ରାଉରକେଲା: ରାଉରକେଲାରେ ହଇଜା ସଂକ୍ରମଣ ଆତଙ୍କ ଖେଳାଇଛି। ଏହି ଘଟଣା ସମଗ୍ର ଦେଶରେ ହଟଚମଟ ସୃଷ୍ଟି କରିଛି। ଏହି ପ୍ରସଙ୍ଗ ଏବେ ଜାତୀୟ ମାନବାଧିକାର କମିସନ(ଏନ୍‌ଏଚ୍‌ଆର୍‌ସି)ରେ ପହଞ୍ଚିଛି। ଏନେଇ ‘ନ୍ୟାୟ ପାଇଁ ଲଢେଇ ପରିବାର’ର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ ଏନ୍‌ଚଆର୍‌ସିରେ ଏକ ମାମଲା(ନମ୍ବର-୨୧୦୦୦/୨୦୨୩) ରୁଜୁ କରିଛନ୍ତି। ମାମଲାରେ ସୁନ୍ଦରଗଡ଼ ଜିଲ୍ଲାପାଳ, ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ, ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

Advertisment

ଶ୍ରୀ ଦାଶ ଅଭିଯୋଗ କରିଛନ୍ତି, ସ୍ମାର୍ଟସିଟି ରାଉରକେଲାର ବିଭିନ୍ନ ଅଞ୍ଚଳରେ ଦୂଷିତ ପାଣି ଯୋଗୁଁ ଲୋକେ ହଇଜାରେ ଆକ୍ରାନ୍ତ ହେଉଛନ୍ତି। ହଇଜାରେ ଆକ୍ରାନ୍ତ ହୋଇ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୪୦୦ ଜଣ ଆକ୍ରାନ୍ତ ହେଲେଣି। ତେବେ ସଂକ୍ରମଣ ରୋକିବାକୁ ରାଜ୍ୟ ସରକାର ଓ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ବାସ୍ତବରେ ସରକାର ଏନେଇ ନିରବଦ୍ରଷ୍ଟା ସାଜିଛନ୍ତି। ହଇଜାରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦିଆଯିବା ନିତାନ୍ତ ଆବଶ୍ୟକ। ଏହାସହ ଆକ୍ରାନ୍ତଙ୍କୁ ତୁରନ୍ତ ଉଚ୍ଚସ୍ତରୀୟ ଚିକିତ୍ସା ଯୋଗାଇବା ସହ ସ୍ଥିତିରେ ସୁଧାର ଆଣିବାକୁ ତ୍ବରିତ ପଦକ୍ଷେପ ନିଆଯାଉ। ଏହି ସମ୍ବେଦନଶୀଳ ଘଟଣାରେ ମାନ୍ୟବର କମିସନ ହସ୍ତକ୍ଷେପ କରି ଉପଯୁକ୍ତ କ୍ଷତପୂରଣ ସହ ଉତ୍କୃଷ୍ଟ ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରାଯାଇଛି।