ରାଉରକେଲାକୁ ନୂଆ ରେଳ ଡିଭିଜନ୍‌ ସପକ୍ଷରେ ଯୁକ୍ତି

ସୁନ୍ଦରଗଡ଼-ଝାରସୁଗୁଡ଼ା-କେନ୍ଦୁଝରକୁ ସାମିଲ ଦାବି

ରାଉରକେଲା : ରାଉରକେଲାରେ ନୂତନ ରେଳ ଡିଭିଜନ୍‌ ସ୍ଥାପନ ଦାବି ଶାଣିତ ହେବାରେ ଲାଗିଛି। ରାଉରକେଲାବାସୀଙ୍କ ଏହି ଦାବି ପଛର କାରଣ ମଧ୍ୟ ବେଶ୍‌ ବଳିଷ୍ଠ। ବନ୍ଧମୁଣ୍ଡା ରେଲୱେ ୟାର୍ଡ ହେଉଛି ଦେଶର ତୃତୀୟ ବୃହତ୍ତମ। ଏଠାରେ ଉଭୟ ଇଲେକ୍ଟ୍ରିକ୍‌-ଡିଜେଲ ଇଞ୍ଜିନ୍‌ ମରାମତି ହେଉଛି। ଏହାସହ କ୍ୟାରେଜ୍‌ ୱାଗନ ବିଭାଗ ଦ୍ବାରା ବଗି ମରାମତି, ରିଲିଫ୍‌ ଟିମ୍‌, ୱାସିଂ ଲାଇନ୍‌ ଆଦି ସମସ୍ତ ପ୍ରକାର ସୁବିଧା ରହିଛି। ଏଠାରେ ରେଳବାଇର ବହୁ ପରିମାଣର ଜମି ଏବେ ବି ଅବ୍ୟବହୃତ ହୋଇ ପଡ଼ିରହିଛି, ଯାହାକି ରେଲୱେ ଡିଭିଜନ୍‌ ସ୍ଥାପନ, ସଂପ୍ରସାରଣକୁ ବହୁମାତ୍ରାରେ ସୁହାଇବ।

ଦକ୍ଷିଣପୂର୍ବ ରେଳବାଇର ସମସ୍ତ ୭ଟି ରେଲୱେ ୟାର୍ଡ‌୍ ଯଥା ଖଡ଼ଗପୁର, ଟାଟା, ଚକ୍ରଧରପୁର, ହାୱଡ଼ା, ରାଞ୍ଚି ଓ ଆଗ୍ରା ମଧ୍ୟରୁ ବନ୍ଧମୁଣ୍ଡା ୟାର୍ଡ ହେଉଛି ଅନ୍ୟତମ ସର୍ବୋତ୍କୃଷ୍ଟ। ସୁନ୍ଦରଗଡ଼ ଜିଲ୍ଲାରୁ ବାର୍ଷିକ ପ୍ରାୟ ୮ ଶହ କୋଟିର ରାଜସ୍ବ ସୃଷ୍ଟି ହେଉଛି। ଯାହାକି ଚକ୍ରଧରପୁର ଡିଭିଜନର ମୋଟ୍‌ ରାଜସ୍ବର ୪୦ ପ୍ରତିଶତ। ଏତେ ପରିମାଣରେ ରାଜସ୍ବ ଦେଉଥିବା ସତ୍ତ୍ବେ ସର୍ବଦା ସୁନ୍ଦରଗଡ଼ ଜିଲ୍ଲାକୁ ଅଣଦେଖା କରାଯାଉଛି। ଏଣୁ ନୂଆ ରେଳ ଡିଭିଜନ ସହ ଏହାକୁ ପୂର୍ବତଟ ରେଳବାଇ ଅଧୀନକୁ ଅଣାଯିବାର ଆବଶ୍ୟକତା ରହିଛି ବୋଲି ଦାବି କରାଯାଉଛି।

ରାଉରକେଲା ଓ ଆଖପାଖ ଅଞ୍ଚଳରେ ଓସିଏଲ୍‌ (ରାଜଗାଙ୍ଗପୁର), ଟାଟା ରିଫ୍ରାକ୍ଟୋରିଜ୍‌ (ବେଲପାହାଡ଼), ଆଧୁନିକ ମେଟାଲିକ୍ସ (କୁଆରମୁଣ୍ଡା), ଏଲ୍‌ ଆଣ୍ଡ୍‌ ଟି (କାଂଶବାହାଲ), ଭୂଷଣ ଷ୍ଟିଲ ଆଣ୍ଡ୍‌ ପାୱାର (ଝାରସୁଗୁଡ଼ା), ବେଦାନ୍ତ(ଝାରସୁଗୁଡ଼ା) ଓ ଜିଓସିଏଲ୍‌(ରାଉରକେଲା) ଭଳି ବହୁ ଅଗ୍ରଣୀ ଶିଳ୍ପସଂସ୍ଥା ରହିଛି। ପରିବହନ ବାବଦକୁ ଏହି ସବୁ ଶିଳ୍ପସଂସ୍ଥାରୁ ବହୁମାତ୍ରାରେ ରାଜସ୍ବ ସୃଷ୍ଟି ହେଉଛି। ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ସେଲ୍‌)ର କଞ୍ଚାମାଲ୍‌ ଡିଭିଜନ(ଆର୍‌ଏମ୍‌ଡି) ରାଉରକେଲାକୁ ସ୍ଥାନାନ୍ତର ହୋଇଛି। ଏହା ଦ୍ବାରା ଓଡ଼ିଶାରେ ଥିବା ସମସ୍ତ ଖଣି ଆର୍‌ଏମ୍‌ଡି ଅଧୀନରେ ରହିବ ଓ ମାଲ୍‌ ପରିବହନରେ ଅଧିକ ରାଜସ୍ବ ସୃଷ୍ଟି ହେବ। ରାଜ୍ୟରେ ୨୪୯୫ କିଲୋମିଟର ରେଳପଥ ଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଏହା ହେଉଛି ୩୩୭ କିଲୋମିଟର, ଯାହାକି ଅନ୍ୟ ଜିଲ୍ଲା ତୁଳନାରେ ସର୍ବାଧିକ। ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ମୋଟ୍‌ ୭୪୧.୭୦୫ କିଲୋମିଟର ରେଳପଥ ମଧ୍ୟରୁ ସମୁଦାୟ ୪୦୫.୯୦୭ କିଲୋମିଟର ରେଳପଥ ଓଡ଼ିଶାରେ ଅବସ୍ଥିତ। ଏହାବାଦ୍‌ ଚକ୍ରଧରପୁର ଡିଭିଜନର ମୋଟ୍‌ ୮୭ଟି ରେଳ ଷ୍ଟେସନ ମଧ୍ୟରୁ ୫୦ଟି ରେଳ ଷ୍ଟେସନ ଓଡ଼ିଶାରେ ରହିଛି। ଏହି ଡିଭିଜନର ମୋଟ୍‌ ୩ଟି ଏ କ୍ଲାସ୍‌ ରେଳ ଷ୍ଟେସନ ମଧ୍ୟରୁ ଦୁଇଟି ଓଡ଼ିଶାରେ ଅଛି। ସେଗୁଡ଼ିକ ହେଲା ରାଉରକେଲା ଓ ଝାରସୁଗୁଡ଼ା ରେଳ ଷ୍ଟେସନ। ଏସବୁ ଦିଗକୁ ତର୍ଜମା କଲେ ରାଉରକେଲାରେ ନୂଆ ରେଳ ଡିଭିଜନ ସ୍ଥାପନର ଯଥାର୍ଥତା ରହିଛି।

ରାଉରକେଲା ସମେତ ଝାରସୁଗୁଡ଼ା, କେନ୍ଦୁଝର ଜିଲ୍ଲାକୁ ନେଇ ଏହି ଡିଭିଜନ ସୃଷ୍ଟି କରାଯାଇପାରିବ। ଏହି ଅଞ୍ଚଳର ୬୩ଟି ରେଳ ଷ୍ଟେସନ ପ୍ରସ୍ତାବିତ ରାଉରକେଲା ରେଳ ଡିଭିଜନ ଅଧୀନରେ ରହିବ। ପୂର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ଡିଭିଜନ ପଶ୍ଚିମ ଓଡ଼ିଶାର ଏକାଧିକ ଅଞ୍ଚଳକୁ ନେଇ ଗଠିତ। ସେଠାରେ ବାର୍ଷିକ ମାତ୍ର ୩୨୨ କୋଟି ଟଙ୍କାର ରାଜସ୍ବ ଆୟ ହେଉଛି। କିନ୍ତୁ ରାଉରକେଲା, ଝାରସୁଗୁଡ଼ା ଓ କେନ୍ଦୁଝର ଜିଲ୍ଲାକୁ ମିଶାଇଲେ ବାର୍ଷିକ ରାଜସ୍ବ ୨ ହଜାର କୋଟି ଟପିବ। ନୂଆ ରେଳ ଡିଭିଜନ ସୃଷ୍ଟି ହେବା ପରେ ସଂପୃକ୍ତ ଡିଭିଜନ ପୂର୍ବାପେକ୍ଷା ଅଧିକ ରାଜସ୍ବ ବୃଦ୍ଧି କରୁଥିବାର ନଜିର ରହିଛି। ତେଣୁ ପ୍ରସ୍ତାବିତ ରାଉରକେଲା ରେଳ ଡିଭିଜନ ସ୍ଥାପନ ସହ ଏହାକୁ ପୂର୍ବତଟ ରେଳପଥ ଅଧୀନକୁ ଆଣିଲେ ଏଠାରୁ ଅଧିକ ପରିମାଣରେ ରାଜସ୍ବ ଆୟ ହେବା ସହ ପୂର୍ବତଟ ରେଳପଥର ଆକାର ମଧ୍ୟ ବୃଦ୍ଧି ପାଇବ ବୋଲି ଯୁକ୍ତି କରାଯାଉଛି।

ସମ୍ବନ୍ଧିତ ଖବର