ରାଉରକେଲା: ପଦପଦବୀକୁ ନେଇ ପ୍ରତ୍ୟେକ ରାଜନୈତିକ ଦଳ ଭିତରେ ଗୋଷ୍ଠୀକନ୍ଦଳ ରହିବା ସ୍ବାଭାବିକ। ଯେତେ ବାଦବିବାଦ ଥିଲେ ମଧ୍ୟ ମୁରବୀଙ୍କ ଭୟରେ ଦଳୀୟ କାର୍ଯ୍ୟକ୍ରମରେ ସମସ୍ତ ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳେ। ମାତ୍ର ରାଉରକେଲା ଜିଲ୍ଲା କଂଗ୍ରେସରେ ଏହାର ବହୁ ବ୍ୟତିକ୍ରମ ଦେଖିବାକୁ ମିଳୁଛି। ଜର୍ଜ ତିର୍କୀ କଂଗ୍ରେସ ଛାଡିବା ପରେ ଦଳର ଏବେ ଯେମିତି ମୁରବୀ ଶୂନ୍ୟ ହୋଇଯାଇଛି। ବିଭିନ୍ନ ପଦପଦବୀକୁ ନେଇ ପ୍ରାୟ ଅଧିକାଂଶ ସମୟରେ ନେତା ଓ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀକନ୍ଦଳ ଲାଗି ରହୁଛି। ପଦ ନ ମିଳିବାରୁ ଅନେକ ବରିଷ୍ଠ ଓ ଯୁବ ନେତା ଦଳର ସମସ୍ତ କାର୍ଯ୍ୟକ୍ରମର ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି। ରାଜ୍ୟ ହେଉ ଅବା ସହରର କିଛି ପ୍ରମୁଖ ସମସ୍ୟା ଓ ପ୍ରସଙ୍ଗକୁ ନେଇ କିଛି ନେତା ଦଳର କର୍ମୀମାନଙ୍କୁ ଧରି ସମାନ୍ତରାଳ କାର୍ଯ୍ୟକ୍ରମ କରୁଦେଖିବାକୁ ଅଦିକାଂଶ ସମୟରେ ଦେଖିବାକୁ ମିଳୁଛି। ଆଉ କିଛି ନେତା ଦଳ ଛାଡି ନଥିଲେ ହେଁ ଦଳୀୟ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଓହରି ଯାଇଛନ୍ତି।
ଏମିତି ଅନେକ କାରଣରୁ ରାଉରକେଲାରେ ଜିଲ୍ଲା କଂଗ୍ରେସ ସୁଦୃଢ଼ ହେବା ପରିବର୍ତ୍ତେ ଦିନକୁ ଦିନ ଦୁର୍ବଳ ହେଉଛି। ଫଳରେ ଏମାନଙ୍କର ପ୍ରତିବାଦର ସ୍ବର ସରକାର ଅବା ପ୍ରଶାସନିକ ଅଧିକାରୀଙ୍କ ଉପରେ ସେମିତି କୌଣସି ପ୍ରଭାବ ପକାଇପାରୁନି। ନିକଟରେ ପ୍ରଥମେ ଦଳର ଜିଲ୍ଲା ସଭାପତି ଓ ପରେ ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ତଥା ଜିଲ୍ଲାର ଜଣେ ଟାଣୁଆ ଆଦିବାସୀ ନେତା ଜର୍ଜ ତିର୍କୀ। ସେ କଂଗ୍ରେସର ଯୋଗଦେବା ପରେ କିଛି ନେତା ଓ କର୍ମୀ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଆଉ କିଛି ନେତା ଓ କର୍ମୀ ଦଳର ବିଭିନ୍ନ କାର୍ଯ୍ୟକ୍ରମରୁ ଦୂରେଇ ଯାଇଥିଲେ। ଏହା ସତ୍ବେ ଶ୍ରୀ ତିର୍କୀଙ୍କ ନେତୃତ୍ବରେ ନେତା ଓ କର୍ମୀ ବିଭିନ୍ନ ପ୍ରସଙ୍ଗକୁ ନେଇ ସ୍ବର ଉତ୍ତୋଳନ କରୁଥିଲେ। ସରକାରଙ୍କ ଉପରେ ଚାପ ପକାଉଥିଲେ। ତାଙ୍କର ଏଭଳି କାର୍ଯ୍ୟ ଦଳର କିଛି ନେତାଙ୍କୁ ଆଦୌ ଭଲ ଲାଗୁ ନଥିଲା। କିଛି ନେତା ଜର୍ଜ ନିଜର ବ୍ୟକ୍ତିଗତ ଫାଇଦା ପାଇଁ ଏଭଳି କରୁଛନ୍ତି ବୋଲି ପରସ୍ପର ମଧ୍ୟରେ କହି ବୁଲୁଥିଲେ। ନିକଟରେ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ଦଳର ଶୋଚନୀୟ ପରାଜୟ , ପିସିସି ଓ ଏଆଇସିସି ପକ୍ଷରୁ ସହଯୋଗ ନ ମିଳିବାରୁ ଦଳ ଛାଡିବାକୁ ବାଧ୍ୟ ହୋଇଛନ୍ତି ବୋଲି ଶ୍ରୀ ତିର୍କୀ ତାଙ୍କ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି। ଜର୍ଜଙ୍କର ପିସିସି ଓ ଏଆଇସିସିର ଦୋଷାରୋପକୁ ଦଳର କିଛି ନେତା ଆଦୌ ହଜମ କରିପାରୁ ନାହାନ୍ତି। ସେମାନେ ଜର୍ଜ ତିର୍କୀ ଜଣେ ଫାଇଦାବାଦୀ ନେତା। ଫାଇଦ ନ ମିଳିବାରୁ ଦଳ ଛାଡିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି।
ସେମିତି ବିଗତ ଦିନରେ ଜିଲ୍ଲା ଯୁବ ଓ ଛାତ୍ର ସଭାପତିଙ୍କୁ ନେଇ ଅନେକ ଦଳରେ ଅନେକ ବିବାଦ ସୃଷ୍ଟି ହୋଇଥିଲା। ଜର୍ଜ ତିର୍କୀ ଜିଲ୍ଲା ସଭାପତି ଥିବାବେଳେ ଯୁବ ସଭାପତି ପ୍ରବୋଧ ଦାସଙ୍କୁ ହଟାଇ ଯାଇଥିଲା। ତାଙ୍କ ସ୍ଥାନରେ ଜ୍ଞାନେନ୍ଦ୍ର ଦାସଙ୍କୁ ନିଯୁକ୍ତି ଦିଆଯାଇଥିଲା। ଯାହାକୁ ପ୍ରବୋଧଙ୍କ ସମର୍ଥକମାନେ କଡା ବିରୋଧ କରିଥିଲେ। ପ୍ରତିବାଦରେ ଦଳର ରାଜ୍ୟ ନେତୃତ୍ବଙ୍କ କୁଶପୁତ୍ତଳିକା ଦାହ କରିଥିଲେ। କିଛି ସୁଫଳ ମିଳି ନଥିଲା। ଶେଷରେ ପ୍ରବୋଧ ଦଳ ଛାଡି ନଥିଲେ ହେଁ ଦଳୀୟ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଓହରିଯାଇଥିବା ଦେଖିବାକୁ ମିଳୁଛି। କେବଳ ସେ ନୁହେଁ , ତାଙ୍କ ସମର୍ଥକଙ୍କୁ ଦଳର କୌଣସି କାର୍ଯ୍ୟକ୍ରମରେ ଆଉ ଦେଖିବାକୁ ମିଳୁନି। ଛାତ୍ର ସଭାପତି କ୍ଷେତ୍ରରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି। ଛାତ୍ର ସଭାପତି ଦାୟିତ୍ବରେ ଥିବା ସୂର୍ଯ୍ୟକାନ୍ତ ବାରିକଙ୍କୁ ନ ହଟାଇଥିଲେ ମଧ୍ୟ କୌଣସି ଦଳୀୟ କାର୍ଯ୍ୟର ଦାୟିତ୍ବ ଦିଆଯାଉ ନାହିଁ। ଫଳରେ ସେ ଦଳୀୟ କାର୍ଯ୍ୟରୁ ନିବୃତ ରହିଛନ୍ତି। କେବଳ ଏତିକି ନୁହେଁ, ଗତ ପ୍ରାୟ ୫ ମାସ ତଳେ ପିସିସି ପୁନର୍ଗଠନ ବେଳେ ରାଜ୍ୟ ସମ୍ପାଦକ ଦାୟିତ୍ବରେ ଥିବା ଯୁବନେତା ରଶ୍ମୀ ପାଢ଼ୀଙ୍କ ନାଁକୁ ହଟାଇ ଦିଆଯାଇଥିଲା। କେବଳ ରାଉରକେଲାରୁ ପୂର୍ବତନ ଜିଲ୍ଲା ସଭାପତି ରବି ରାୟଙ୍କ ନାମ ରାଜ୍ୟ ସାଧାରଣ ସମ୍ପାଦକ ତାଲିକାରେ ସାମିଲ ହୋଇଥିଲା।
ରଶ୍ମୀଙ୍କୁ ସମ୍ପାଦକ ପଦରୁ ହଟାଯିବା ପରେ ତାଙ୍କୁ ମଧ୍ୟ ଦଳୀୟ କାର୍ଯ୍ୟକ୍ରମରେ ଦେଖିବାକୁ ମିଳୁନି। ସବୁଠୁ ଆଶ୍ଚର୍ଯ୍ୟ କଥା, ଦଳର ସଭାପତି ଛାଡିବା ପରେ ପାର୍ଟି ଅଫିସ୍ରୁ ସମସ୍ତ ଆସବାବପତ୍ର ନେଇ ଯିବାକୁ କଂଗ୍ରେସର ନେତା ଓ କର୍ମୀମାନେ ନାପସନ୍ଦ କରିଛନ୍ତି। ଜିଲ୍ଲା ସଭାପତି ପଦରୁ ବିରେନ ସେନାପତି ହଟିବା ପରେ ରବି ରାୟ ସଭାପତି ଦାୟିତ୍ବ ନେଇଥିଲେ। ସେତେବେଳେ କଂଗ୍ରେସ ପକ୍ଷରୁ କିଛି ଆସବାବପତ୍ର ନିଆଯାଇଥିବାନେଇ ଅଭିଯୋଗ ହୋଇଥିଲା। ଏବେ ଜର୍ଜ ତିର୍କୀ ସଭାପତି ଛାଡିବା ପରେ ସେହି ସମାନ ସ୍ଥିତି ଉପୁଜିଛି। ମାମଲା ଥାନାକୁ ଯାଇଛି। ଏସବୁ ବିଭିନ୍ନ କାରଣରୁ ରାଉରକେଲାରେ କଂଗ୍ରେସର ସ୍ଥିତି ଦିନକୁ ଦିନ ବୁର୍ବଳ ହେଉଥିବା ଦଳ କରିଛି ବରିଷ୍ଠ ନେତା କହିଛନ୍ତି। ବର୍ତ୍ତମାନ ମୁରବୀଶୂନ୍ୟ ଥିବା ଜିଲ୍ଲା କଂଗ୍ରେସରେ ଆଗାମୀ ଦିନରେ କିଏ ମଙ୍ଗ ଧରୁଛି ? ସେ ଦଳକୁ ତୃଣମୂଳସ୍ତରରୁ ସୁଦୃଢ଼ କରି ବିରୋଧୀ ବିଜେପି ଓ ବିଜେପିକୁ ସାମ୍ନା କରିବାରେ କେତେଦୂର ସକ୍ଷମ ହେଉଛନ୍ତି, ତା’ଉପରେ ସମସ୍ତଙ୍କ ନଜର ରହିଛି।