ରାଉରକେଲା ବିସ୍ଥାପିତ ସମସ୍ୟା: ସରକାରଙ୍କୁ ଚିଠି ଲେଖିବେ ଛତିଶଗଡ ରାଜ୍ୟପାଳ

ରାଉରକେଲା : ଘୁଞ୍ଚୁନି ରାଉରକେଲା ବିସ୍ଥାପିତଙ୍କ ଦୁଃଖ। ରାଜ୍ୟ ସରକାର ଓ ଜିଲ୍ଳା ପ୍ରଶାସନ ଉପରୁ ଭରସା ତୁଟିବା ପରେ ପୂର୍ବତନ ଜାତୀୟ ଜନଜାତି କମିଶନ ଉପାଧ୍ୟକ୍ଷ ତଥା ଛତିଶଗଡ ରାଜ୍ୟପାଳ ଅନୁସୂୟା ଉଇକୋଙ୍କୁ ସାକ୍ଷାତ କରିଛନ୍ତି ରାଉରକେଲା ବିସ୍ଥାପିତ ସଂଘର ପ୍ରତିନିଧି। ରାଉରକେଲା ଷ୍ଟିଲପ୍ଲାଣ୍ଟ ଆଣ୍ଡ ମାର୍ଶଲିଂ ୟାର୍ଡ ଡିସ୍‌ପ୍ଲେସ୍‌ କମିଟିର ସଭାପତି ଲଚ୍ଛୁ ଓରାମ, ଉପସଭାପତି ମାଙ୍ଗରା ଓରାମ, ଆଇନଜୀବୀ ଗୋବିନ୍ଦ ତନ୍ତୀ ରାୟପୁରସ୍ଥିତ ରାଜ୍ୟପାଳଙ୍କ ବାସଭବନରେ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି। ବର୍ଷ ବର୍ଷ ଧରି ନାନା ସମସ୍ୟାରେ ଘାଣ୍ଟିଚକଟି ହେଉଥିବା ବିସ୍ଥାପିତଙ୍କ ଦୁଃଖ ଦୂର କରିବାକୁ ଅନୁରୋଧ କରିଥିଲେ। ରାଜ୍ୟପାଳ ସମସ୍ୟା ସମାଧାନର କୌଣସି ଅଗ୍ରଗତି ହୋଇ ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି। ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ଚିଠି ଲେଖିବେ ବୋଲି ବିସ୍ଥାପିତ ପ୍ରତିନିଧିଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ସମସ୍ୟାଗୁଡ଼ିକ ମଧ୍ୟରେ ରହିଛି ଓଡ଼ିଶା ସରକାରଙ୍କ ଦ୍ବାରା ୧୬୩ ଯୋଗ୍ୟ ବିସ୍ଥାପିତଙ୍କୁ ଚୟନ କରି ନିଯୁକ୍ତି ପାଇଁ ଆର୍‌ଏସ୍‌ପିକୁ ଜାତୀୟ ଜନଜାତି କମିଶନ ସୁପାରିଶ କରିଥିଲେ। ଆଜି ପର୍ଯ୍ୟନ୍ତ ୧୬୩ ଜଣଙ୍କୁ ମଧ୍ୟରୁ ଜଣକୁ ନିଯୁକ୍ତି ମିଳି ନାହିଁ। ପୁନର୍ବାସ ଓ ପୁନଃଥଇଥାନ ନୀତି ଅନୁଯାୟୀ ପ୍ରତ୍ୟେକ ଆଦିବାସୀ ବିସ୍ଥାପିତଙ୍କୁ ଚାଷ ଉପଯୋଗୀ ଜମି ପ୍ରଦାନ ଅବା ଅଧିଗ୍ରହଣକୁ ତୁରନ୍ତ ମୂଳଚାଷୀଙ୍କ ଉତ୍ତରାଧିକାରୀଙ୍କୁ ଫେରସ୍ତ କରିବା। ପୁନର୍ବାସ ଓ ପୁନଃଥଇଥାନ ନୀତି ଅନୁସାରେ ବିସ୍ଥାପିତଙ୍କୁ ଜମି ବଦଳରେ ଚାଷ ଉପଯୋଗୀ ଜମି ଦେବା ସହ ପଟ୍ଟା ପ୍ରଦାନ କରିବା। ଅବ୍ୟବହୃତ ଜମିକୁ ତୁରନ୍ତ ବିସ୍ଥାପିତଙ୍କୁ ଫେରସ୍ତ କରିବା। ଆର୍‌ଏସ୍‌ପି ଜାଗାରେ କୌଣସି ବିକାଶମୂଳକ ପ୍ରକଳ୍ପ ହେବା ପୂର୍ବରୁ ଗ୍ରାମସଭା, ରାଉରକେଲା ବିସ୍ଥାପିତଙ୍କ ସହିତ ଆଲୋଚନା କରିବା ଇତ୍ୟାଦି ସମ୍ପର୍କରେ ଚିଠିରେ ଉଲ୍ଲେଖ କରିବେ ବୋଲି ରାଜ୍ୟପାଳ ବିସ୍ଥାପିତମାନଙ୍କୁ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ୧୯୫୪ରେ ରାଉରକେଲା ଇସ୍ପାତ କାରଖାନା ପ୍ରତିଷ୍ଠାବେଳେ ପ୍ରାୟ ୪ ହଜାର ଏକର ଜମି ଅଧିଗ୍ରହଣ ହୋଇଥିଲା। ବସ୍ଥାପିତ ହୋଇଥିବା ପରିବାରକୁ ଜଲଦା ଏ, ବି ଓ ସି, ରାଜଗାଙ୍ଗପୁର, ଦେବଗଡ ଆଦି ସ୍ଥାନରେ ଥଇଥାନ କରାଯାଇଥିଲା। ପରବର୍ତ୍ତୀ ସମୟରେ ଚିହ୍ନଟ ଅଧିକାଂଶ ବିସ୍ଥାପିତଙ୍କୁ ପର୍ଯ୍ୟାୟକ୍ରମେ ଆର୍‌ଏସ୍‌ପିରେ ନିଯୁକ୍ତି ମିଳିଥିଲା। ୭୦ ମୌଜା ବିସ୍ଥାପିତ ସଂଘ, ଆର୍‌ଏସ୍‌ପି ମାର୍ଶଲିଂ ୟାର୍ଡ ଡିସ୍‌ପ୍ଲେସ କମିଟିର କିଛି ପରିବାରକୁ ଆଜି ପର୍ଯ୍ୟନ୍ତ ନିଯୁକ୍ତି ମିଳି ନଥିବାରୁ ଏଭଳି ସ୍ଥିତି ଉପୁଜିଛି। କେବଳ ଏତିକି ନୁହେଁ ଥଇଥାନ କଲୋନିରେ ବିସ୍ଥାପିତ ପରିବାର ଆଜି ପର୍ଯ୍ୟନ୍ତ ଠିକ୍ ଭାବେ ମୌଳିକ ସୁବିଧା ପାଇପାରି ନାହାନ୍ତି।

ସମ୍ବନ୍ଧିତ ଖବର