ରାଉରକେଲା: ରାତି ପ୍ରାୟ ଗୋଟାଏ। ପାନପୋଷ ସହରାଞ୍ଚଳ ଡାକ୍ତରଖାନାରେ ହଠାତ୍ ପହଞ୍ଚିଥିଲେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ। ୨୪ ଘଣ୍ଟିଆ ସେବା ପାଇଁ ରହିଥିବା ଏହି ଡାକ୍ତରଖାନାର ମୁଖ୍ୟ ଗେଟ୍ରେ ଝୁଲୁଥିଲା ତାଲା। ଭିତରକୁ ଯିବା ପାଇଁ ଗେଟ୍କୁ ପ୍ରାୟ ୧୦ ମିନିଟ୍ ବାଡ଼େଇଲେ। ସୁରକ୍ଷାକର୍ମୀଙ୍କୁ ବାରମ୍ବାର ଡାକିଲେ। ହେଲେ କେହି ତାଙ୍କ କଥା ଶୁଣିଲେନି। ଶେଷରେ ପଛପାଖ ଗେଟ୍ ଦେଇ ଡାକ୍ତରଖାନା ଭିତରକୁ ପଶିଲେ। ଆଉ ଯିବା ପରେ ଯାହା ଦେଖିଲେ, ସେଥିରେ ନିଜେ ହତବମ୍ବ ହେଲେ। ଡାକ୍ତରଖାନା ବେଡ୍ରେ ପଡ଼ିଥିଲେ ଦୁଇଜଣ ରୋଗୀ ଓ ତାଙ୍କ ସମ୍ପର୍କୀୟ। ଅନ୍ୟ ବେଡ୍ରେ ଜଗୁଆଳି ଦୁଇଟି କୁଲର ଲଗାଇ ଗଭୀର ନିଦ୍ରାରେ ଶୋଇଥିଲେ। ବଡ଼ପାଟିରେ ଡାକିଲା ପରେ ହଡ଼ବଡ଼େଇ ଉଠିପଡ଼ି ବିଧାୟକଙ୍କୁ ଦେଖି ଚମକି ପଡ଼ିଲେ। ନମସ୍କାରଟିଏ ପକାଇ, ଡ୍ୟୁଟିରେ ଥିବା ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ଡାକିବାକୁ ଦୌଡ଼ିଲେ। ପଛରେ ବିଧାୟକ ଓ ତାଙ୍କ ସହଯୋଗୀ ଗଲେ। ସେଠି ମଧ୍ୟ ସେଇ ସମାନ ଚିତ୍ର। ଏସି ଲଗାଇ ଗୋଟିଏ ରୁମ୍ରେ ଡାକ୍ତର ହ୍ୟାପ୍ ପ୍ୟାଣ୍ଟ, ଗଞ୍ଜି ପିନ୍ଧି ଶୋଇଥିଲେ। ଅନ୍ୟ ଏକ ରୁମ୍ରେ ଏସି ଲଗାଇ ନର୍ସମାନେ ଶୋଇପଡ଼ିଥିଲେ। ଜଗୁଆଳି କହିବା ପରେ ଡାକ୍ତର ଓ ନର୍ସ ଆଖି ମଳିମଳି ରୁମ୍ ବାହାରକୁ ଆସିଥିଲେ। ବିଧାୟକଙ୍କୁ ନମସ୍କାରଟିଏ ପକାଇଲେ। ବିଧାୟକ ପଚାରିଲେ ଗେଟ୍ରେ ତାଲା କିଏ ପକାଇଲା? ରାତିରେ କ’ଣ ରୋଗୀଙ୍କୁ ଡାକ୍ତରଖାନା ଆସିବାକୁ ମନା? ଡାକ୍ତର, ନର୍ସ ଓ ଆଟେଣ୍ଡାଣ୍ଟଙ୍କ ପାଟିରୁ କିଛି ଉତ୍ତର ବାହାରି ନଥିଲା। ଡାକ୍ତର ଓ ନର୍ସମାନଙ୍କୁ ଏମିତି ନ କରିବାକୁ ତାଗିଦ୍ କରି ଡାକ୍ତରଖାନାରୁ ବାହାରି ଆସିଥିଲେ ବିଧାୟକ।
