ଦୈନିକ ବିମାନ ସେବା ଓ ରେଳ ଡିଭିଜନ ଦାବି, ବଳ ଗୋଟାଉଛି ରାଉରକେଲା ବିକାଶ ମଞ୍ଚ

ରାଉରକେଲା: ରାଉରକେଲାରୁ ଦୈନିକ ବିମାନ ସେବା, ରେଳ ଡିଭିଜନ୍ ସ୍ଥାପନ, ସୁପର ସ୍ପେଶିଆଲିଟି ହସ୍ପିଟାଲ କାର୍ଯ୍ୟକ୍ରମ ଆଦି ଦାବି ନେଇ ଆନ୍ଦୋଳନକୁ ଜୋରଦାର କରିଛି ରାଉରକେଲା ବିକାଶ ମଞ୍ଚ। ସହରର ବିଭିନ୍ନ ସ୍ଥାନରେ ସଭା ଓ ସଚେତନତା କାର୍ଯ୍ୟକ୍ରମ କରି ବଳ ଗୋଟାଉଛନ୍ତି ମଞ୍ଚର କର୍ମକର୍ତ୍ତା। ଆଗାମି ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ମଧ୍ୟ ଦେଇଛି। ଗତକାଲି ସଂଧ୍ୟାରେ ମଞ୍ଚ ତରଫରୁ ଚତୁର୍ଥ ଜନ ସଚେତନତା ଶିବିର କୋଏଲନଗରସ୍ଥ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ଇଂ  ଅଭୟ କୁମାର ଦାସଙ୍କ ସଭାପତିତ୍ବ   ଓ ଡଃ ସୁମନ ଦତ୍ତଙ୍କ ଆବାହକତ୍ବରେ ଆୟୋଜିତ ସଭାରେ ସମାଜସେବୀ ସଂଜୀବ ମହାନ୍ତି, ରେଳ ଓ ସଡ଼କ ଉପଯୋଗକାରୀ ସଂଘର ଅମୂଲ୍ୟ ଚରଣ ବରାଳ,ଆପ ପାର୍ଟି ର ରଞ୍ଜନ ଲେଙ୍କା, ସିପିଏମ ସମ୍ପାଦକ ସୁରେନ୍ଦ୍ର ଦାଶ, ଜଗଦା ସାଂସ୍କୃତିକ ପରିଷଦର ସଭାପତି ପିତାମ୍ବର ଲେଙ୍କା, ବରଟୋଲି ବିକାଶ ସମିତିର ସମ୍ପାଦକ ପ୍ରଭାତ କୁମାର ଜେନା,ବିଜେଡିର ନଗର ସଭାପତି  ଗଗନ ପଣ୍ଡା , ଲିଟୁ ପୁହାଣ, ମାଇକ୍ରୋ ବିଜ୍ଞାନୀ ଗୀତାଞ୍ଜଳି ପାତ୍ର, ଅବସରପ୍ରାପ୍ତ କର୍ମଚାରୀ ସଂଘର କୃତିବାସ ମହାପାତ୍ର, କୋଏଲ କ୍ଲବ ର ଦିଲ୍ଲୀପ ମହାନ୍ତି, ଚକ୍ରା ବିଶୋଇ ସ୍ମୃତି ସଂସଦର ପ୍ରକାଶ ପତି ପ୍ରମୁଖ ବକ୍ତବ୍ୟ ରଖିଥିଲେ।ତେଣୁ ସମସ୍ତେ ରାଉରକେଲା ବିକାଶ ମଞ୍ଚର ଏଇଭଳି ଜନ ସଚେତନତା ଶିବିରର ଆୟୋଜନକୁ ପ୍ରଶଂସା କରିବା ସହ ଏହି ଜିଲ୍ଲାକୁ ଶ୍ରେଷ୍ଠ ଜିଲ୍ଲାରେ ପରିଣତ କରିବା ପାଇଁ ଏକଜୁଟ ହେବାକୁ ମତ ରଖିଥିଲେ।

ପ୍ରକାଶ ଥାଉକି  ରାଉରକେଲାରେ ବିମାନ ବନ୍ଦରର କାର୍ପେଟ ଏରିଆକୁ ବଢ଼ାଯାଇ ୫୬୫୫ ଫୁଟ୍ ରୁ ୬୨୭୩ ଫୁଟକୁ ସମ୍ପ୍ରସାରଣ କରାଯାଉଛି  ଯାହା ୪ସି ବିମାନ ବନ୍ଦର ପାଇଁ ଉପଯୁକ୍ତ l ଏହାଠାରୁ କମ୍ କାର୍ପେଟ ଏରିଆ ଥିବା ବିମାନ ବନ୍ଦର ଯଥା -ପୋରବନ୍ଦର – ୪୫୦୦ଫୁଟ  କାଣ୍ଡଲା -୪୯୯୭ ଫୁଟ , ଡ଼ିଉ -୫୯୨୨ଫୁଟ,ମହୀଶୂର -୫୬୦୯ଫୁଟ, ପୁଡ଼ୁଚେରୀ -୫୮୦୦ଫୁଟ , ଶିଲଙ୍ଗ -୬୦୦୦ ଫୁଟ, ଜଗଦଳପୁର -୫୬୦୦ ଫୁଟ  ଓ ବିଳାସପୁର -୫୦୩୫ ଫୁଟ  ଥାଇ ୪ସି ଲାଇସେନ୍ସ ପାଇଛନ୍ତି।

ଏଣୁ ରାଉରକେଲା ବିମାନବନ୍ଦରକୁ ୪ସି ଲାଇସେନ୍ସ ପ୍ରଦାନ କରିବାରେ କୌଣସି ଅସୁବିଧା ନାହିଁ ବୋଲି ପ୍ରକାଶ କରିଥିଲେ। ସେହିପରି ଚକ୍ରଧରପୁର ରେଳବାଇ ଡିଭିଜନର ୮୮ ଷ୍ଟେସନରୁ ୧୮ହଜାର କୋଟି ରାଜସ୍ବ ଆଦାୟ ହେଉ ଥିଲା ବେଳେ ପ୍ରସ୍ତାବିତ ରାଉରକେଲା ରେଳବାଇ ଜୋନର ୫୦ଟି ଷ୍ଟେସନରୁ ୧୪ହଜାର  କୋଟି ଟଙ୍କା ରାଜସ୍ବ ଆଦାୟ ହୋଇଥାଏ l ବନ୍ଧମୁଣ୍ଡା  ଠାରେ ପର୍ଯ୍ୟାପ୍ତ  ଜମି ଓ ଭିତ୍ତିଭୂମି ଥିବାରୁ ରାଉରକେଲାରେ ଏକ ରେଳ ଡିଭିଜନ ହୋଇ ପାରିବ ବୋଲି ଦାବି କରିଥିଲେ। ସୂଚନା ଯୋଗ୍ୟ ଯେ ରାଉରକେଲା   ବିକାଶ ମଞ୍ଚ ଏହା ପୂର୍ବରୁ  ରାଉରକେଲାର ବିଭିନ୍ନ  ସ୍ଥାନରେ ଏଇଭଳି ଜନ ସଚେତନତା ଶିବିରର ଆୟୋଜନ କରି ଆସୁଅଛି ।

ସମ୍ବନ୍ଧିତ ଖବର