ରାଉରକେଲା: ଏକାଧିକ ବାଧାବିଘ୍ନ ପରେ ରାଉରକେଲାରେ ବିମାନ ଉଡ଼ାଣ ସମ୍ଭବ ହୋଇଛି। ଜାନୁଆରି ୭ ତାରିଖରେ ସହରବାସୀଙ୍କ ବହୁ ପ୍ରତିକ୍ଷୀତ ଆଶା ପୂରଣ ହୋଇଥିଲା। ଏଯାଏ କେବଳ ଭୁବନେଶ୍ବରକୁ ରାଉରକେଲାରୁ ବିମାନ ସେବା ସଂଯୋଗ ହୋଇପାରିଛି। ଏବେ ‘ଉଡାନ୍‌’ ଯୋଜନାରେ ରାଉରକେଲାରୁ ନୂଆଦିଲ୍ଲୀକୁ ବିମାନ ସେବା ସଂଯୋଗ କରାଯିବା ନେଇ ପ୍ରସ୍ତାବ ଦିଆଯାଇଛି। ତେବେ ଏହା ସିଧାସଳଖ ନୁହେଁ; ବରଂ ବୋକାରୋ ଦେଇ ନୂଆଦିଲ୍ଲୀକୁ ଯିବ। ଏହା କିଛିମାତ୍ରାରେ ସହରବାସୀଙ୍କୁ ଖୁସି ମନାଇବାର ସୁଯୋଗ ଦେଇଛି। କିନ୍ତୁ ପୂର୍ବରୁ ପ୍ରସ୍ତାବିତ କୋଲକାତାକୁ ଏଯାଏ ରାଉରକେଲାରୁ ବିମାନ ଉଡ଼ାଣ ସମ୍ଭବ ହୋଇନି। ଏଣୁ ପ୍ରସ୍ତାବ ସତ୍ୟତାର ରୂପ ଦିଆଯାଉନଥିବାରୁ ସହରବାସୀ ନିରାଶ ହେଉଛନ୍ତି।

Advertisment

ବୋକାରୋ ଅପେକ୍ଷା ରାଉରକେଲା ବିମାନବନ୍ଦର ପୁରୁଣା। ତେବେ ପରବର୍ତ୍ତୀ ସମୟରେ ସେଲ୍‌ କର୍ତ୍ତୃପକ୍ଷ ରାଉରକେଲା ଅପେକ୍ଷା ବୋକାରୋ ବିମାନ ବନ୍ଦରକୁ ପ୍ରାଧାନ୍ୟ ଦେଇଥିଲେ। ଫଳସ୍ବରୂପ ବୋକାରୋ ବିମାନ ବନ୍ଦର ବିକଶିତ ହୋଇଛି। ଏବେ ବୋକାରୋରୁ ଦିଲ୍ଲୀ ଓ ମୁମ୍ବାଇ ପାଇଁ ବିମାନ ଚଳାଚଳ ପ୍ରସ୍ତାବ ରହିଛି। ବୋକାରୋ ଦେଇ ନୂଆଦିଲ୍ଲୀ ଉଡ଼ାଣ ପାଇଁ ପ୍ରସ୍ତାବ ଦିଆଯାଇଥିବାବେଳେ ମୁମ୍ବାଇ ପାଇଁ ପ୍ରସ୍ତାବ କିନ୍ତୁ ଦିଆଯାଇନାହିଁ। ଉଲ୍ଲେଖଯୋଗ୍ୟ ପୂର୍ବରୁ ବି ରାଉରକେଲା ବିମାନ ବନ୍ଦର କାର୍ଯ୍ୟକ୍ଷମ ପାଇଁ ଭିନ୍ନି ଭିନ୍ନ ପ୍ରସ୍ତାବ ଦିଆଯାଇଥିଲା; କିନ୍ତୁ ଏଯାଏ ତାହା ସତ୍ୟରେ ପରିଣତ ହୋଇପାରିନି। ରାଉରକେଲାକୁ ବିମାନ ସେବା ଆରମ୍ଭ ସମୟରେ ରାଉରକେଲା-କୋଲକାତା ମଧ୍ୟ ବିମାନ ସେବା ପାଇଁ ପ୍ରସ୍ତାବ ରହିଥିଲା। ବିଗ୍‌ଚାର୍ଟର କମ୍ପାନି ହିଁ ଏହି ସେବା ଯୋଗାଇଥାନ୍ତା। ସମ୍ଭବତଃ ବିଗ୍‌ଚାର୍ଟର ନିକଟରେ ବିମାନର ଅଭାବ ଯୋଗୁଁ ଏହି ସେବା ଆରମ୍ଭ ହୋଇପାରିନି। ନିର୍ଦ୍ଦିଷ୍ଟଭାବେ କେବେ ନୂଆ ବିମାନ ପହଞ୍ଚିବ ଓ ବିଗ୍‌ଚାର୍ଟର ସେବା ଯୋଗାଇବ; ତାହା ଏବେ ବି ଅସ୍ପଷ୍ଟ।