ସେଠାରୁ ଯାଇ ରାତି ୨ଟାରେ ପହଞ୍ଚିଥିଲେ ରାଉରକେଲା ସରକାରୀ ଡାକ୍ତରଖାନା (ଆର୍ଜିଏଚ୍)ରେ। ସୁନ୍ଦରଗଡ଼, ପଡ଼ୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ରୋଗୀ ନିର୍ଭର କରୁଥିବା ଏହି ଡାକ୍ତରଖାନାରେ ରାତି ଚିତ୍ର ଥିଲା ଆହୁରି ସଙ୍ଗିନ। ଡାକ୍ତରଙ୍କ ଦେଖା ମିଳି ନଥିଲା। ସେବିକା କକ୍ଷରେ ନିଘୋଡ଼ ନିଦରେ ଶୋଇଥିଲେ ନର୍ସ। ଅନ୍ୟ ଏକ ସେବିକା କକ୍ଷରେ ଜଣେ ନର୍ସ ଓ ଆଟେଣ୍ଡାଣ୍ଟଙ୍କୁ ଦେଖି ବିଧାୟକ ଚକିତ ହୋଇଯାଇଥିଲେ। ବିଧାୟକଙ୍କୁ ଦେଖି ବେଡ୍ରୁ ଉଠି ସେବିକା କକ୍ଷରୁ ଚାଲିଯାଇଥିଲେ ଆଟେଣ୍ଡାଣ୍ଟ। କେବଳ ସେତିକି ନୁହେଁ, ବାହାରୁ ଯେମିତି କେହି ଦେଖି ନ ପାରିବେ; ଝରକାଗୁଡ଼ିକୁ ଡାକ୍ତରଖାନା ବେଡ୍ସିଟ୍ରେ ସମ୍ପୂର୍ଣ୍ଣ ଢାଙ୍କି ଦିଆଯାଇଥିଲା। ରାତିରେ ଇସ୍ପାତ ସହରର ସୁରକ୍ଷା ବ୍ୟବସ୍ଥା ବି ଆହୁରି ତଦ୍ରୂପ। ଥାନା ଆଗରେ ପୁଲିସ ଚେୟାର ପକାଇ ଶୋଉଛନ୍ତି। ଥାନା ଜଗୁଛନ୍ତି ମହିଳା କନେଷ୍ଟବଳ। ସେକ୍ଟର-୭, ସେକ୍ଟର-୧୫ ଥାନା ସ୍ଥିତି ଆହୁରି ଉଦ୍ବେଗଜନକ। ଡିସିଓ ଥାନା ଭିତରେ ଓ କନେଷ୍ଟବଳ ଥାନା ବାହାରେ ଶୋଇଥିବା ଦେଖାଯାଇଥିଲା। ବିଧାୟକ ଶ୍ରୀ ତନ୍ତୀ ଏ ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି।
ରାତିର ରାଉରକେଲା
ରାତି ପ୍ରାୟ ଗୋଟାଏ। ପାନପୋଷ ସହରାଞ୍ଚଳ ଡାକ୍ତରଖାନାରେ ହଠାତ୍ ପହଞ୍ଚିଥିଲେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ। ୨୪ ଘଣ୍ଟିଆ ସେବା ପାଇଁ ରହିଥିବା ଏହି ଡାକ୍ତରଖାନାର ମୁଖ୍ୟ ଗେଟ୍ରେ ଝୁଲୁଥିଲା ତାଲା। ଭିତରକୁ ଯିବା ପାଇଁ ଗେଟ୍କୁ ପ୍ରାୟ ୧୦ ମିନିଟ୍ ବାଡ଼େଇଲେ।
/sambad/media/media_files/2025/06/18/dfghdfgfd-92cda727.jpg)