ରାଉରକେଲା: ଚଳିତ ବର୍ଷ ଅଧିକ ଦୁଇ ଶୋଭାପାଇବ ସେକ୍ଟର-୨୦ ଏବିସି ପୂଜା ପେଣ୍ଡାଲ ଓ ସେକ୍ଟର-୧୬ ପୂଜା ମଣ୍ଡପ। ଉଭୟ ପୂଜା କମିଟି ପକ୍ଷରୁ ଆସନ୍ତା ୨୭ ତାରିଖରେ ବିସର୍ଜନ କରାଯିବ। ଚଳିତବର୍ଷ ଏହି ଦୁଇ ପୂଜା କମିଟି ପକ୍ଷରୁ ନିର୍ମିତ ତୋରଣ ‘ଆଇଏନ୍ଏସ୍ ମହେନ୍ଦ୍ରଗିରି’ ଓ ‘ସ୍ବର୍ଣ୍ଣମହଲ’ ଆକର୍ଷଣ ପାଲଟିଥିଲା। ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଅଧିକ ଦୁଇଦିନ ପୂଜା ଆୟୋଜନ ପାଇଁ କେନ୍ଦ୍ରୀୟ ପୂଜା କମିଟି(ସିପିସି)କୁ ନିବେଦନ କରାଯାଇଥିଲା। ଶେଷରେ ଏନେଇ ସିପିସି ପକ୍ଷରୁ ଅନୁମତି ମିଳିଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ନୌସେନାର ଯୁଦ୍ଧଜାହାଜ ‘ଆଇଏନ୍ଏସ୍ ମହେନ୍ଦ୍ରଗିରି’ରେ ରାଉରକେଲା ଇସ୍ପାତ କାରଖାନା(ଆର୍ଏସ୍ପି)ର ସ୍ପେସିଆଲ ପ୍ଲେଟ୍ ପ୍ଲାଣ୍ଟରେ ପ୍ରସ୍ତୁତ ୨୮,୦୦୦ ଟନ୍ ସ୍ୱତନ୍ତ୍ର ଲୁହା ବ୍ୟବହୃତ ହୋଇଛି। ଏହି ଗୌରବମୟ ଆଧ୍ୟାୟକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ୭୦ ଫୁଟ ଉଚ୍ଚ ଓ ୧୪୦ ଫୁଟ ଚଉଡ଼ା ବିଶିଷ୍ଟ ଏହି ମନଲୋଭା ଆଇଏନ୍ଏସ୍ ମହେନ୍ଦ୍ରଗିରି ତୋରଣ ନିର୍ମାଣ କରାଯାଇଥିଲା। ମଣ୍ଡପ ଭିତରେ ଚନ୍ଦ୍ରଯାନ-୩ ଯାନ ସମେତ ଏହାର ବିଭିନ୍ନ ଦିଗ ବିଷୟରେ ଅବତାରଣା କରାଯାଇଥିଲା। ଏହି ଅବସରରେ ନୌସେନା ଅଧିକାରୀ ତଥା କର୍ମଚାରୀ ରାକେଶ ପ୍ରସାଦ ପାଣ୍ଡେ, ଏସ.ପି.ସିଂହ, ନିତେଶ କୁମାର ଓ ଏସ୍.ଆର. ଚୌଧୁରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପୂଜା କମିଟି ସଭାପତି ସୁବ୍ରତ ଜେନା, କାର୍ଯକାରୀ ସଭାପତି ଶିଶିର ସାହୁ, ସାଧାରଣ ସମ୍ପାଦକ ନିରଞ୍ଜନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ।
ଅଧିକ ଦୁଇଦିନ ‘ଆଇଏନ୍ଏସ୍ ମହେନ୍ଦ୍ରଗିରି’ ଓ ‘ସ୍ବର୍ଣ୍ଣମହଲ’
/sambad/media/post_attachments/wp-content/uploads/2023/10/a179b48f-7853-4bf8-9ede-fdfab9d486a9.jpeg)