ରାଉରକେଲା ନିର୍ବାଚନୀ ମାମଲା : ଜବାବ ଦାଖଲ ପାଇଁ ବିଧାୟକଙ୍କୁ ଜାନୁଆରି ୪ ପର୍ଯ୍ୟନ୍ତ ମହଲତ

କଟକ : ରାଉରକେଲା ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଦାୟର ନିର୍ବାଚନୀ ମାମଲାରେ ପ୍ରତିପକ୍ଷ ତଥା ବିଧାୟକ ସାରଦା ନାୟକଙ୍କୁ ଜବାବ ରଖିବାକୁ ହାଇକୋର୍ଟ ୨୦୨୦ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ମହଲତ ପ୍ରଦାନ କରିଛନ୍ତି। ଏଥିସହିତ ମାମଲାର ପରବର୍ତ୍ତୀ ଶୁଣାଣି ଜାନୁଆରି ୬ରେ କରାଯିବା ପାଇଁ ଧାର୍ଯ୍ୟ କରାଯାଇଛି। ଏଠାରେ ସୂଚନା ଯୋଗ୍ୟ, ମାମଲାରେ ଜବାବଦାଖଲ ପାଇଁ ବିଧାୟକଙ୍କ ପକ୍ଷରୁ ୧୦ ସପ୍ତାହ ମହଲତ ଲୋଡି ଡିସେମ୍ବର ୪ରେ ଏକ ଅନ୍ତରୀଣ ଆବେଦନ ଦାୟର କରାଯାଇଥିଲା। ଆଜି ଡକ୍ଟର ଜଷ୍ଟିସ ଏ.‌କେ. ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଆବେଦନର ଶୁଣାଣି କରି ବିଧାୟକଙ୍କୁ ଜବାବ ଦାଖଲ ପାଇଁ ଜାନୁଆରି ୪ ପର୍ଯ୍ୟନ୍ତ ସମୟ ପ୍ରଦାନ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ, ରାଉରକେଲା ଆସନରୁ ବିଜେଡି ପ୍ରାର୍ଥୀ ସାରଦା ନାୟକଙ୍କ ନିର୍ବାଚନକୁ ଚାଲେଞ୍ଜ କରି ବିଜେପିର ପରାଜିତ ପ୍ରାର୍ଥୀ ନିହାର ରାୟଙ୍କ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା। ୨୦୧୯ ସେ‌ପ୍ଟେମ୍ବର ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ବିଧାୟକ ଶ୍ରୀ ନାୟକଙ୍କ ସହିତ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ। ମାମଲାରେ ବିଧାୟକ ଶ୍ରୀ ନାୟକଙ୍କ ସହିତ କଂ‌ଗ୍ରେସ ପ୍ରାର୍ଥୀ ବୀରେନ ସେନାପତି, ବିଏସପିର ବିଷ୍ଣୁଚରଣ ‌ମହାନ୍ତ, ସୁରମା ମିଶ୍ର, ଲମ୍ବୋଦର ମହାନ୍ତ, ଧର୍ମେନ୍ଦ୍ର ମହାପାତ୍ର, ପୀତବାସ ମିଶ୍ର, ବିକାଶ ମାନସିଂ, ମହମ୍ମଦ ରିଜୱାନ ରାହିଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀ ନିହାର ରାୟଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ପ୍ରସାଦ ଦାଶ ଓ ବିଧାୟକ ଶ୍ରୀ ନାୟକଙ୍କ ତରଫରୁ ଆଇନଜୀବୀ ପବିତ୍ର କୁମାର ନାୟକ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର