ ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚ୍‌ରେ କପିଳାଶ ଦଳ ୫-୦ ଗୋଲ୍‌ରେ ବି.ସି. ହାଇସ୍କୁଲ(ନୟାଗଡ଼)କୁ ପରାସ୍ତକରି ସେମିଫାଇନାଲ ପ୍ରବେଶ କରିଥିଲେ। ରମନଦୀପ ଲାକ୍ରା, ବିଜୁ ଏକ୍କା, ବିନୟ ସିଂହ, ଗୌତମ ରୋହିଦାସ, ଆକାଶ ତିର୍କୀ, ଜ୍ୟୋତିରଞ୍ଜନ ସେଠୀ, ଅଭିଶେକ କିସପଟ୍ଟା ପ୍ରମୁଖ ଅମ୍ପାୟାର ଓ ସୁଜିତ ଲାକ୍ରା ଟେକ୍ନିକାଲ ଅଫିସିଆଲ ଦାୟିତ୍ବ ନିର୍ବାହ କରିଥିଲେ।