ବ୍ଲାଷ୍ଟ ଫର୍ଣ୍ଣେସ୍‌-୫ ପୁଣି ଅଚଳ

୮ ଘଣ୍ଟା ଧରି ଉତ୍ପାଦନ ବ୍ୟାହତ, କ୍ଷତି ୮ କୋଟି

ରାଉରକେଲା : ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ୍‌ (ଆର୍‌ଏସ୍‌ପି)ର ଟ୍ୟୁୟର୍‌ ବ୍ଲୋ ପାଇପ୍‌ ଫାଟିଯିବାରୁ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ ‘ଦୁର୍ଗା’ ପୁଣି ଅଚଳ ହୋଇଛି। ଆଜି ୮ ଘଣ୍ଟା ଧରି ବ୍ଲାଷ୍ଟଫର୍ଣ୍ଣେସ୍‌ ବନ୍ଦ ରହିବାରୁ ୮ କୋଟିରୁ ଅଧିକ ଟଙ୍କା କ୍ଷତି ହୋଇଥିବା କୁହାଯାଉଛି।

ଆଜି ବି ସିଫ୍ଟ୍‌ ଚାଲିଥିବା ବେଳେ ଅପରାହ୍‌ଣ ପ୍ରାୟ ୨ଟା ବେଳେ ଟ୍ୟୁୟର ସଂଯୁକ୍ତ ବ୍ଲୋ ପାଇପ୍‌ ହଠାତ୍‌ ଫାଟିଯାଇଥିଲା। ସୌଭାଗ୍ୟକୁ ପାଖରେ କୌଣସି ଶ୍ରମିକ ଓ କର୍ମଚାରୀ ନଥିବାରୁ କେହି ମୃତାହତ ହୋଇନଥିଲେ। ତେବେ ବ୍ଲୋ ପାଇପ୍‌ ଫାଟିବା ମାତ୍ରେ ପ୍ରତିଶେଧମୂଳକ ବ୍ୟବସ୍ଥା ସ୍ୱରୂପ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌କୁ ଚାପକୃତ ବାଷ୍ପ ପ୍ରବାହ ତୁରନ୍ତ ବନ୍ଦ କରାଯିବା ସହ ଓପିଏମ୍‌କୁ ବନ୍ଦ କରାଯାଇ ମରାମତି ଆରମ୍ଭ ହୋଇଥିଲା। କର୍ମଚାରୀ ଓ ବୈଷୟିକ ଅଫିସରଙ୍କ ଅକ୍ଳାନ୍ତ ଉଦ୍ୟମରେ ମରାମତି କାର୍ଯ୍ୟ ଶେଷ ହେବା ପାଇଁ ୮ ଘଣ୍ଟାରୁ ଅଧିକ ସମୟ ଲାଗିଥିଲା। ଗତ ଅଢ଼େଇ ବର୍ଷ ମଧ୍ୟରେ ‘ଦୁର୍ଗା’ ପ୍ରାୟ ୨୫ ଥର ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିବା ବେଳେ ଚଳିତ ଆର୍ଥିକ ବର୍ଷ ଆରମ୍ଭ (ଏପ୍ରିଲ୍‌ ୧)ରୁ ଆଜି ପର୍ଯ୍ୟନ୍ତ ୬ ଥର ଅଚଳ ହେଲାଣି। ଏହି କାରଣରୁ ବ୍ଲାଷ୍ଟ୍‍ ଫର୍ଣ୍ଣେସ୍‌-୫ରୁ ମୋଟ ୩୩ ଦିନ ଉତ୍ପାଦନ ବନ୍ଦ ହୋଇଛି। ଏ ସମ୍ପର୍କରେ ଆର୍‌ଏସ୍‌ପି ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ କୁହାଯାଇଛି ଯେ,ଟ୍ୟୁଟର ପରିବର୍ତ୍ତନ ପାଇଁ ୬ ଘଣ୍ଟା ପାଇଁ ବ୍ଲାଷ୍ଟ ଫର୍ଣ୍ଣେସ୍‌ ୫କୁ ଅଚଳ କରାଯାଇଛି। ଏଭଳି ସଟ୍‌ ଡାଉନ୍‌ ଏକ ନିୟମିତ ପ୍ରକ୍ରିୟା ବୋଲି ଏଥିରେ କୁହାଯାଇଛି।

ସମ୍ବନ୍ଧିତ ଖବର