ଅପରପକ୍ଷରେ ରାଉରକେଲା ବିମାନବନ୍ଦରରେ ଲାଗିରହିଥିବା ବିଭିନ୍ନ ସମସ୍ୟା ଶେଷ ହେବାର ନାଁ ନେଉନାହିଁ। ଇନ୍‌ଷ୍ଟ୍ରୁମେଣ୍ଟ୍‌ ଲ୍ୟାଣ୍ଡିଂ ସିଷ୍ଟମ୍‌(ଆଇଏଲ୍‌ଏସ୍‌) ବ୍ୟବସ୍ଥାର ଅଭାବ ଯୋଗୁଁ ନିୟମିତ ବ୍ୟବଧାନରେ ବିମାନସେବା ବାଧାପ୍ରାପ୍ତ ହେଉଛି। ଗତ ସପ୍ତାହରେ ଦୁଇ ଦିନ ବିମାନ ଅବତରଣ କରିପାରିନଥିଲା। ଆରମ୍ଭରୁ ଆଜିଯାଏ ଅଘୋଷିତ ବିମାନ ବାତିଲର ସଂଖ୍ୟା ଦେଖିଲେ ପାଖାପାଖି ୧୦ ଥରରୁ ଅଧିକ ହେବ। ମନମର୍ଜି ବିମାନ ଉଡ଼ାଣକୁ ବନ୍ଦ କରିଦିଆଯାଉଥିବାରୁ ଯାତ୍ରୀ ସଂଖ୍ୟା ବି ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ପାଖାପାଖି ୭୦% ସିଟ୍‌ ସଂରକ୍ଷିତ ରହୁଥିବାବେଳେ ଏବେ ଏହା ୪୫%କୁ ଖସିଲାଣି। ଆଜି(ସୋମବାର) ଭୁବନେଶ୍ବରରୁ ୫୨ ଜଣ ଯାତ୍ରୀ ରାଉରକେଲାକୁ ଆସିଥିବାବେଳେ ଏଠାରୁ ମାତ୍ର ୪୨ ଜଣ ଭୁବନେଶ୍ବରକୁ ଯାଇଛନ୍ତି। ଯେ କୌଣସି ସମୟରେ ବାତିଲ ହେବାର ଆଶଙ୍କା ରହିଥିବାରୁ ଯାତ୍ରୀ ବିମାନ ଅପେକ୍ଷା ଟ୍ରେନ୍‌ରେ ଯିବାକୁ ଅଧିକ ପସନ୍ଦ କରୁଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ ରାଉରକେଲା ବିମାନବନ୍ଦରରେ ଆଇଏଲ୍‌ଏସ୍‌ ବ୍ୟବସ୍ଥା ଅବସମ୍ଭ୍ୟାବୀ ହେଲାଣି। ଯାତ୍ରୀ ସଂଖ୍ୟାରେ କ୍ରମାଗତ ହ୍ରାସ ଭବିଷ୍ୟତରେ ଅସୁବିଧା ଜନ୍ମାଇବାର ଆଶଙ୍କା ରହିଛି। ସୂଚନା ଅନୁସାରେ, ଆଲିଆନ୍ସ ଏୟାର ଦ୍ବାରା ରାଉରକେଲାକୁ ଆସୁଥିବା ବିମାନଟି ଦୈନିକ ୮ଥର ବିଭିନ୍ନ ସହରକୁ ଉଡ଼ାଣ କରୁଛି। ଏଣୁ ଏଥିରେ ଅଯଥା ବିଳମ୍ବ ଘଟିବା ସହ ରାଉରକେଲାକୁ ନିର୍ଦ୍ଧାରିତ ସମୟରେ ପହଞ୍ଚିପାରୁନଥିବାରୁ ବାତିଲ ହେଉଥିବା କୁହାଯାଉଛି।