ଜମତରା ଗ୍ୟାଙ୍ଗ୍‌ର ରାଉରକେଲା କନେକ୍ସନ: ୩ ଧରାପଡ଼ିବା ପରେ ଖୋଲୁଛି ଗୁମର

ଜିଲ୍ଲାର ୮୦% ସାଇବର ଠକେଇରେ ସଂପୃକ୍ତ

ରାଉରକେଲା: ରାଉକେଲାରେ ସାଇବର ଠକେଇ ନିତିଦିନିଆ ହେଲାଣି। ସାଇବର ଥାନାରେ ପଞ୍ଜିକୃତ ମାମଲା ଓ କେବଳ ମୌଖିକ ଅଭିଯୋଗରେ ସୀମିତ ରହୁଥିବା ଘଟଣାକୁ ତର୍ଜମା କଲେ, ସଂଖ୍ୟା ଆଶାତୀତ। ଜଣେ ବିଭାଗୀୟ ଅଧିକାରୀଙ୍କ ସୂଚନା ଅନୁସାରେ, ଜିଲ୍ଲାରେ ସଂଘଟିତ ସାଇବର ଠକେଇର ପ୍ରାୟ ୮୦ ପ୍ରତିଶତ ମାମଲାରେ କୁଖ୍ୟାତ ଜମ୍‌ତରା ଗ୍ୟାଙ୍ଗ୍‌ ସଂପୃକ୍ତ ଅଛନ୍ତି। ମୁମ୍ବାଇ, ଦିଲ୍ଲୀ, ବାଙ୍ଗାଲୋର ଆଦି ଏକାଧିକ ସହରରେ ଜମ୍‌ତରା ଗ୍ୟାଙ୍ଗ୍‌ ଦବ୍‌ଦବା ଜାରି ରଖିଛି। ତେବେ ସ୍ମାର୍ଟସିଟି ରାଉରକେଲାରେ କାୟାବିସ୍ତାର କରିବା କେବଳ ଚିନ୍ତାଜନକ ନୁହେଁ; ବରଂ ସାଇବର ପୁଲିସ ପାଇଁ କଡ଼ା ଆହ୍ବାନ ସୃଷ୍ଟି କରିଛି। ତେବେ ପାଞ୍ଚ ଦିନ ପୂର୍ବେ ସାଇବର ପୁଲିସ ସର୍ବପ୍ରଥମଥର ପାଇଁ ଏହି ଜମତରା ଗ୍ୟାଙ୍ଗ୍‌ର ୩ ଜଣଙ୍କୁ କାବୁ କରିବାରେ ସଫଳ ହୋଇଛି। ଏହାପରେ ଏହି ଗ୍ୟାଙ୍ଗ୍‌ର କଳାକାରନାମାର ପୋଥି ଖୋଲିବାରେ ଲାଗିଛି।

ନୂଆ ତରିକାରେ ଠକୁଛନ୍ତି

ଜମତରା ଗ୍ୟାଙ୍ଗ ଚିରାଚରିତ ପଦ୍ଧତି‌, ଆଧାର ଲିଙ୍କ୍‌, ପାନ୍‌ କାର୍ଡ ଲିଙ୍କ୍‌ ସଂଯୋଗ କରିବା ନାଁରେ ଠକୁନାହାନ୍ତି। ବରଂ ଏମାନଙ୍କ ଠକିବା ପ୍ରକ୍ରିୟା ଭିନ୍ନ ଓ ଅଭିନବ ମଧ୍ୟ। ପ୍ରଥମେ ଏମାନେ ଫୋନ୍‌ କରି ପଚାରୁଛନ୍ତି, ଆପଣ ୨୦/୩୦ ହଜାର ଟଙ୍କାର ଯେଉଁ ଫୋନ୍‌ ପେ’, ଗୁଗୁଲ୍‌ ‌ପେ’ କରିଛନ୍ତି, ତାହା ଆପଣଙ୍କ ଜାଣତରେ ହୋଇଛି ତ? ନା ଭୁଲ୍‌କ୍ରମେ ଅର୍ଥ ପୈଠ ହୋଇଯାଇଛି? ଏଭଳି ପ୍ରଶ୍ନ ଶୁଣି ଫୋନ୍‌ ଗ୍ରହଣକାରୀ ଆଚମ୍ବିତ ହେବାସହ ସିଧାସଳଖ ମନା କରିଦେଉଛନ୍ତି। ବାସ୍‌, ଏହାପରେ ଆରମ୍ଭ ହେଉଛି ଠକ ଦଳର ଯୋଜନାବଦ୍ଧ ଟଙ୍କା ହଡ଼ପ ପ୍ରକ୍ରିୟା।

ସବୁ ଟଙ୍କା ଫେରାଇ ଦେବାର ପ୍ରତିଶ୍ରୁତି ଦେଇ ଏକ ଲିଙ୍କ୍‌ ସେୟାର୍‌ କରୁଛନ୍ତି। ପରେ ଉକ୍ତ ଲିଙ୍କ୍‌କୁ କ୍ଲିକ୍‌ କରିବାକୁ ନିର୍ଦ୍ଦେଶ ଦେବାସହ ଓଟିପି ମାଗି ଟଙ୍କା ଟ୍ରାନ୍ସଫର୍‌ କରିନେଉଛନ୍ତି। ଏତଦ୍‌ବ୍ୟତୀତ ଏମାନେ ମୋବାଇଲ୍‌ରେ ‘ଏନି ଡେସ୍କ୍’ ଆପ୍‌ ଡାଉନଲୋଡ୍‌ କରିବାକୁ କହି ମୋବାଇଲ୍‌କୁ ନିଜ ନିୟନ୍ତ୍ରଣକୁକ ନେଉଛନ୍ତି। ସେଠାରୁ ପାସ୍‌ୱାର୍ଡ, ପିନ୍‌ ନମ୍ବର ଆଦି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଚୋରି କରି ଟଙ୍କା ଉଠାଉଛନ୍ତି। ଏମିତିକି ଠକାମିର ଶିକାର ବ୍ୟକ୍ତିଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଯେଉଁ ଅସଲି ମୋବାଇଲ ନମ୍ବର ରହୁଛି; ତାକୁ କୌଶଳକ୍ରମେ ପରିବର୍ତ୍ତନକରି ନିଜ ମୋବାଇଲ ନମ୍ବର ସଂଯୋଗ କରୁଛନ୍ତି। ଏହାପରେ ଅନାୟାସରେ ବେଧଡ଼କ ଟଙ୍କା ଉଠାଉଛନ୍ତି। ଫଳରେ ପ୍ରକୃତ ଆକାଉଣ୍ଟ୍‌ଧାରୀଙ୍କ ମୋବାଇଲକୁ ଟଙ୍କା ଉଠାଣ/ଟ୍ରାନ୍ସଫର୍‌ ଆଦିର ମେସେଜ୍‌ ଯାଉନଥିବାରୁ ‌ସେମାନେ ସାଇବର ଠକେଇ ବିଷୟରେ ଆଦୌ ଅବଗତ ହୋଇପାରୁନାହାନ୍ତି।

ରାଉରକେଲା ସମେତ ରାଜ୍ୟରୁ ନେଉଛନ୍ତି ସିମ୍‌କାର୍ଡ

ଧରାପଡ଼ିଥିବା ଜମ୍‌ତରା ଗ୍ୟାଙ୍ଗ୍‌ଠାରୁ ପୁଲିସ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ପାଇଛି। ଏମାନଙ୍କ ପାଖରେ ଦେଶର ସବୁ ରାଜ୍ୟରେ ପଞ୍ଜିକୃତ ସିମ୍‌ କାର୍ଡ ଉପଲବ୍ଧ। ସେମାନେ ଯେଉଁ ରାଜ୍ୟର ଲୋକକୁ ଠକୁଛନ୍ତି, ସଂପୃକ୍ତ ରାଜ୍ୟର ସିମ୍‌ରେ ଫୋନ୍‌ କରୁଛନ୍ତି। ଏହାଦ୍ବାରା ଲୁଟିବାକୁ ସେମାନଙ୍କୁ ବେଶ୍‌ ସହଜ ହୁଏ। ଏହି କ୍ରମରେ ଓଡ଼ିଶାରୁ ଇସ୍ୟୁ ହୋଇଥିବା ଏକାଧିକ ସିମ୍‌ କାର୍ଡ ଏମାନଙ୍କ ପାଖରେ ମହଜୁଦ ରହିଛି। ଏଭଳି ଦୁଇଟି ନମ୍ବରରେ ହିଁ ଏହି ଗ୍ୟାଙ୍ଗ୍‌ ପ୍ରାୟ ୭ ମାସ ପୂର୍ବେ କୁତ୍ରା ବ୍ଲକ ଅନ୍ତର୍ଗତ ଗଙ୍ଗାଜଲର ଅବସରପ୍ରାପ୍ତ ରେଳବାଇ କର୍ମଚାରୀଙ୍କୁ ଫୋନ୍‌ କରିଥିଲେ। ଏହାପରେ ୧୫ ଲକ୍ଷ ୫୬ ହଜାର ଟଙ୍କା ଠକିନେଇଥିଲେ। ଏମାନଙ୍କ ସିମ୍‌ ଠୁଲ କରିବା ପ୍ରକ୍ରିୟା ମଧ୍ୟ ନିଆରା।

ପ୍ରଥମେ ଠକ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଝାଡ଼ଖଣ୍ଡରେ ସିମ୍‌ କାର୍ଡ ବେପାର କରୁଥିବା ନିଜର ସହଯୋଗୀଙ୍କୁ ନିର୍ଦ୍ଦିଷ୍ଟ ସଂଖ୍ୟକ ସିମ୍‌କାର୍ଡ ପାଇଁ ବରାଦ ଦେଉଛନ୍ତି। ଉକ୍ତ ବେପାରୀମାନେ ହିଁ ସୀମାବର୍ତ୍ତୀ ସୁନ୍ଦରଗଡ଼ ଜିଲ୍ଲା ସମେତ ଆଖପାଖ ଅଞ୍ଚଳର ସିମ୍‌କାର୍ଡ ବିତରଣକାରୀଙ୍କୁ ଯୋଗାଯୋଗ କରୁଛନ୍ତି। ଏମାନଙ୍କଠାରୁ ହିଁ ସିମ୍‌ କିଣି ଝାଡ଼ଖଣ୍ଡର ବେପାରୀମାନେ ଠକ ଦଳଙ୍କୁ ଯୋଗାଉଛନ୍ତି। ଫଳରେ ଓଡ଼ିଶାର ବେପାରୀମାନେ ନିର୍ଦ୍ଦିଷ୍ଟଭାବେ କାହାକୁ ସିମ୍‌ ବିକ୍ରି କରୁଛନ୍ତି ସେ ବିଷୟରେ ସବିଶେଷ ତଥ୍ୟ ରଖିପାରୁନାହାନ୍ତି। କେତେକ କ୍ଷେତ୍ରରେ ରାଜ୍ୟର ବେପାରୀମାନେ ସବୁ ଜାଣି ସିମ୍‌ ଯୋଗାଉଥିବା ଅଭିଯୋଗକୁ ମଧ୍ୟ ଏଡ଼ାଇ ଦିଆଯାଇନପାରେ।

ଝାଡ଼ଖଣ୍ଡ-ମୁମ୍ବାଇ-ଦିଲ୍ଲୀରୁ ନିୟନ୍ତ୍ରଣ

ସମଗ୍ର କାରବାରକୁ ଏହି ଗ୍ୟାଙ୍ଗ୍‌ ମୁଖ୍ୟତଃ ଝାଡ଼ଖଣ୍ଡ-ମୁମ୍ବାଇ-ନୂଆଦିଲ୍ଲୀରୁ ନିୟନ୍ତ୍ରଣ କରୁଛନ୍ତି। ତେବେ ପ୍ରାୟତଃ ଏମାନେ ଝାଡ଼ଖଣ୍ଡର ଜମତରା ଓ ଗିରିଡ଼ି ଜିଲ୍ଲାରୁ ଫୋନ୍‌ କରୁଛନ୍ତି। ଏହାପରେ ଟଙ୍କା ଟ୍ରାନ୍ସଫର୍‌ କାର୍ଯ୍ୟକଳାପ ନୂଆଦିଲ୍ଲୀ-ମୁମ୍ବାଇରେ ଥିବା ନିଜ ଗୁପ୍ତ କାର୍ଯ୍ୟାଳୟରୁ ନିୟନ୍ତ୍ରଣ ହେଉଛି। ଏମାନଙ୍କ ରହଣୀ ମଧ୍ୟ ସ୍ଥାୟୀ ନୁହେଁ। ଏମାନେ ନିୟମିତ ବ୍ୟବଧାନରେ ସ୍ଥାନ ପରିବର୍ତ୍ତନ କରୁଛନ୍ତି। ନିର୍ଦ୍ଦିଷ୍ଟ ଗୋଟିଏ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ସବୁ ଟଙ୍କା ଜମା କଲେ ସହଜରେ ଧରାପଡ଼ିଯିବାର ଆଶଙ୍କା ରହୁଛି। ପ୍ରତ୍ୟେକଙ୍କ ପାଖରେ ୪/୫ଟି ଲେଖାଏଁ ଆକାଉଣ୍ଟ୍‌ ରହିଛି। ତେବେ ଏହାର କେୱାଇସି ସହ ଅନ୍ୟାନ୍ୟ ବିଧିବଦ୍ଧ ପ୍ରକ୍ରିୟା କରାଯାଉନି। ଏଣୁ ଲୁଟିଥିବା ଟଙ୍କା ଗୁଡ଼ିକ ଏସବୁ ଆକାଉଣ୍ଟ୍‌କୁ ଟ୍ରାନ୍ସଫର୍‌ କରୁଛନ୍ତି। କେବଳ ୧/୨ଟି ନୁହେଁ, ବରଂ ଚୋରିର ମୋଟ୍‌ ପରିମାଣକୁ ଦୃଷ୍ଟିରେ ରଖି ୩୦/୪୦ଟି ଆକାଉଣ୍ଟ୍‌କୁ ଟଙ୍କା ଟ୍ରାନ୍ସଫର୍‌ କରୁଛନ୍ତି। ଏମିତିକି ବେଳେବେଳେ ଜମା ହୋଇସାରିଥିବା ଆକାଉଣ୍ଟ୍‌ରୁ ପୁନର୍ବାର ନିଜ ମୂଳ ଆକାଉଣ୍ଟ୍‌କୁ ଟଙ୍କା ଫେରାଇ ଆଣୁଛନ୍ତି; ଯଦ୍ବାରା ତଦନ୍ତରେ ପୁଲିସ୍‌କୁ ନାକେଦମ୍‌ ହେବାକୁ ପଡ଼ୁଛି।

ମୁମ୍ବାଇରେ ଟ୍ରେନିଂ ନେଉଛନ୍ତି

ଗତ ଶୁକ୍ରବାର ଦିନ ରାଉରକେଲା ସାଇବର ଥାନା ପୁଲିସ ଏହି ଗ୍ୟାଙ୍ଗ୍‌ର ୩ ଜଣ ଅଭିଯୁକ୍ତ, ଝାଡ଼ଖଣ୍ଡ ଜମତରା ଜିଲ୍ଲା ଅନ୍ତର୍ଗତ ନାରାୟଣପୁର ଥାନା ଅଞ୍ଚଳର କୋରିଡ଼ିର ଗାଁର ଜାମେଶଦ ଅନସାରୀ(୩୭), ଗିରିଡ଼ି ଜିଲ୍ଲାର ଅହିଲ୍ୟାପୁର ଥାନା ଅନ୍ତର୍ଗତ ଫୁଲଝରିଆର ମହମ୍ମଦ ଆରିଫ୍‌ ଅନସାରୀ(୨୧) ଓ ଅହିଲ୍ୟାପୁର ଥାନା ଅନ୍ତର୍ଗତ ଜାମଯୋରୀର ମହମ୍ମଦ ରାଜଉଲ(୩୦)ଙ୍କ ଗିରଫକରି କୋର୍ଟଚାଲାଣ କରିଥିଲା। ଏହି ଗ୍ୟାଙ୍ଗ୍‌ରେ ଆଉ ୩/୪ ଜଣ ସଂପୃକ୍ତ ଥିବାବେଳେ ସେମାନଙ୍କୁ ଗିରଫ କରାଯାଇପାରିନି।

ତେବେ ତିନି ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଅଭିଯୁକ୍ତ ହେଉଛି ଜାମଶେଦ ଅନସାରୀ। ଜାମଦେଶ ମୁମ୍ବାଇରେ ଅବସ୍ଥାପିତ ସାଇବର ଠକେଇର ଅନ୍ୟତମ କିଙ୍ଗ୍‌ପିନ କୁହାଯାଉଥିବା ଜାମିଲ ଅନସାରୀ ଗ୍ରୁପ୍‌ର ସଦସ୍ୟ। ସେଠାରେ ସେ ଠକେଇ ପ୍ରକ୍ରିୟା ବିଷୟରେ ଟିକିନିଖି ଶିକ୍ଷାଲାଭ କରିଥିଲା। ଅନ୍ୟ ଦୁଇ ଅଭିଯୁକ୍ତ ମହମ୍ମଦ ଆରିଫ୍‌ ଅନସାରୀ ଓ ମହମ୍ମଦ ରାଜଉଲ ଦିଲ୍ଲୀରେ ତାଲିମ ନେଇଥିଲେ। ଜାମିଲ ଅଧିନରେ ପ୍ରାୟ ୩୫/୪୦ ଜଣ ସାଇବର ଠକ କାର୍ଯ୍ୟରତ ଥିବା ଜଣାପଡ଼ିଛି। କିଙ୍ଗ୍‌ପିନ୍‌ ଜାମିଲ ବର୍ତ୍ତମାନ ମୁମ୍ବାଇର ଏକ ଜେଲ୍‌ରେ ବନ୍ଦୀ ଥିଲେ ମଧ୍ୟ ଜାମଦେଶ ଭଳି ଗ୍ୟାଙ୍ଗ୍‌ର ଏକାଧିକ ସଦସ୍ୟ ପୂର୍ବବତ ଠକେଇ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର