ରାଉରକେଲା କ୍ରିକେଟ୍‌ କ’ଣ ସାବତ ପୁଅ? ଓସିଏର କ୍ରମାଗତ ଅବହେଳା, କ୍ରିକେଟ୍‌ ଦୁର୍ଗ ଭୁଶୁଡ଼ୁଛି

ଏକାଡେମୀ ସ୍ଥାପନ ପାଇଁ ଯୋଗ୍ୟ ମଣିଲେନି
ସହରର ୫୦ରୁ ଅଧିକ ରଣଜୀ ଖେଳିଛନ୍ତି, ତଥାପି ଅଣଦେଖା

ରାଉରକେଲା: ଜାତୀୟ, ଅନ୍ତର୍ଜାତୀୟ କ୍ରୀଡ଼ା ଜଗତରେ ରାଉରକେଲାର ଏକ ସ୍ବତନ୍ତ୍ର ପରିଚୟ ରହିଛି। ହକିଠାରୁ ଆରମ୍ଭକରି ସାଇକ୍ଲିଂ ପର୍ଯ୍ୟନ୍ତ, ପୁଣି, ଫୁଟବଲ, ମୁଷ୍ଟିଯୋଦ୍ଧା, କ୍ରିକେଟ ଆଦି ବିଭିନ୍ନ କ୍ରୀଡ଼ାରେ ରାଉରକେଲାର କ୍ରୀଡ଼ାବିତ୍‌ ବହୁ ଉପଲବ୍ଧି ହାସଲ କରିଛନ୍ତି। ସଂପ୍ରତି ରାଉରକେଲା କ୍ରିକେଟ୍‌ କିନ୍ତୁ ପୂର୍ବ ଚମକ ହରାଇ ସାରିଲାଣି; ଏଥିରେ ଆଉ ତିଳେମାତ୍ର ଦ୍ବିଧା ନାହିଁ। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ(ଓସିଏ)ର ବୈମାତୃକ ମନୋଭାବ ହେଉ ଅବା ଆର୍‌ଏସ୍‌ପି କ୍ରିକେଟ୍‌ ସଂଘର ସଦିଚ୍ଛାର ଅଭାବ; ଅବା ସୁନ୍ଦରଗଡ଼ କ୍ରିକେଟ୍‌ ସଂଘର ଅନୈତିକ ହସ୍ତକ୍ଷେପ, ରାଉରକେଲା କ୍ରିକେଟ୍‌ ନିମ୍ନଗାମୀ ହେବାରେ ଲାଗିଛି। ଓସିଏ ପକ୍ଷରୁ ଭିତ୍ତିଭୂମି ବିକାଶ କିମ୍ବା ଅନୁଦାନ ରାଶି ବୃଦ୍ଧି କରାଯାଉନଥିବାରୁ ଏହି ଦୂରବସ୍ଥା ପରିଲକ୍ଷିତ ହୁଏ। ରାଉରକେଲାରେ କ୍ରିକେଟ୍‌ ଏକାଡେମୀ ସ୍ଥାପନ କରାନଯିବା, ଓସିଏ ଅବହେଳାର ସଦ୍ୟତମ ଉଦାହରଣ।

ରାଜ୍ୟରେ କ୍ରିକେଟ୍‌ର ବିକାଶ ପାଇଁ ଓସିଏ ପକ୍ଷରୁ ଜିଲ୍ଲାସ୍ତରରେ କ୍ରିକେଟ୍‌ ଏକାଡେମୀ ସ୍ଥାପନ ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା କ୍ରିକେଟ୍‌ ସଂଘ ଅନ୍ତର୍ଗତ ରାଜଗାଙ୍ଗପୁରଠାରେ ଏହି ଏକାଡେମୀ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଜିଲ୍ଲାରେ କ୍ରିକେଟ୍‌ ଏକାଡେମୀ ସ୍ଥାପନ ସ୍ବାଗତଯୋଗ୍ୟ ପଦକ୍ଷେପ; ତେବେ ଏହା ଭବିଷ୍ୟତରେ କେତେ ଫଳପ୍ରଦ ହେବ ସେନେଇ ଏବେଠାରୁ ଭିନ୍ନଭିନ୍ନ ମତ ଆସିଲାଣି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଭଳି ରାଜଗାଙ୍ଗପୁର ବ୍ଲକରେ ମଧ୍ୟ ହକିର ଚାହିଦା ସର୍ବାଧିକ; ଏଣୁ ଭବିଷ୍ୟତରେ ଏହି କ୍ରିକେଟ ଏକାଡେମୀ କେତେ ମାତ୍ରାରେ ଲକ୍ଷ୍ୟ ସାଧନ କରିବ ତାହା ସମୟ କହିବ। ଅପରପକ୍ଷରେ ଷାଠିଏ ଦଶକରୁ ରଣଜୀ କ୍ରିକେଟ୍‌ ତାରକା ଭେଟିଦେଇଥିବା ତଥା ଏବେ ବି ଧାରା ଅବ୍ୟାହତ ରଖିଥିବା ରାଉରକେଲାକୁ ଏହି ପ୍ରକଳ୍ପରୁ ବାଦ୍‌ ଦିଆଯିବା ଭ୍ରୁକୁଞ୍ଚନ ସୃଷ୍ଟି କରିଛି। ଏନେଇ କିନ୍ତୁ ଓସିଏ ଅନୁବନ୍ଧିତ ଆର୍‌ଏସ୍‌ପି କ୍ରିକେଟ୍‌ ସଂଘ ସହ ‌କୌଣସିପ୍ରକାର ବିଧିବଦ୍ଧ ବିଚାରବିମର୍ଷ କରାଯାଇନଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ରାଉରକେଲାରେ ଏକାଡେମୀ ସ୍ଥାପନ ନ କରିବା ପଛରେ ଉଦ୍ଦେଶ୍ୟ କ’ଣ? କାହା ଇଙ୍ଗିତରେ ରାଉରକେଲା ପ୍ରତି ଓସିଏ ହତାଦର କରିଚାଲିଛି? ରାଜ୍ୟ କ୍ରିକେଟ୍‌କୁ ରାଉରକେଲାର ଅବଦାନ ପ୍ରତି ଚରମ ଅବହେଳା ପାଇଁ ଦାୟୀ କିଏ? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି। ନାମ ଗୋପନ ରଖି ଅନେକ ପୂର୍ବତନ ରଣଜୀ ଖେଳାଳି ଓସିଏର ମନମାନିକୁ ତୀବ୍ର ସମାଲୋଚନା କରିଛନ୍ତି।

ClipartMax

ଉଲ୍ଲେଖଯୋଗ୍ୟ, ଷାଠିଏ ଦଶକକୁ ରାଜ୍ୟ ଓ ଦେଶର କ୍ରୀଡ଼ା ମାନଚିତ୍ରରେ ରାଉରକେଲା କ୍ରିକେଟ୍‌ ନିଜର ପରିଚୟ ତିଆରି କରିପାରିଥିଲା। ତତ୍କାଳୀନ ଆର୍‌ଏସ୍‌ପି ଅଧିକାରୀ ସ୍ବର୍ଗତ ଲଲାଟ ଇନ୍ଦୁ ପରିଜାଙ୍କଠାରୁ ଆରମ୍ଭ ହୋଇଥିବା ଏହି ଧାରା ଆଜି ବି ଅବ୍ୟାହତ। ଏହାପରେ ଆର୍‌ଏସ୍‌ପିରୁ ପ୍ରତିନିଧିତ୍ବକରି ରାଜ୍ୟ ଦଳ ପକ୍ଷରୁ ରଣଜୀ ଖେଳିଥିବା ଏକାଧିକ ଖେଳାଳି, ଯଥା- ଏଚ.କେ. ରାୟଚୌଧୁରୀ, ଏ.ପି. ମହାନ୍ତି, ଡ. ସଞ୍ଜୟ ଶତପଥୀ, ବାବୁ ରାଓ, ହରମୋହନ ପ୍ରହରାଜ, ରବିନାରାୟଣ ପଣ୍ଡା, ସୋମନାଥ ସାହୁ, ଅନୀଲ ଭରଦ୍ବାଜ, କରୁନ ଦୁବେ, ରଣଧୀର ସିଂହ, ରଞ୍ଜିତ ସିକଦାର, ଦେବାଶିଷ ମହାନ୍ତି(ବରିଷ୍ଠ), ଅସଜିତ ଜୟପ୍ରକାଶନ, ପାନ୍ନାଲାଲ ବୋଷ, ଅଭିନାଶ ଖଟୁଆ, ଗୌତମ ନାଗ, ସୁଶୀଳ କୁମାର, ଭି.ଅରବିନ୍ଦ, ଅଜିତ ଜୟପ୍ରକାଶନ, ଗୌତମ ଗୋପାଳ, ଅଲେଖ ବାରିକ, ସୁବାଷ ମହାନ୍ତି, ସାହିଦ ଖାନ, ସୁଜନ ମହାନ୍ତି, କରୁନ ଦୁବେ, ଶ୍ରୀତମ ଦାସ, ନଟରାଜ ବେହେରା, ଗୋବିନ୍ଦ ପୋଦ୍ଦାର, ରଞ୍ଜିତ ସିଂହ, ଅଂଶୁମାନ ଗୋପ, ଅମିତ ଦାସ, ଆଲୋକ ପ୍ରଧାନ, ପ୍ରୀତମଜିତ ଦାସ ପ୍ରମୁଖ ନିଜ ସ୍ବତନ୍ତ୍ର ଛାପ ଛାଡ଼ିଛନ୍ତି। ପୂର୍ବାଞ୍ଚଳ ଦଳକୁ ଦୁଇ ଦୁଇ ଧର ଦଲୀପ ଟ୍ରଫି ବିଜେତା କରାଇଥିବା ଦଳର ଅଧିନାୟକ ଥିଲେ ରାଉରକେଲା ମାଟିରେ ଜନ୍ମିତ ନଟରାଜ ବେହେରା। ଏମିତିକି ୧୯୯୫-୯୬ ମସିହାରେ ଏକାସାଙ୍ଗରେ ରାଉରକେଲାର ପ୍ରାୟ ୮ ଜଣ ଖେଳାଳି ଓଡ଼ିଶା ପକ୍ଷରୁ ପଡ଼ିଆକୁ ଓହ୍ଲାଇଥିଲା। ଏତଦ୍‌ବ୍ୟତୀତ ବିଗତ ଦିନରେ ରାଉରକେଲାରେ ରଣଜୀ ମ୍ୟାଚ୍‌ ଆୟୋଜନ ହେବାସହ ଅନେକ ଅନ୍ତର୍ଜାତୀୟ ମାନର କ୍ରିକେଟ୍‌ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହୋଇଥିଲା। ଏତେସବୁ ଗୌରବମୟ ଇତିହାସ ଥିବା ସତ୍ତ୍ବେ ରାଉରକେଲା ପ୍ରତି ଚିରାଚରିତ ଅବହେଳା କରିବା; ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ।

ସମ୍ବନ୍ଧିତ ଖବର