‘ଭୟ ଓ ଲୋଭ ଦେଖାଇ ଓଡ଼ିଆ ଭାଷାକୁ ରକ୍ଷା କରାଯାଇ ପାରିବ’

ରାଉରକେଲା :  ‘‘ଅତୀତର ଗୌରବକୁ ମନେ ପକାଇ ଆମେ ଗର୍ବ ଅନୁଭବ କରୁଛେ। କିନ୍ତୁ ଭବିଷ୍ୟତର ଉତ୍‌ଥାନ କଥା ଭୁଲି ଯାଉଛେ। ବିକାଶ କଥା କହି ଆମେ ଏକଜୁଟ୍‌ ହେଉଛୁ। ମାତ୍ର ମାତୃଭାଷା ପ୍ରସଙ୍ଗରେ ସମସ୍ତେ ପଛେଇ ଯାଉଛୁ। ଏପରିକି ନିଜ ଘରେ ବି ଆମେ ଭାଷାର ଶତ୍ରୁ ତିଆରି କରୁଛୁ। ଓଡ଼ିଆ ଭାଷାର ଶତ୍ରୁ ଓଡ଼ିଶାର ଶତ୍ରୁ। ଭାଷା ଭିତ୍ତିରେ ଗଠିତ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶରେ ଓଡ଼ିଆ ଭାଷା ଆଜି ଏସବୁ କାରଣରୁ ବିପନ୍ନ। ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଉଭୟ କଠୋର ଆଭିମୁଖ୍ୟ ଓ ପ୍ରଲୋଭନ ପନ୍ଥା ଜରୁରୀ’’ ବୋଲି ‘ସମ୍ବାଦ’ର ସମ୍ପାଦକ ତଥା ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ସୌମ୍ୟ ରଂଜନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।

ସ୍ଥାନୀୟ ବାସନ୍ତୀ କଲୋନୀ ଡିଏଭି ପୋଖରୀ ନିକଟରେ  କାର୍ତ୍ତିକ ଉତ୍ସବ ପରିଚାଳନା ସମିତି ପକ୍ଷରୁ ଆୟୋଜିତ ବୋଇତ ବନ୍ଦାଣ ଓ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ  ଶ୍ରୀ ପଟ୍ଟନାୟକ କହିଲେ,  ସମୟ ଥିଲା ଓଡ଼ିଆ ଗୋଟିଏ ସ୍ୱତନ୍ତ୍ର ଭାଷା ନୁହେଁ ବୋଲି କୁହାଯାଉଥିଲା।  ଆନ୍ଦୋଳନ ଫଳରେ ଓଡ଼ିଆକୁ ସ୍ୱତନ୍ତ୍ର ଭାଷା , ସ୍ୱତନ୍ତ୍ର ରାଜ୍ୟ ଏବଂ ନିକଟରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ମିଳିଛି। ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇବାର ସଫଳତାର ଶ୍ରେୟ ନେବାକୁ ସମସ୍ତେ ପ୍ରଚାର କରୁଛନ୍ତି। ଓଡ଼ିଆ ଭାଷା ପାଇଁ ଆନ୍ଦୋଳନ କରୁଥିବା ଭାଷା ସଂଗଠନ ୩/୪ ଭାଗ ହୋଇଗଲେଣି। ଓଡ଼ିଆ ଭାଷାକୁ ରକ୍ଷା କରିବାକୁ ହେଲେ ସରକାରୀ ଭାବେ ଓଡ଼ିଶା ଭାଷାର ପ୍ରଚଳନ ପ୍ରସାର ପାଇଁ ସରକାରଙ୍କୁ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଡ଼ିବ। ଦାପ୍ତରିକ କାର୍ଯ୍ୟରେ ଓଡ଼ିଆ ଭାଷା ବ୍ୟବହାର କରୁନଥିବା ଅଫିସର ଓ କର୍ମଚାରୀଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ।

ସେହିପରି ସରକାରୀ କାର୍ଯ୍ୟ ପାଇଁ ଓଡ଼ିଆ ଭାଷାରେ ଯୋଗାଯୋଗ କରୁନଥିବା ଜନସାଧାରଣଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ଏହା ହେଲେ ସରକାରୀ ଦଣ୍ଡ ଭୟରେ ସମସ୍ତେ ଓଡ଼ିଆ ଭାଷା ବ୍ୟବାହାର କରିବାକୁ ବାଧ୍ୟ ହେବେ। ସେହିପରି ଚାକିରି ଲୋଭ ଦେଖାଇ ଭାଷାକୁ ମଧ୍ୟ ରକ୍ଷା କରାଯାଇପାରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ରାଜ୍ୟର ସାମାଜିକ ଓ ଅର୍ଥନୈତିକ ସ୍ଥିତି ସମ୍ପର୍କରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଲେ, ଶ୍ରୀ ଜଗନ୍ନାଥ ଆମକୁ ମାଟି ତଳେ ଓ ମାଟି ଉପରେ ବିପୁଳ ସମ୍ପତ୍ତି ଦେଇଛନ୍ତି। ମାଟି ଉପରେ ଥିବା ଜଙ୍ଗଲକୁ କିଏ ଲୁଟ୍‌ କରି କେହି ଓଡ଼ିଶାକୁ ଶାସନ କରୁଛି ତ ପୁଣି କିଏ ଭୂଇଁ ତଳେ ଖଣିଜ ସମ୍ପଦକୁ ଲୁଟ୍‌ କରି ଶାସକ। ସତେ ଯେମିତି ଓଡ଼ିଶାରେ ଲୁଟିବା ପରମ୍ପରା ଚାଲିଛି। ଓଡ଼ିଶାର ବିକାଶ ପାଇଁ ଏହାକୁ ବନ୍ଦ କରି ଚାଷୀ କୁଳଙ୍କୁ ଉଠାଇବାକୁ ପଡ଼ିବ। ଚାଷୀଙ୍କ କଥା ନ ମାନିଲେ ଭବିଷ୍ୟତରେ ବଡ଼ ଧରଣର ବିପ୍ଳବ ସୃଷ୍ଟି ହେବ ବୋଲି ଶ୍ରୀ ପଟ୍ଟନାୟକ ସତର୍କ କରାଇ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ  ଅନୁଷ୍ଠାନର ସଭାପତି ନିହାର ରାୟ ସଭାପତିତ୍ୱ କରିଥିଲେ। ସାଧାରଣ ସମ୍ପାଦକ ସୁଦାମ ଦାଶ ସମ୍ପାଦକୀୟ ବିବରଣୀ ପାଠ କରି ଡିଏଭି ପୋଖରୀର ପଙ୍କୋଦ୍ଧାର ଓ ତୁଠ ନିର୍ମାଣ ପାଇଁ ଅନୁରୋଧ କରିଥିଲେ। ପ୍ରତିଷ୍ଠାତା ସଦସ୍ୟ ବିଚିତ୍ରାନନ୍ଦ ସାହୁ ମଞ୍ଚ ପରିଚାଳନା କରିଥିଲେ। ଉତ୍କଳ ସମ୍ମିଳନୀର ରାଜ୍ୟ ସଭାପତି ଡ. ଭାବଗ୍ରାହୀ ମହାପାତ୍ର, କୋଷାଧ୍ୟକ୍ଷ ଅକ୍ଷୟ ଦାଶ ମଞ୍ଚାସୀନ ଥିଲେ।  ରାଉରକେଲା ଉନ୍ନୟନ କର୍ତ୍ତୃପକ୍ଷ (ଆର୍‌ଡ଼ିଏ) ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗ ଦେଇ ପୋଖରୀ ତୁଠ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଆଜି ପୂର୍ବାହ୍ନ ୧୧ଟା ବେଳେ ରାଉରକେଲା ବିଧାୟକ ଦିଲ୍ଲୀପ ରାୟ ଏବଂ ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର