ରାଉରକେଲା ନିର୍ବାଚନୀ ମାମଲା : ଜବାବ ଦାଖଲ ପାଇଁ ସମୟ ଲୋଡ଼ିଲେ ବିଧାୟକ

ଲକ୍ଷ୍ମୀପୁର ନିର୍ବାଚନୀ ମାମଲା: ବିଧାୟକଙ୍କୁ ମହଲତ

କଟକ : ରାଉରକେଲା ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ହାଇକୋର୍ଟରେ ଦାୟର ନିର୍ବାଚନୀ ମାମଲାରେ ବିଧାୟକ ସାରଦା ନାୟକ ଜବାବ ରଖିବାକୁ ଅଧିକ ସମୟ ଲୋଡ଼ିଛନ୍ତି। ଡକ୍ଟର ଜଷ୍ଟିସ ଏ.‌କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏ ସଂପର୍କିତ ନିର୍ବାଚନୀ ମାମଲାର ଆଜି ଶୁଣାଣି ସମୟରେ ବିଧାୟକଙ୍କ ପକ୍ଷରୁ ଜବାବ ରଖିବାକୁ ଅଧିକ ସମୟ ପ୍ରଦାନ କରାଯାଉ ବୋଲି ଦର୍ଶାଯାଇଥିଲା। ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୯କୁ ଧାର୍ଯ୍ୟ କରିଛନ୍ତି। ଆବେଦନକାରୀ ନିହାର ରାୟଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ଓ ବିଧାୟକ ଶ୍ରୀ ନାୟକଙ୍କ ତରଫରୁ ଆଇନଜୀବୀ ପବିତ୍ର କୁମାର ନାୟକ ମାମଲା ପରିଚାଳନା କରୁଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଉରକେଲା ଆସନରୁ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେପିର ପରାଜିତ ପ୍ରାର୍ଥୀ ନିହାର ରାୟଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ୨୦୧୯, ସେ‌ପ୍ଟେମ୍ବର ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ବିଧାୟକ ଶ୍ରୀ ନାୟକଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ମାମଲାରେ ବିଧାୟକ ଶ୍ରୀ ନାୟକଙ୍କ ସହିତ କଂ‌ଗ୍ରେସ ପ୍ରାର୍ଥୀ ବୀରେନ ସେନାପତି, ବିଏସ୍‌ପିର ବିଷ୍ଣୁଚରଣ ‌ମହାନ୍ତ, ସୁରମା ମିଶ୍ର, ଲମ୍ବୋଦର ମହାନ୍ତ, ଧର୍ମେନ୍ଦ୍ର ମହାପାତ୍ର, ପୀତବାସ ମିଶ୍ର, ବିକାଶ ମାନସିଂ, ମହମ୍ମଦ ରିଜୱାନ ରାହିଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଲକ୍ଷ୍ମୀପୁର ନିର୍ବାଚନୀ ମାମଲା: ବିଧାୟକଙ୍କୁ ମହଲତ

କଟକ : ଲକ୍ଷ୍ମୀପୁର ବିଧାନସଭା ଆସନ ନିର୍ବାଚନ ସଂପର୍କିତ ନିର୍ବାଚନୀ ମାମଲାର ଶୁଣାଣି କରି ହାଇକୋର୍ଟ ବିଧାୟକ ପ୍ରଭୁ ଜାନିଙ୍କୁ ଜବାବ ଦାଖଲ ପାଇଁ ମହଲତ ପ୍ରଦାନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୩କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହା ପୂର୍ବରୁ ବିଧାୟକଙ୍କୁ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେଶିକାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ତରଣୀକାନ୍ତ ବିଶ୍ବାଳ ଓ ବିଧାୟକ ଶ୍ରୀ ଜାନିଙ୍କ ତରଫରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି। ମାମଲାରେ ବିଧାୟକ ପ୍ରଭୁ ଜାନି, ବିଜେପି ପ୍ରାର୍ଥୀ କୁମୁଦ ଚନ୍ଦ୍ର ସୁଆଁନ୍ତ, ବିଏସପି ପ୍ରାର୍ଥୀ ଅନିତା ସଗରିଆ, ସିପିଆଇ(ଏମଏଲ)ପ୍ରାର୍ଥୀ ପୂର୍ଣ୍ଣ ମାଡିଙ୍ଗୀଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧିତ ଖବର